କାର୍ ଓ ଫ୍ଲାଟ୍ ନେଇଛି କିଏ ? ପ୍ରଭାସ ରାଉତ ଗିରଫ ପରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି

40

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଚିଟଫଣ୍ଡ ଓ ଓଲିଉଡ୍ କନେକସନର ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ,କେଉଁ କେଉଁ ଓଲିଉଡ୍ କଳାକାର ଓସ୍କାର ଚିଟଫଣ୍ଡ ମୁଖ୍ୟ ପ୍ରଭାସ ରାଉତଙ୍କ ଠାରୁ କାର୍ ଓ ଫ୍ଲାଟ୍ ନେଇଛନ୍ତି ସେନେଇ ତଦନ୍ତ ଆରମ୍ଭ ହୋଇଛି । ପୋଲିସକୁ ଏନେଇ ସୂଚନା ମିଳିଥିବା ଜଣାପଡିଛି । ଏହାଛଡା ଆଉ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ପ୍ରଭାସ ରାଉତଙ୍କ ସିନେମା ପାଇଁ କଳାକାର ମାନଙ୍କୁ ବିପୁଳ ପରିମାଣର ଟଂକା ଦିଆଯାଇଥିଲା । ତେବେ ଏହାର ପ୍ରମାଣ ପାଉନାହିଁ ପୋଲିସ । କାରଣ , ପ୍ରଭାସ ରାଉତ ଓ ଓଲିଉଡ୍ ଷ୍ଟାରଙ୍କ ମଧ୍ୟରେ ଟଂକା କାରବାର କେମିତି ହୋଇଥିଲା ତାହା ସ୍ପଷ୍ଟ ହୋଇନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରଭାସ ରାଉତଙ୍କ ୪ ଟି ଫିଲ୍ମରେ ଦୁଇ ବିଜେଡି ସାଂସଦ, ପପୁ ପମପମ୍ ଓ ବାବୁସାନ୍ ଅଭିନୟ କରିଥିଲେ ।

ଓଲିଉଡର ରଙ୍ଗୀନ୍ ଦୁନିଆରେ ଉଡୁଥିଲା ଚିଟଫଣ୍ଡ ଟଙ୍କା । ଓସ୍କାର ଚିଟଫଣ୍ଡ ସଂସ୍ଥା ମୁଖ୍ୟ ପ୍ରଭାସ ରାଉତ ଗିରଫ ହେବା ପରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଜଣାପଡିଛି ଯେ ପ୍ରଭାସ ରାଉତଙ୍କ ଫିଲ୍ମ ପାଇଁ କଳାକାରଙ୍କୁ ବିପୁଳ ପରିମାଣର ଟଙ୍କା ମିଳୁଥିଲା । ଏପରିକି ଯେଉଁ ପାରିଶ୍ରମିକ ସେହି ସମୟରେ ସେହି କଳକାରଙ୍କୁ ମିଳିଥାଏ ତାର ୪ରୁ ୫ଗୁଣ ଟଙ୍କା ଦିଆଯାଇଥିଲା ଅଭିନୟ ପାଇଁ । ସେହି ଚଳଚ୍ଚିତ୍ର ଗୁଡିକ ହେଉଛି ରଙ୍ଗିଲା ଟୋକା , ବାଳୁଙ୍ଗା ଟୋକା ,ତୋ ଆଖିରେ ମୁଁ ଓ ମୋଷ୍ଟ ୱାଟେଂଡ ।
ପ୍ରଶ୍ନ ଉଠୁଛି ବିପୁଳ ଟଙ୍କା ଦେବା ପଛରେ କଣ ଥାଇପାରେ କାରଣ । ଏହାବାଦ୍ ଆଉ ଏକ ଗମ୍ଭୀର ଅଭିଯୋଗକୁ ନେଇ ମଧ୍ୟ ପୁଲିସ ତଦନ୍ତ କରୁଥିବା ଜଣାପଡିଛି । ସେ ହେଉଛି ଓସ୍କାର ମୁଖ୍ୟଙ୍କ ଠାରୁ କିଛି କଳାକାର ଫ୍ଲାଟ୍ ଓ କାର ମଧ୍ୟ ନେଇଛନ୍ତି । ଏଥିପାଇଁ ସେମାନେ ପ୍ରଭାସଙ୍କ ନିକଟରେ ସର୍ତ ରଖିଥିଲେ ଏବଂ ଫ୍ଲାଟ୍ ଓ କାର ପାଇବା ପରେ ହିଁ ଚଳଚ୍ଚିତ୍ର ନିର୍ମାଣ ଆରମ୍ଭ ହୋଇଥିଲା । ତେବେ ଏନେଇ କ୍ରାଇମ୍ ବ୍ରାଂଚ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ତେବେ ଦିଗରେ ତଦନ୍ତ ଚାଲିଥିବା ସୂଚନା ମିଳିଛି ।