ବଡ ମେଡିକାଲରେ ଡାକ୍ତରଙ୍କୁ ଛୁଇଁବା ମନା ! ରୋଗୀ ଛୁଇଁଦେଲେ ବୋଲି ସର୍ମ୍ପକୀୟ ଖାଇଲେ ମାଡ

50

କନକ ବ୍ୟୁରୋ : ଆମ ସମାଜରେ ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ସ୍ୱରୂପ ବୋଲି ମାନିଥାନ୍ତି । କାରଣ ଭଗବାନଙ୍କ ପରେ ଡାକ୍ତର ହିଁ ମଣିଷର ଜୀବନ ବଞ୍ଚାଇଥାଏ । କିନ୍ତୁ ଏକବିଂଶ ଶତାବ୍ଦୀରେ ମଧ୍ୟ ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କାରଣ ଏଠାରେ ଡାକ୍ତରଙ୍କୁ ଛୁଇଁବା ମନା । ଛୁଇଁଲେ ଡାକ୍ତରଙ୍କଠାରୁ ଖାଇବାକୁ ପଡିବ ମାଡ । ଏଭଳି ଘଟଣା ଅନ୍ୟ କେଉଁଠି ନୁହେଁ ବରଂ କଟକରେ ହୋଇଛି । ଡାକ୍ତରଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କଟକ ବଡ ମେଡିକାଲରେ ଚିକିତ୍ସା ପାଇଁ ଆସିଥିବା ରୋଗୀ ସମ୍ପର୍କୀୟ ଆରତୀ ସାହୁ ।

ସୂଚନା ମୁତାବକ, କେନ୍ଦ୍ରାପଡ଼ା ଧାମନଗର ଅଂଚଳର ସଂଗୀତା ସାହୁ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତି ହୋଇଥିଲେ । କିନ୍ତୁ ୱାର୍ଡରେ ଡ୍ୟୁଟି କରୁଥିବା ଡାକ୍ତରଙ୍କୁ ଭୁଲ ବଶତଃ ଛୁଇଁଦେଇଥିଲେ ରୋଗୀଙ୍କ ସଂପର୍କୀୟ । ବାସ୍ ଏତିକିରେ ଉତକ୍ଷିପ୍ତ ହୋଇଯାଇଥିଲା ଡାକ୍ତର । ଗାଳିଗୁଲଜ, ମାଡ଼ ମାରିବା ସହ ଧମକ ଦେବାକୁ ମଧ୍ୟ ପଛାଇନଥିଲେ ଡାକ୍ତରବାବୁ । ଓଲଟା ଯାହା କରିବାର ଅଛି କର କହି ରୋଗୀ ଓ ତାଙ୍କ ସଂପର୍କୀୟଙ୍କୁ ଧମକାଇଥିଲେ ।ଏହା ପରେ ଭୟରେ ଏସସିବିରୁ ରୋଗୀଙ୍କୁ ଆଣି ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାକୁ ସ୍ଥାନାନ୍ତର ହୋଇଯାଇଥିଲେ ପରିବାର ଲୋକ ।

ଡାକ୍ତରଙ୍କ ବ୍ୟବହାରକୁ ନେଇ ରୋଗୀଙ୍କ ପରିବାର ଲୋକ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଏନେଇ ଥାନାରେ ମାମଲା ରୁଜୁ କରିବେ ବୋଲି କହିଛନ୍ତି । ଏପରିକି ଭୟରେ ରୋଗୀ ଜଣକ ଏବେ କୋମାକୁ ଚାଲିଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ସେପଟେ ଯଦି ଏପରି ହୋଇଥାଏ ସିସିଟିଭି ଯାଂଚ ପରେ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସସିବି କତ୍ତୃପକ୍ଷ ।