ପାକିସ୍ତାନକୁ ଭାରତ ଭୟ । ବଦଳାଇଲା ପିଓକେର ନାଁ, ପୂରା ଅଞ୍ଚଳକୁ ମିଶାଇବାକୁ କରୁଛି ଯୋଜନା ।

1,171

ଥରହର ପାକିସ୍ତାନ । ଭାରତ ଭୟରେ ପାକ-ଅଧିକୃତ କଶ୍ମୀର ବା ପିଓକେକୁ ନିଜ ସହିତ ମିଶାଇବାକୁ ଯୋଜନା କରୁଛନ୍ତି ପାକିସ୍ତାନ ସରକାର । ଏହି ଯୋଜନାର ପ୍ରଥମ ପର୍ଯ୍ୟାୟ ଭାବେ ସରକାରୀ କାଗଜପତ୍ରରେ ‘ଆଜାଦ କଶ୍ମୀର’ ନାଁକୁ ବଦଳାଇ ‘ଜମ୍ମୁ ଓ କଶ୍ମୀର ପ୍ରଶାସନିକ ସେବା’ କରାଯାଇଛି । ନିକଟରେ ପାକ୍‌-ଅଧିକୃତ କଶ୍ମୀରର ରାଷ୍ଟ୍ରପତି ସର୍ଦ୍ଦାର ମାସୁଦ ଖାଁ ଏହି ନାମ ପରିବର୍ତ୍ତନ ଲାଗି ନିର୍ଦ୍ଦେଶ ଜାରି କରିଛନ୍ତି ।

ଏହା ଦ୍ୱାରା ପାକିସ୍ତାନ ସରକାର ପିଓକେକୁ ନିଜ ସହ ମିଶାଇବାକୁ ଯୋଜନା କରୁଛନ୍ତି ବୋଲି ବିଶେଷଜ୍ଞମାନେ ସନ୍ଦେହ କରୁଛନ୍ତି । ପାକିସ୍ତାନରେ ଏବେ ୪ଟି ରାଜ୍ୟ ରହିଛି, ସେଗୁଡ଼ିକ ହେଲା ପଞ୍ଜାବ, ବେଲୁଚିସ୍ତାନ, ଖାଇବର ପଖତୁନ ଖ୍ଵାବା ଓ ସିନ୍ଧ । ଏହାଛଡା ପିଓକେ ଓ ଗିଲଗିଟ୍‌ ବାଲଟିସ୍ଥାନ ନାମକ ଦୁଇଟି ସ୍ୱୟଂଶାସିତ ଅଞ୍ଚଳ ରହିଛି । ଉଭୟ ପିଓକେ ଓ ଗିଲଗିଟ୍‌ ବାଲଟିସ୍ଥାନ ଭାରତର ଅଞ୍ଚଳ ହୋଇଥିବାବେଳେ ପାକିସ୍ତାନ ତାହାକୁ ବେଆଇନ ଭାବେ ନିଜ କବଜାରେ ରଖିଛି । ପିଓକେକୁ ପାକିସ୍ତାନ ଆଜାଦ କଶ୍ମୀର କହୁଛି ଓ ଏହାର ସ୍ୱତନ୍ତ୍ର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରହିଛନ୍ତି ।
ଗତ ଅଗଷ୍ଟ ମାସରେ ଭାରତ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠାଇ ଏହାର ସ୍ୱତନ୍ତ୍ର ପାହ୍ୟା ଉଠାଇଦେବା ସହ ପିଓକେକୁ ମଧ୍ୟ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଘୋଷଣା କରିଥିଲା । ଏହା ପରେ ପାକିସ୍ତାନ ପିଓକେକୁ ହରାଇବା ଆଶଙ୍କାରେ ରହିଛି । ଏଥିପାଇଁ ପିଓକେକୁ ନିଜର ଏକ ନୂଆ ରାଜ୍ୟ ଭାବେ ମିଶାଇବାକୁ ଚାହୁଁଛି ।