ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ । ଆରଏସପୁରା, ଅରନିୟା ଓ ରାମଗଡ ସେକ୍ଟରରେ ପାକର ଗୁଳି ବର୍ଷଣ । ଜଣେ ମହିଳା ସମେତ ୨ସାଧାରଣ ନାଗରିକଙ୍କ ମୃତ୍ୟୁ

34

କନକ ବ୍ୟୁରୋ : ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ । ସୀମା ଆରପଟୁ ଜମ୍ମୁର ଆରଏସପୁରା, ଅରନିୟା, ରାମଗଡ ସେକ୍ଟରରେ ପୁଣି ଗୁଳିମାଡ କରିଛି ପାକ ସେନା । ପାକିସ୍ତାନର ଗୁଳି ଓ ମେର୍ଟାର ମାଡରେ ଜଣେ ମହିଳା ସମେତ ୨ ଜଣଙ୍କ ପ୍ରାଣହାନୀ ଘଟିଛି । ଗତ ୨୪ ଘଂଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏପରି ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ ।

ଗୁରୁବାର ମଧ୍ୟ ଆରଏସପୁରା ସେକ୍ଟରରେ ଗୁଳିଗୋଳା ମାଡ ହୋଇଥିଲା । ବିଏସଏଫ ପକ୍ଷରୁ କଡା ଜବାବ ଦିଆଯାଉଛି । ଏବେ ମଧ୍ୟ ସୀମାରେ ଗୁଳି ବିନିମୟ ଜାରି ରହିଛି । ବିଏସଏଫ ଅଧିକାରୀଙ୍କ ସୂଚନା ଅନୁସାରେ, ପାକିସ୍ତାନ ପଟୁ ଭାରତର ୩୦ରୁ ୪୦ ପୋଷ୍ଟକୁ ଟାର୍ଗେଟ କରାଯାଇଛି । ପାକିସ୍ତାନୀ ରେଂଜର୍ସ ଭାରତୀୟ ନାଗରିକଙ୍କୁ ଲକ୍ଷ୍ୟ କରି ଗୁଳିଗୋଳା ମାଡ ହେଉଛି ।

ଗତକାଲି ଭାରତ ସୀମା ସୁରକ୍ଷା ବାହିନୀର ଜବାବରେ ୩ ଜଣ ରେଂଜର୍ସ ସମେତ ମୋଟ ୮ ଜଣଙ୍କ ମୃତ୍ୟୁ ଘଟିଥିଲା । ପାକ୍ ଗୁଳି ମାଡରେ ଜଣେ କନଷ୍ଟେବଲ ଓ ଜଣେ ଶିଶୁ ନିହତ ହୋଇଥିଲେ ।