ପାଟକୁରାରେ ପଡୁଛି ଭୋଟ୍ : ଧାଡିରେ ଆସିଲେ, ମତଦାନ ସାବ୍ୟସ୍ତ କଲେ ବିଜେଡି-ବିଜେପିର ହେଭିୱେଟ୍

ଭୋଟ୍ ଦେଲେ ଅତନୁ ସବ୍ୟସାଚୀ ନାୟକ ଓ ବିଜୟ ମହାପାତ୍ର

221

କନକ ବ୍ୟୁରୋ: ଭୋଟ୍ ଦେଉଛି ପାଟକୁରା । ଆଜି ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ଆସନରେ ପଡୁଛି ଭୋଟ୍ । ତେବେ ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟାରେ କାଁ ଭାଁ କେତୋଟି ସ୍ଥାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଭୋଟିଂ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିବା ବେଳେ ସୁରୁଖୁରରେ ନିଜ ମତ ସାବ୍ୟସ୍ତ କରୁଛନ୍ତି ମତାଦାତା । ଲମ୍ବା ଲାଇନରେ ଠିଆ ହୋଇ ଅତି ଶୃଂଖଳତାର ସହିତ ଭୋଟ ଦେଉଛନ୍ତି ଉଭୟ ସାଧାରଣ ଭୋଟର ଏବଂ ବଡ ବଡ ନେତା ।

 

ଏହି ମର୍ମରେ ମତଦାନ କେନ୍ଦ୍ରକୁ ଆସି ନିଜର ମତସାବ୍ୟସ୍ତ କରିଛନ୍ତି ପାଟକୁରା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର । ଗରଦପୁର ବ୍ଲକ ତାଳକୁସୁମାର ୨୬୪ ନମ୍ବର ବୁଥରେ ଭୋଟ ଦେଇଛନ୍ତି ବିଜୟ ମହାପାତ୍ର । ଏହାସହିତ ହିଁ କର୍ମୀଙ୍କ ସହ ବିଭିନ୍ନ ବୁଥକୁ ଯାଇ କିଭଳି ଭୋଟ ଗ୍ରହଣ ଚାଲିଛି ସେ ନେଇ ବୁଲି ଦେଖୁଛନ୍ତି । ଏଥର ୨୦ ବର୍ଷ ଧରି କ୍ଷମତା ଠାରୁ ଦୁରରେ ଥିବା ବିଜେପିର ବିଜୟ ମହାପାତ୍ରଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ଭୋଟର । ଲୋକେ ବିଜେଡି ରଚିଥିବା ଚକ୍ରବ୍ୟୁହକୁ ଭେଦ କରି ତାଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ବିଜୟୀ କରିବେ ବୋଲି କହିଛନ୍ତି ବିଜୟ ମହାପାତ୍ର । ବିଜେଡି ପ୍ରାର୍ଥୀ ସାବିତ୍ରୀ ଦେବୀ ଓ ବିଜେପିର ବିଜୟ ମହାପାତ୍ରଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି ।

ସେପଟେ, ପାଟକୁରା ବିଧାନସଭା ନିର୍ବାଚନରେ ମତଦାନ କରିଛନ୍ତି ବିଜେଡିର ହେଭିୱେଟ୍ ନେତା ଅତନୁ ସବ୍ୟସାଚୀ ନାୟକ । ସାନ ଓଡଙ୍ଗାର ୨୩୦ ନଂବର ପୁଲିଂ ବୁଥରେ ନିଜର ମତଦାନ କରିଥିଲେ ଅତନୁ । ମତଦାନ ପାଇଁ ଅତନୁ ପୋଲିଂ ବୁଥକୁ ଆସିବା ପରେ ସାଧାରଣ ଭୋଟରଙ୍କ ସହ ଧାଡିରେ ଠିଆ ହୋଇ ଅପେକ୍ଷା କରିଥିଲେ । ଏହାପରେ ଭୋଟର ତାଲିକାରେ ତାଙ୍କର ନାମ ଯାଂଚ ହୋଇଥିଲା । ଏହା ସରିବା ପରେ ପୁଲିଂ ବୁଥରେ ନିଜର ମତ ଅଧିକାର ସାବ୍ୟସ୍ତ କରିଛନ୍ତି ଅତନୁ । ନିଜେ ମତଦାନ କରିବା ସହିତ ଭୋଟରଙ୍କୁ ଅଧିକ ସଂଖ୍ୟାରେ ମତଦାନ କରିବାକୁ ବାର୍ତା ଦେଇଛନ୍ତି ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ ।