ଭୁବନେଶ୍ୱରକୁ ଆସୁଥିବା ବେଳେ ବିମାନ ଭିତରେ ତାଳି ମାରିଲେ ପାକିସ୍ତାନ ହକି ଖେଳାଳି, ଏୟାର ହୋଷ୍ଟେସଙ୍କ ସାହସକିତାକୁ କଲେ ସଲାମ । ଜାଣନ୍ତୁ ପୂରା ଘଟଣା

929

କନକ ବ୍ୟୁରୋ : ବିମାନ ଭିତରେ ଭାରତୀୟ ପାଇଲଟଙ୍କ ନିଷ୍ପତିରେ ପାକିସ୍ତାନ ହକି ଖେଳାଳି ଏତେ ଖୁସି ହୋଇଯାଇଥିଲେ ଯେ, ବିମାନ ଭିତରେ ସେମାନେ ତାଳି ମାରିବାକୁ ପଛାଇନଥିଲେ । ଜଣେ ଓଡିଆ ସାଂସଦଙ୍କ ମାଆ, ବେନିୟମ ଭାବେ ନିଜ ପାଖରେ ବ୍ୟାଗ ରଖିବାକୁ ଜିଦ୍ ଧରିଥିଲେ । ତେବେ ବିମାନର ପାଇଲଟ୍ ତାଙ୍କୁ ଓହ୍ଲାଇଦେବାକୁ ନିଷ୍ପତି ନେଇଥିଲେ । ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ଏଭଳି ଏକ ନିଷ୍ପତିକୁ ପ୍ରଶଂସା କରିଥିଲେ ପାକ୍ ଖେଳାଳି ।

ଦିଲ୍ଲୀରୁ ଭୁବନେଶ୍ୱରକୁ ଉଡାଣ ଭରିବା ପାଇଁ ରନୱେ ଯାଏଁ ଚାଲି ଆସିଥିଲା ଭିସ୍ତାରାର ୟୁକେ ୭୮୧ ବିମାନ । ଠିକ୍ ଏହି ସମୟରେ ଘଟିଥିଲା ଏକ ଅଭାବନୀୟ ଘଟଣା । ବିମାନରେ ଥିବା ଜଣେ ବୟସ୍କ ମହିଳା ଯାତ୍ରୀ, ଏୟାର ହୋଷ୍ଟେସଙ୍କ ଯୁକ୍ତିତର୍କ ହେଉଥିବାର ଘଟଣା ସାମ୍ନାକୁ ଆସିଲା । ମହିଳା ଜଣଙ୍କ ନିଜ ବ୍ୟାଗକୁ ଉପର ଷ୍ଟୋରେଜ୍ କ୍ୟାବିନରେ ରଖିବାକୁ ଅମଙ୍ଗ ହେବା କାରଣରୁ ବେଶ କିଛି ସମୟ ଧରି ଚାଲିଲା ଯୁକ୍ତିତର୍କ । ବ୍ୟାଗରେ କିଛି ବ୍ୟକ୍ତିଗତ ସାମଗ୍ରୀ ଥିବା କହି ବୟସ୍କ ମହିଳା ଜଣକ ଉପରେ ବ୍ୟାଗ୍ ଉପରେ ରଖିବାକୁ ମନା କରୁଥିଲେ । ଯେଉଁଥିପାଇଁ ସିଟ୍ ବେଲ୍ଡ ବାନ୍ଧିବାରେ ସମସ୍ୟା ସୃଷ୍ଟି ହେଉଥିଲା ।

ଜଣେ ଓଡ଼ିଆ ସାଂସଦଙ୍କ ମା’ଙ୍କ ଯୋଗୁଁ ବିମାନ ଭିତରେ ଏକ ଅସ୍ୱାଭାବିକ ପରିସ୍ଥିତି ଉପୁଜି ଥିଲା । ଆଉ ଏହାକୁ ଦୃଷ୍ଟିରେ ରଖି ବିମାନଚାଳକଙ୍କ ନିକଟରେ ଅଭିଯୋଗ କରିଥିଲେ ଏୟାର ହୋଷ୍ଟେସ । ରନୱେ ଯାଏଁ ଚାଲି ଆସିଥିବା ବିମାନଟି ପୁଣି ଯାତ୍ରୀ ଚଢ଼ୁଥିବା ସ୍ଥାନକୁ ଫେରି ଯାଇଥିଲା । ଆଉ ପାଇଲଟ୍ ମଧ୍ୟ ସଂପୃକ୍ତ ମହିଳାଙ୍କୁ ବିମାନରୁ ବାହାର କରିବାକୁ ଚରମ ବାଣୀ ଶୁଣାଇଥିଲେ । ଏହାରି ଭିତରେ ଅଧ ଘଂଟା ବିଳମ୍ବ ହୋଇଗଲା ବିମାନଉଡାଣ ।ବିମାନରେ ଥିଲେ ବିଶ୍ୱକପ୍ ଖେଳିବା ପାଇଁ ଭୁବନେଶ୍ୱର ଆସୁଥିବା ପାକିସ୍ତାନ ହକି ଟିମର ୨୫ ଜଣିଆ ସଦସ୍ୟ । ଯେଉଁମାନଙ୍କ ସୁରକ୍ଷା ପାଇଁ ବେଶ୍ ତତ୍ପରତା ଦେଖାଉଥିଲେ ପାଇଲଟ୍ ଓ ଏୟାର ହଷ୍ଟ୍ରେସ । ସେପଟେ ବିମାନ ଭିତରେ ଏୟାର ହୋଷ୍ଟେସଙ୍କ ଏଭଳି ସାହାସିକତାକୁ ପ୍ରଶଂସା କରିବା ସହ ତାଳିମାରି ସ୍ୱାଗତ କରିଥିଲେ ।

ଆଉ ଏସବୁ ଭିତରେ ନିଜର ଭୁଲ ବୁଝି ପାରିଥିଲେ ବିମାନରେ ଯାତ୍ରା କରୁିବା ଏହି ବୟସ୍କ ମହିଳା । ଫଳରେ ପୁଣି ରନୱେକୁ ଫେରିଥିଲା ଭିସ୍ତାରା ବିମାନ । ଆଉ ଶେଷରେ ସଂଧ୍ୟା ୬ଟା ୧୦ରେ ଦିଲ୍ଲୀ ଛାଡିଥିଲା ବିମାନ । ସୂଚନା ଅନୁସାରେ ଭିସ୍ତାରା ଏୟାରଲାଇନ ପକ୍ଷରୁ ଏନେଇ ଏକ ଅଭିଯୋଗ ମଧ୍ୟ ଦାଖଲ ହୋଇଛି ।