ଯବାନଙ୍କ ପାଇଁ ରଖାଯାଇଥିବା ଖାଦ୍ୟରେ ବିଷ ମିଶାଇବା ଲାଗି ଯୋଜନା କରୁଛି ଆଇଏସଆଇ !

ଭାରତ-ପାକିସ୍ତାନ ମଧ୍ୟରେ ଦିନକୁ ଦିନ ତିକ୍ତତା ବଢିବାରେ ଲାଗିଛି

311

କନକ ବ୍ୟୁରୋ : ଭାରତ-ପାକିସ୍ତାନ ମଧ୍ୟରେ ଦିନକୁ ଦିନ ତିକ୍ତତା ବଢିବାରେ ଲାଗିଛି । ଗତ ପୁଲୱାମା ଆକ୍ରମଣପରେ ଉଭୟ ଦେଶ ମଧ୍ୟରେ ଏପରି ତିକ୍ତତା ଅଧିକ ମାତ୍ରାରେ ବଢିଛି । ବାୟୁସେନା ଅଧିକାରୀ ଅଭିନନ୍ଦନଙ୍କୁ ଭାରତ ଛାଡିବ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ବି ବାରମ୍ବାର ପାକ ଅସ୍ତ୍ରବିରତି ଉଲଘଂନ କରୁଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଖତରନାକ ପ୍ଲାନ କରିଥିବା ନେଇ ସୂଚନା ମିଳିଛି । ପାକ ଆର୍ମି ଓ ଆଇଏସଆଇ ଜାମ୍ମୁକାଶ୍ମୀରରେ ଭାରତୀୟ ସେନାଙ୍କୁ କ୍ଷତି ପହଞ୍ଚାଇବା ପାଇଁ ପ୍ଲାନ ତିଆରି କରିଥିବା ଜଣାପଡିଛି ।

image courtesy – www.strategic-culture.org

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଯବାନଙ୍କ ଖାଦ୍ୟରେ ବିଷ ମିଶାଇବା ପାଇଁ ଯୋଜନା କରାଯାଉଛି । ଏହି କାମ କରିବା ପାଇଁ ଆଇଏସଆଇ କାଶ୍ମୀରରେ ଥିବା ନିଜର ଏଜେଣ୍ଟମାନଙ୍କୁ ବ୍ୟବହାର କରିପାରେ ବୋଲି ସୂଚନା ରହିଛି । ତେବେ ଏହା ଜଣାପଡିବା ପରେ ସେନାକୁ ହାଇଆଲର୍ଟ କରାଯାଇଛି । ଗତ ଫେବୃଆରୀ ମାସରେ ହୋଇଥିବା ପୁଲୱାମା ଆକ୍ରମଣପରେ ଭାରତ ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିଥିଲା । ଏହି ଆକ୍ରମଣ ପରେ ଅନେକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା ।

ଏହାପରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲଘଂନ ମଧ୍ୟ କରିଛି । କେବଳ ଏତିକି ନୁହେଁ ବରଂ ରାଜଧାନୀ ଦିଲ୍ଲୀ ସମେତ ଅନେକ ସହର ବି ଆତଙ୍କୀଙ୍କ ଟାର୍ଗେଟର ରହିଛି । ତେଣୁ ଦିଲ୍ଲୀରେ ରେଡ ଆଲର୍ଟ ଜାରି ହୋଇଛି । ତେବେ ପୂର୍ବରୁ ମଧ୍ୟ ପାକିସ୍ତାନ ଏପରି ଭାବରେ ଅନେକ ଥର ଅସ୍ତ୍ରବିରତି ଉଲଘଂନ କରିଛି ଯେଉଁଥିରେ କି ଭାରତର ସୀମାନେ ରହୁଥିବା ଲୋକଙ୍କ ଘର କ୍ଷତିଗ୍ରସ୍ତ ହୋଇଛି । ଗତକାଲି ମଧ୍ୟ ପାକ ଗୁଳିରେ ଭାରତର ୫ ଯବାନ ସହିଦ ହୋଇଥିବା ଜଣାପଡିଛି । ତେଣୁ ପାକିସ୍ତାନର ଏପରି କାମକୁ ସାରା ବିଶ୍ୱରେ ନିନ୍ଦା କରାଯାଉଥିବା ବେଳେ ପୁଣି ଥରେ ପାକର ଏପରି ଯୋଜନା ଜଣାପଡିବା ପରେ ସେନା ଆଲର୍ଟରେ ରହିଛି ।