ବେକରେ ଝୁଲୁଛି ମେଡାଲ୍,ହାତରେ ରହିଛି ଥାଳ ! ଏ ହେଉଛି ଭାରତକୁ ଗର୍ବାନ୍ୱିତ କରିଥିବା ଜାତୀୟ ପାରା ଆଥଲେଟଙ୍କ ଅବସ୍ଥା ।

61

ଶରୀରରେ ଆଥଲେଟ ପୋଷାକ । ବେକରେ ଝୁଲି ରହିଛି ମେଡାଲ୍ । କିନ୍ତୁ ଭାଗ୍ୟ ଏତେ ଖରାପ ଯେ ଏତେ ପ୍ରତିଭା ଥାଇ ମଧ୍ୟ ହାତରେ ଥାଳ ଧରି ସିଗ୍ନାଲ୍ରେ ଭିକ ମାଗିବାକୁ ପଡ଼ୁଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ଦିବ୍ୟାଙ୍ଗ ଜାତୀୟ ପାରା ଆଥ୍ଲେଟ୍ ମନମୋହନ ସିଂହ ଲୋଧି ୩ ଦିନ ହେଲାଣି ରାଜଧାନୀର ରାଜରାସ୍ତାରେ ଭିକ ମାଗୁଥିବାର ଦେଖାଯାଇଛି । ଏହାର ପ୍ରକୃତ କାରଣ ହେଉଛି ମନମୋହନଙ୍କୁ ସରକାରୀ ଚାକିରି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ତାହା ଏ ପର୍ୟ୍ୟନ୍ତ ପୂରା ହୋଇ ପାରିନାହିଁ, ଯାହାର ବିରୋଧ କରି ସେ ୩ ଦିନ ହେଲାଣି ସେ ଭିକ ମାଗୁଥିବା ଜଣାପଡ଼ିଛି ।

ସୂଚନା ମୁତାବକ,୨୦୧୭ରେ ଅହମ୍ମଦାବାଦ୍ରେ ଆୟୋଜିତ ହୋଇଥିବା ନ୍ୟାସ୍ନାଲ ଗେମ୍ରେ ସେ ୧୦୦-ମିଟର ରେସ୍ରେ ଭାଗ ନେଇ ରୌପ୍ୟ ପଦକ ଜିତିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସରକାରୀ ଚାକିରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସେ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ୪ ଥର ଦେଖା କରି ସାରିଥିଲେ ମଧ୍ୟ ତାଙ୍କୁ ଏ ପର୍ୟ୍ୟନ୍ତ ଚାକିରି ଖଣ୍ଡେ ମିଳି ପାରି ନାହିଁ । ଖେଳିବା ଏବଂ ଘର ଚଳାଇବା ପାଇଁ ତାଙ୍କୁ ଚାକିରି ଦରକାର ହେଉଥିବା ବେଳେ ଯଦି ସରକାର ତାଙ୍କୁ ଚାକିରି ନ ଦିଅନ୍ତି ତେବେ ସେ ଭିକ ମାଗି ନିଜର ଜୀବନ ଅତିବାହିତ କରିବେ ବୋଲି କହିଛନ୍ତି । ଏହା ସହ ୩ ଦିନ ହେଲାଣି ସେ ଟ୍ରାଫିକ୍ ସିଗ୍ନାଲରେ ଭିକ ମାଗୁଥିବାର ମଧ୍ୟ ଦେଖାଯାଇଛି ।