କେବେ ସୁଧୁରିବ ପାକିସ୍ତାନ ! ରାଜସ୍ଥାନ ସୀମାରେ ପୁଣି ପାକିସ୍ତାନ ଡ୍ରୋନକୁ ଧ୍ୱଂସ କଲା ଭାରତୀୟ ସେନା, ସୀମାରେ ପ୍ରବେଶ ପାଇଁ ହେଉଥିଲା ଉଦ୍ୟମ ।

121

କନକ ବ୍ୟୁରୋ : ସୀମାରେ ପାକିସ୍ତାନୀ ଗୁଏନ୍ଦା ଡ୍ରୋନକୁ ଧ୍ୱଂସ କଲା ଭାରତ । ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାର ହିନ୍ଦୁମଲକୋଟ ବର୍ଡରରେ ପାକିସ୍ତାନୀ ଡ୍ରୋନକୁ ଖସାଇଲେ ଭାରତୀୟ ଯବାନ । ଗତକାଲି ପାକିସ୍ତାନୀ ଡ୍ରୋନ ସୀମା ଭିତରକୁ ପଶି ଆସିଥିବା ଦେଖି ଭାରତୀୟ ଯବାନ ତୁରନ୍ତ ତାକୁ ଗୁଳି କରି ଖସାଇ ଦେଇଥିଲେ । ମିଳିଥିବା ସୂଚନା ଅନୁସାରେ ଶନିବାର ରାତି ୮ଟା ୧୫ ମିନିଟରେ ପାକିସ୍ତାନୀ ଡ୍ରୋନ ହିନ୍ଦୁମଲକୋଟ ବର୍ଡରରେ ନଜର ଆସିଥିଲା । ଯବାନ ଗୁଳି ମାଡରେ ଡ୍ରୋନ ସଂପୂର୍ଣ୍ଣ ଧ୍ୱଂସ ହୋଇଥିବା ବେଳେ, ଡ୍ରୋନର ଅବଶେଷ ସୀମାବର୍ତି କୋନି ଗାଁ ନିକଟରେ ପଡିଥିବା ସ୍ଥାନୀୟ ବାସିନ୍ଦା କହୁଛନ୍ତି ।

କୌଣସି ସନ୍ଦିଗ୍ଧ ବସ୍ତୁ ଦେଖିବାକୁ ପାଇଲେ ତୁରନ୍ତ ସେନାକୁ ଜଣାଇବାକୁ ଗ୍ରାମବାସୀଙ୍କୁ ସୂଚେଇ ଦେଇଥିବା ଜଣାପଡିଛି । ଭାରତୀୟ ଯବାନଙ୍କ ଗତିବିଧି ଉପରେ ନଜର ରଖିବାକୁ ପାକିସ୍ତାନ ବାରମ୍ବାର ସୀମାକୁ କ୍ୟାମେରା ଥିବା ଡ୍ରୋନ ପଠାଉଛି । ପୂର୍ବରୁ ମଧ୍ୟ ଫେବୃୟାରୀ ୨୭ ତାରିଖରେ କଛ ଠାରେ ଭାରତୀୟ ଯବାନ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇ ଦେଇଥିଲେ । ବାଲାକୋଟ ଟେରର କ୍ୟାମ୍ପ ଉପରେ ହମଲା ପରଠୁ ସୀମାରେ ସେନା ଠୁଳ କରିବା ସହ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକିସ୍ତାନ । ଏହାଛଡା ଭାରତୀୟ ସୀମାରେ କ୍ୟାମେରା ଡ୍ରୋନ ଜରିଆରେ ଗୁଏନ୍ଦା ଗିରି କରିବାକୁ ମଧ୍ୟ ପାକିସ୍ତାନ ଉଦ୍ୟମ କରୁଛି ।