ରୋଗୀଙ୍କ ସଂପର୍କୀୟଙ୍କୁ ଡାକ୍ତର ଉଠବସ୍ କରାଇବା ଭିଡିଓ ଭାଇରାଲ । ଏସପି କହିଲେ, ସନ୍ଧ୍ୟା ସୁଦ୍ଧା ସାମ୍ନାକୁ ଆସିବ ସବୁ ସତ ।

447

କନକ ବ୍ୟୁରୋ : ଭିମସାରରେ ପୁଣି ଉତେଜନା । ଡାକ୍ତରଙ୍କ ଦାଦାଗିରିର ଭିଡିଓ ଭାଇରାଲ  । ବୁର୍ଲା ମେଡିକାଲରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ ମାରିଛନ୍ତି ଡାକ୍ତର । ଡାକ୍ତରୀ ଛାତ୍ର ରୋଗୀଙ୍କ ସଂପର୍କୀୟଙ୍କୁ ଆଣ୍ଠେଇବା ସହ ବସ ଉଠ କରି ଭୁଲ ମାଗିବାକୁ କହୁଛନ୍ତି । ଏହି ଭିଡିଓ ଭାଇରାଲ ପରେ ଏହାକୁ ନେଇ  ଆରମ୍ଭ ହୋଇଛି ତଦନ୍ତ । ରୋଗୀଙ୍କ ଭଉଣୀ ବୁର୍ଲା ଥାନାରେ ଅଭିଯୋଗ କରିବା ସହ ଡାକ୍ତରଙ୍କ ଗିରଫ ଦାବି କରିଛନ୍ତି ।  ଭିଡିଓ ଭାଇରାଲ କିଏ କଲା ଓ କେଉଁ ପରିସ୍ଥିତିରେ ହେଲା ତାହାର ତଦନ୍ତ କରାଯାଉଛି ସନ୍ଧ୍ୟା ସୁଦ୍ଧା ସତ ପଦାକୁ ଆସିବ ବୋଲି ଏସପି କହିଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ବୁର୍ଲା ମେଡିକାଲରେ  ଡାକ୍ତରଙ୍କୁ ୨ ଯୁବକ ଠେଲାପେଲା ଓ ର୍ଦୁବ୍ୟବହାର ନେଇ ଅଭିଯୋଗ ହୋଇଥିଲା ।  ଏହାର ଜବାବରେ ଡାକ୍ତରୀ ଛାତ୍ର ମାନେ  ରୋଗୀଙ୍କ ସଂପର୍କୀୟକୁ ପୁଲିସର ଜିମା ଦେଇଥିଲେ  । ପୁଲିସ ମଧ୍ୟ ୨ ଯୁବକଙ୍କୁ ଗିରଫ କରିଥିଲା । ତେବେ ପୋଲିସରେ ଜିମା ଦେବା ପୂର୍ବରୁ ରୋଗୀଙ୍କ ସଂପର୍କୀୟଙ୍କୁ ଡାକ୍ତର ବସଉଠ କରିବା ସହ ମାଡ ମାରୁଥିବାର ଭିଡିଓ ଭାଇରାଲ ହୋଇଛି ।

ଝାରସଗୁଡା ଲଇକେରା କଲେଜର କର୍ମଚାରୀ ଠଣ ସୁନ୍ଦର ବେହେରା ଅଭିଯୋଗ କରିଛନ୍ତି ଯେ, ଗୋଡରେ ଯନ୍ତ୍ରଣା ଯୋଗୁଁ ସୋମବାର ଦିନ ବୁର୍ଲା ମେଡିକାଲକୁ ଆସିଥିଲେ ।  କିନ୍ତୁ ଡକ୍ଟର ପାଟ୍ଟଯୋଶୀ  ସେ ଯାଉଥିବା ଘରୋଇ ନସିଂହୋମ ଯିବାକୁ ପରାମର୍ଶ ଦେଇଥିଲେ ।   ଆଉ ଡାକ୍ତରଙ୍କ ପରାମର୍ଶକ୍ରମେ ଠଣବେହେରା ନସିଂହୋମରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିଲେ । ତେବେ ଭଲ ହୋଇଯିବା ପରେ ବାପା କେବେ ଡିସଚାର୍ଜ ହେବେ ବୋଲି ପଚାରିଥିଲେ ଠଣ ବେହେରାଙ୍କ ପୁଅ । କିନ୍ତୁ ବିଭିନ୍ନ କାରଣ ଦର୍ଶାଇ ନର୍ସିଂହୋମରୁ ଠଣବେହେରାଙ୍କୁ ଡିସଚାର୍ଜ କରାଯାଇନଥିଲା ।  ତେବେ ଡାକ୍ତର ପାଟ୍ଟଯୋଶୀଙ୍କୁ ଏହାର କାରଣ ପଚାରିବାକୁ ଭିମସାର ହସ୍ପିଟାଲକୁ ଯାଇଥିଲେ ଠଣ ବେହେରାଙ୍କ ପୁଅ । କିନ୍ତୁ ହସ୍ପିଟାଲ ପରିସରରେ କିଛି ଡାକ୍ତରୀ ଛାତ୍ର ତାଙ୍କ ପୁଅକୁ ଘେରିଯାଇ ମାଡ ମାରିବା ସହ ଉଠବସ୍ କରିଥିବାର ଅଭିଯୋଗ ଆଣିଛନ୍ତି ଠଣବେହେରା ।