ଝାରପଡା ଜେଲରେ ପପୁ : ଜୁଲାଇ ୪ରେ ଜାମିନ ଆବେଦନର ଶୁଣାଣି

80

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଶେଷରେ ଜେଲ ଗଲେ ପପୁ ପମପମ । ନାବାଳିକାକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ କମିଶନରେଟ ପୋଲିସ ପପୁଙ୍କୁ ପୁରୀ ନନ୍ଦିଘୋଷ ଆପାର୍ଟମେଂଟରୁ ଗିରଫ କରିଥିଲା । ପପୁଙ୍କ ସହ ତାଙ୍କ ସହଯୋଗୀ ପ୍ରଦୀପ ସ୍ୱାଇଁ ଓରଫ ଗିଟୁକୁ ମଧ୍ୟ ପୋଲିସ ଗିରଫ କରିଛି । ଉଭୟଙ୍କୁ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ ଆବାସିକ କୋର୍ଟରେ ହାଜର କରାଯାଇଥିଲା । ସେମାନଙ୍କ ଜାମିନ ଆବେଦନ ନେଇ ଶୁଣାଣି ସ୍ଥଗିତ ରହିବା ସହ ଆସନ୍ତା ଜୁଲାଇ ୪ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ତେଣୁ ବିଚାର ବିଭାଗୀୟ ହାଜତକୁ ଉଭୟ ଅଭିଯୁକ୍ତଙ୍କୁ ପଠାଇ ଦିଆଯାଇଛି । ଭୁବନେଶ୍ୱର ଝାରପଡା ଜେଲକୁ ଉଭୟ ପପୁ ଓ ଗିଟୁଙ୍କୁ ନିଅଯାଇଛି । ଗତକାଲି ସଂଧ୍ୟାରେ ପପୁଙ୍କ ଗିରଫଦାରୀ ନେଇ ଏକ ପ୍ରେସମିଟରେ ସୂଚନା ଦେଇଥିଲେ ପୋଲିସ କମିଶନର ୱାଇ.ବି ଖୁରାନିଆ ।

ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ତାଂକୁ ଗିରଫ କରିଥିବା କହିଥିଲେ । ଚିଟଫଣ୍ଡ ଲିଙ୍କ ପରେ ପପୁଙ୍କ ବିରୋଧରେ ଆସିଥିଲା କାଷ୍ଟିଂ କାଉଚ ଅଭିଯୋଗ । ସାମ୍ନାକୁ ଆସି ଚାଂଚଲ୍ୟକର ବୟାନ ରଖିଥିଲେ ନାବାଳିକା । କହିଥିଲେ, ଫିଲ୍ମରେ ଅଭିନୟ ଦେବାର ଲୋଭ ଦେଖାଇ ଗାଡିରେ ତାଂକ ସହ ଅସଦାଚରଣ କରିଥିଲେ ପପୁ ପମପମ୍ । ୨୫ ତାରିଖରେ ନାବାଳିକାଙ୍କ ପକ୍ଷରୁ ପପୁଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲା ଫ୍ରେଣ୍ଡସ ଫାଉଣ୍ଡେସନ୍ ଟ୍ରଷ୍ଟ । ଏହାପରେ ବଢିଥିଲା ପପୁଙ୍କ ପାଇଁ ଅଡୁଆ । ନାବାଳିକା ହୋଇଥିବାରୁ ପପୁଙ୍କ ବିରୋଧରେ ଆଗକୁ ଆସିଥିଲା ସିଡବ୍ଲୁସି । ୨୬ ତାରିଖରେ ସିଡବ୍ଲୁସିର ନିର୍ଦେଶରେ ମହିଳା ଥାନାରେ ରୁଜୁ ହୋଇଥିଲା ମାମଲା । ଗତ ୨୮ ତାରିଖରେ ନାବାଳିକାଙ୍କ ୧୬୪ ବୟାନ ରେକର୍ଡ କରାଯାଇଥିଲା । ଏହାପରେ ବୁଧବାର ପପୁଙ୍କ ଘରେ ନୋଟିସ ଲଗାଇଥିଲା ପୋଲିସ । ଜୁଲାଇ ୭ ତାରିଖ ଭିତରେ ହାଜର ହେବାକୁ ନିର୍ଦେଶ ହୋଇଥିଲା । ତେବେ ଗତକାଲି ସକାଳେ ଅତିରିକ୍ତ ଡିସିପି କହିଥିଲେ ୪୮ ଘଂଟା ଭିତରେ ଗିରଫ ହେବେ ପପୁ । ଆଉ ଏହା ପରେ ପରେ ପୋଲିସ ଫାଶରେ ପଡିଥିଲେ ପପୁ ପମପମ୍ ।