ପାକିସ୍ତାନ ଆଡୁ ବଢୁଛି ପରମାଣୁ ଯୁଦ୍ଧର ବିପଦ ! ଆଶଙ୍କା ପ୍ରକାଶ କଲା ଆମେରିକୀୟ ଥିଙ୍କ ଟ୍ୟାଙ୍କ

46

କନକ ବ୍ୟୁରୋ : ପାକିସ୍ତାନ ଆଡୁ ବଢୁଛି ପରମାଣୁ ଯୁଦ୍ଧର ବିପଦ । ଏପରି ଚମକାଇବା ଭଳି ଖୁଲାସା କରିଛି ଆମେରିକୀୟ ଥିଙ୍କ ଟ୍ୟାଙ୍କ । ‘ଏସିଆ ଇନ ସେକେଣ୍ଡ ନ୍ୟୁକ୍ଲିୟର ଏଜ’ ରିପୋର୍ଟରେ ଏହା ପ୍ରକାଶ କରିଛି ଆମେରିକୀୟ ଥିଙ୍କ ଟ୍ୟାଙ୍କ ଆଟଲାଂଟିକ କାଉନସିଲ । ପାକିସ୍ତାନ ଏପର୍ଯ୍ୟନ୍ତ ନିଜ ପରମାଣୁ ଯୁଦ୍ଧ ଯୋଜନା ସଂପର୍କରେ ସାରା ବିଶ୍ୱକୁ ଜଣାଇନାହିଁ ।

ପାକିସ୍ତାନର ପରମାଣୁ ପ୍ରସ୍ତୁତି କେବଳ ଆଂଚଳିକ କ୍ଷେତ୍ର ପାଇଁ ବିପଦ ସୃଷ୍ଟି କରୁନି ବରଂ ଯେ କୌଣସି ପାରମ୍ପରିକ ଯୁଦ୍ଧ ପାଇଁ ମଧ୍ୟ ବିପଦ ପାଲଟିଛି । ସାଧାରଣ ଯୁଦ୍ଧରେ ବି ଏହି ଦେଶ ପରମାଣୁ ଶକ୍ତିକୁ ବ୍ୟବହାର କରିବାର ଆଶଙ୍କା ରହିଛି । କାରଣ ପାକିସ୍ତାନର ଆଣବିକ ଅସ୍ତ୍ରଗୁଡିକୁ ସୁରକ୍ଷା ଦେଉଥିବା ସଂସ୍ଥାର ସ୍ଥିରତା ଉପରେ ଭରସା ନାହିଁ । ଗତ ୪ ଦଶନ୍ଧି ଧରି ଆତଙ୍କବାଦକୁ ଅସ୍ତ୍ର କରି ଭାରତ ଓ ଆଫଗାନିସ୍ତାନରେ ଅଶାନ୍ତି ସୃଷ୍ଟି କରୁଥିବା ପାକିସ୍ତାନ ନିଜେ ମଧ୍ୟ ଏହାର ଶିକାର ହୋଇଛି ।

ପାକିସ୍ତାନର ସେନା ଆଡ୍ଡା ସହ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ବି ଆତଙ୍କବାଦୀ ଆକ୍ରମଣ ହୋଇଛି । ପରମାଣୁ ଅସ୍ତ୍ର ଉପରେ ପାକିସ୍ତାନ ସରକାର କିମ୍ବା ସେନାର ମଜବୁତ ନିୟନ୍ତ୍ରଣ ନାହିଁ । ତେଣୁ କୌଣସି ସମୟରେ ଏହା ଆତଙ୍କବାଦୀଙ୍କ ହାତରେ ପଡିପାରେ ନଚେତ୍ ସେନା ଭିତରେ ଆଭ୍ୟନ୍ତରୀଣ ମତଭେଦରୁ ମଧ୍ୟ ଏହାର ଅପବ୍ୟବହାର ହୋଇପାରେ ବୋଲି ଏହି ରିପୋର୍ଟରେ ପ୍ରକାଶିତ ହୋଇଛି ।