ଆହତ ନେତାଙ୍କ ଆତ୍ମସମର୍ପଣ ! ହେବିୱେଟଙ୍କ ଦୁର୍ଗ ଭୁଶୁଡିବା ପରେ କଂଗ୍ରେସରେ କଂପନ

20

କନକ ବ୍ୟୁରୋ : ବିଜେଡି-ବିଜେପି ଭିତରେ ଚାଲିଛି ପଞ୍ଚାୟତ ଯୁଦ୍ଧ । ହେଲେ ଯୁଦ୍ଧ ଠାରୁ ଦୂରକୁ ଠେଲି ହୋଇଯାଇଛି କଂଗ୍ରେସ୍‍ । ବଡ଼ବଡ଼ ନେତାଙ୍କ ଗଡ଼ ବି ଭୁଷୁଡି ପଡିଛି । ଦୁଇଟି ଦୁଇଟି ପର୍ଯ୍ୟାୟର ଫଳ ଦଳୀୟ କନ୍ଦଳର ପରିଣାମ ବୋଲି ବରିଷ୍ଠ ନେତା ସ୍ୱୀକାର କଲେଣି ।

ତାରା ଓ ପ୍ରଦୀପଙ୍କ ପତ୍ତା କଟି ଯାଇଛି । ଭକ୍ତଙ୍କ ଗଡ଼ରୁ ଭୋଟ୍‍ର ଉଭାନ୍‍ । ନିଃସ୍ୱ ହୋଇଯାଇଛନ୍ତି ନରସିଂହ । ଆଉ ଚମକି ପଡିଛନ୍ତି ଚିରଂଜିବୀ । କାହିଁକି ପଞ୍ଚାୟତ ପରୀକ୍ଷାରେ ଫେଲ୍‍ ମାରିଲେ କଂଗ୍ରେସ୍‍ର ଏ ହେବିେଵଟ୍‍ । ଗାଁରୁ ରାୟ ଆସିବା ପରେ ଆତ୍ମସମୀକ୍ଷାର ସମୟ ଆସି ଯାଇଛି । ଗତ ନିର୍ବାଚନରେ ଶାସକ ଦଳର ମନ୍ତ୍ରୀଙ୍କୁ ଆଣ୍ଠେଇ ଦେଇଥିବା ବାହିନୀପତି ଏଥର ନିଜେ ଆଣ୍ଠେଇ ପଡିଛନ୍ତି ।

ସେପଟେ ସବୁବେଳେ ଚର୍ଚ୍ଚାରେ ଥିବା କଂଗ୍ରେସ୍‍ର ଯୁବନେତାଙ୍କୁ ପରାଜୟ ସ୍ୱୀକାର କରିବାକୁ ପଡିଛି । ପ୍ରତି ପ୍ରସଙ୍ଗରୁ ରାଜନୈତିକ ଫାଇଦା ନେବାକୁ ଯଥାସମ୍ଭବ ଚେଷ୍ଟା କରି ବି ନିଜ ନବରଙ୍ଗପୁର ଓ ମାଲକାନଗିରିରେ ଫେଲ୍‍ ମାରିଛନ୍ତି ପ୍ରଦୀପ । ସେପଟେ କଳାହାଣ୍ଡିର ଚିତ୍ର କେବଳ ବିଜେଡିକୁ ବିଚଳିତ କରିନି ବରଂ ଦଳର ତୁଙ୍ଗନେତା ଭକ୍ତ ଦାସଙ୍କ ପଲିଟିକାଲ୍‍ କ୍ୟାରିୟରକୁ ଧକ୍କା ମାରିଛି ।

ସେପଟେ କେବଳ ଝାରସୁଗୁଡାରେ କ୍ଲିନ୍‍ ସୁଇପ୍‍ କରି ବିଧାୟକ ନବ ଦାସ ଦଳର ଚେହେରାକୁ ସତେଜ୍‍ ରଖି ପାରିଛନ୍ତି । ତେବେ ନରସିଂହ ମିଶ୍ର ଓ ଚିରଂଜିବୀ ବିଶ୍ୱାଳଙ୍କ ଭଳି ନେତାଙ୍କୁ ନିଜ ଇଲାକାରେ ହାର୍‍ ଦେଖିବାକୁ ପଡିଛି । ଏଭଳି ସ୍ଥିତିରେ ଦଳର ବରିଷ୍ଠ ନେତା ନିରଂଜନ ପଟ୍ଟନାୟକ କହିଛନ୍ତି, ଏ ହାର୍‍ ପାଇଁ ଆମେ ମାନେ ଦାୟୀ ।