ଶୁଆ ଶୁଣୁଛନ୍ତି ଭାଗବତ । ବଲାଙ୍ଗୀରରୁ ଆସିଲା ଆଶ୍ଚର୍ଯ୍ୟ କଲାଭଳି ଦୃଶ୍ୟ, ଭାଗବତ ପଢା ହେବା ମାତ୍ରେ କାହିଁ କେତେ ଦୂରରୁ ଚାଲି ଆସୁଛନ୍ତି ଶୁକପକ୍ଷୀ ।

1,681

କନକ ବ୍ୟୁରୋ : ଶୁଆ ଶୁଣୁଛି ଭାଗବତ । ଯେଉଁଠି ଏବେ ସାଧାରଣ ଲୋକ ଭାଗବତ ଶୁଣିବା ବଦଳରେ ମଡର୍ଣ୍ଣ ଗୀତ ଶୁଣିବାକୁ ପସନ୍ଦ କରୁଛନ୍ତି ସେଭଳି ସମୟରେ ଶୁଆ ଭାଗବତ ଶୁଣିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଶ୍ରୀମଦ୍ ଭାଗବତରେ ମଧ୍ୟ ଏହି ଶୁକ ପକ୍ଷୀ ଗଛ କୋରଡ ମଧ୍ୟରେ ରହି ଭାଗବତ ଶୁଣୁଥିବାର ବର୍ଣ୍ଣିତ ରହିଛି । ଆଉ ଏବେ କଳିଯୁଗରେ ତାହାର ଝଲକ ଦେଖିବାକୁ ମିଳିଛି ।

ଶ୍ରୀମଦ୍ ଭାଗବତ ଗ୍ରନ୍ଥ । ହିନ୍ଦୁ ଧର୍ମର ଆସ୍ଥା ସହ ଜଡିତ ଥିବା ଏକ ନାଁ । ଏନ୍ତୁଡିଶାଳରୁ ମୃତ୍ୟୁର ଶେଷ ଶଯ୍ୟା ପର୍ଯ୍ୟନ୍ତ ପ୍ରତିଟି ଘରେ ଭାଗବତ ଶୁଣିବାକୁ ମିଳିଥାଏ । ଲୋକକଥା ରହିଛି ଯିଏ ଥରେ ଭାଗବତ ପଢିଛି ବା ଶୁଣିଛି, ସେ ପାପରୁ ମୁକ୍ତି ପାଇ ଯାଇଛି । ସେଥିପାଇଁ ତ ବିଭିନ୍ନ ଗାଁରେ ପ୍ରତିବର୍ଷ ଭାଗବତ ପରାୟଣ ଉତ୍ସବ ହୁଏ । କିନ୍ତୁ ଏବେ ଧୀରେ ଧୀରେ ଏହି ପରମ୍ପରା ଲୋପ ପାଇବାକୁ ବସିଲାଣି । ଅଳ୍ପ କିଛି ଲୋକଙ୍କ ଏବେ ଭାଗବତ ଶୁଣିବାକୁ ମିଳୁଛି । ଯେଉଁଠି ମଣିଷ ଭାଗବତ ଶୁଣିବାରୁ ନିଜକୁ ଦୂରେଇ ରଖୁଛି ସେଠି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଦୁଇ ଶୁକପକ୍ଷୀ ।

ଭାଗବତ ପଢା ଚାଲିଛି । ଲୋକଙ୍କ ମେଳରେ ଦୁଇ ଶୂକ ପକ୍ଷୀ ବେଶ ମନଧ୍ୟାନ ଦେଇ ଶୁଣୁଛନ୍ତି । ବଲାଙ୍ଗୀରରେ ଏବେ ଏହିଭଳି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦୀର୍ଘ ୫ ମାସ ହେବ ବଲାଙ୍ଗୀରର ଗିରିଶ ଚନ୍ଦ୍ର ପଣ୍ଡାଙ୍କ ଘରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଗିରିଶଙ୍କ ପତ୍ନୀ ପୁଷ୍ପାଞ୍ଜଳି ଭାଗବତ ପଢିବାକୁ ବସିବା ମାତ୍ରେ କାହିଁ କେତେ ଦୂରରୁ ଚାଲି ଆସନ୍ତି ଏହି ଦୁଇ ଶୁଆ । ଆଉ ଯେତେବେଳ ପର୍ଯ୍ୟନ୍ତ ଭାଗବତ ପଢା ନଯାଇଛି ସେତେବେଳ ପର୍ଯ୍ୟନ୍ତ ରାବ କରିଥାନ୍ତି ।

ଭାଗବତ ପଢା ଆରମ୍ଭ ହେବା ମାତ୍ରେ ଏହି ଦୁଇ ଶୂକପକ୍ଷୀ ଯେପରି ଏଥିରେ ଲୀନ ହୋଇଯାଆନ୍ତି । ଯେତେ ସମୟ ଭାଗବତ ପଢାଯାଇଥାଏ ସେହିଠାରେ ସେମିତି ବସି ରହିଥାନ୍ତି ଏହି ଦୁଇ ଶୂକପକ୍ଷୀ । ଆଉ ଭାଗବତ ପଢା ସରିବା ପୁଣିଥରେ କେଉଁ ଆଡକୁ ଚାଲିଯାଆନ୍ତି । ଆଉ ପୁଷ୍ପାଞ୍ଜଳିଙ୍କର ଅପେକ୍ଷା ରହିଥାଲ ତା ପରଦିନକୁ । ଏବେ ଯେଉଁଠି ଭାଗବତ ଶୁଣିବାକୁ ଆଜିକାଲିର ଯୁବପିଢୀ ଇଚ୍ଛାପ୍ରକାଶ କରୁନାହାନ୍ତି ସେଭଳି ସମୟରେ ଏହି ଦୁଇ ଭାଗବତ ଶୁଣିବା ଅନେକ କିଛି ବାର୍ତ୍ତା ରଖୁଛି ।