ଯୋଗଶ ସିଂଙ୍କୁ ଝଟକା ! ଭୁଲ ଜାତି ପ୍ରମାଣପତ୍ର ଦେଇଥିଲେ, ବିଧାୟକ ପଦ ହରାଇଲେ

64

କନକ ବ୍ୟୁରୋ : ସୁନ୍ଦରଗଡର କଂଗ୍ରେସ ବିଧାୟକ ଯୋଗେଶ ସିଂଙ୍କୁ ହାଇକୋର୍ଟରୁ ବଡ ଝଟକା । ଯୋଗେଶ ସିଂଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି ହାଇକୋର୍ଟ । ଭୁଲ ତଥା ଜାଲ ଜାତି ପ୍ରମାଣପତ୍ର ଦେଇଥିବାରୁ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ଏହାଦ୍ୱାରା ବିଧାୟକ ପଦ ହରାଇଛନ୍ତି ଯୋଗେଶ । । ସୁନ୍ଦରଗଡ ଆସନରୁ ୨ଥର ବିଧାୟକ ଥିବା ଯୋଗେଶଙ୍କ ବିରୋଧରେ ଜାଲ ପ୍ରମାଣପତ୍ର ଦେଇ ନିର୍ବାଚନ ଲଢିଥିବାରୁ ହାଇକୋର୍ଟରେ ୨ଟି ମାମଲା ହୋଇଥିଲା । ବିଜେପି ପ୍ରାର୍ଥୀ ସହଦେବ ଖାକା ଓ ସାଧାରଣ ଭୋଟର ଅଜୟ ପଟେଲ ନିର୍ବାଚନକୁ ଅସିଦ୍ଧ କରିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ ।ଭୂୟାଁ ଜାତିର ପ୍ରମାଣପତ୍ର ଦାଖଲ କରି ଯୋଗେଶ ନିବାର୍ଚନ ଳଢିଥିଲେ । ଆଉ ଏହାର ଶୁଣାଣି କରି ଆଜି ଯୋଗେଶଙ୍କ ସଭ୍ୟପଦ ରଦ୍ଦ କରିଛନ୍ତି ହାଇକୋର୍ଟ । ତେବେ ହାଇକୋର୍ଟଙ୍କ ଏହି ନିଷ୍ପତି ବିରୋଧରେ ଯୋଗେଶ ସବୋର୍ଚ୍ଚ ନ୍ୟାୟାଳୟ ଯାଇ ପାରନ୍ତି ।

Odisha-HCଏସବୁ ଭିତରେ ଆବେଦନକାରୀ ଓକିଲ ଗୋପାଲ ଅଗ୍ରୱାଲ କହିଛନ୍ତି, ଯୋଗେଶଙ୍କ ବିରୋଧରେ ହାଇକୋର୍ଟରେ ୨ଟି ମାମଲା ଦାୟର କରାଯାଇଥିଲା । ତେବେ ଏହି ମାମଲାର ବିଚାର ପାଇଁ ସାଢେ ତିନ ବର୍ଷରୁ ଅଧିକ ସମୟ ଲାଗିଲା । ତେବେ ଶେଷରେ ସତ୍ୟ ପଦାକୁ ଆସିଛି । ଯୋଗେଶ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ ୨୦୧୪ରେ ମଧ୍ୟ କଂଗ୍ରେସ ଟିକେଟରେ ନିର୍ବାଚନ ଲଢି ୨ୟ ଥର ପାଇଁ ସୁନ୍ଦରଗଡର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ତେବେ ଯୋଗେଶଙ୍କ ସଭ୍ୟପଦ ରଦ୍ଦ ହେବା ପରେ ବିରୋଧୀ ଦଳ କଂଗ୍ରେସ ପାଇଁ ମଧ୍ୟ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । କାରଣ ୨୦୧୪ରେ କଂଗ୍ରେସର ମୋଟ ୧୬ ଜଣ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଓ ଏହାସହ ବିରୋଧୀ ଦଳ ଆସନ ହାତେଇଥିିଲେ ।ତେବେ ଗତବର୍ଷ ଅଗଷ୍ଟ ମାସରେ ବିଜେପୁରର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ବିଧାନସଭାରେ କଂଗ୍ରେସ ୧୫ଟି ଆସନକୁ ଖସି ଆସିଥିଲା । ଏଭଳି ସ୍ଥିତିରେ ଯୋଗେଶଙ୍କ ସଭ୍ୟ ପଦ ରଦ୍ଦ ହେବା ପରେ କଂଗ୍ରେସର ବିରୋଧୀ ଦଳ ଆସନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି । ଏସବୁ ବାଦ ଯୋଗେଶଙ୍କ ସଭ୍ୟ ପଦ ରଦ୍ଦ ହେବା ପରେ ସେଠାରେ ଉପନିର୍ବାଚନ ହେବ କି ନାହିଁ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କାରଣ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ଅଳ୍ପ କେଇ ମାସ ବାକି ରହିଥିବା ବେଳେ ସୁନ୍ଦରଗଡରେ ଉପନିର୍ବାଚନ ହେବ କି ନାହିଁ ତାହା ଦେଖିବା ବାକି ରହିଲା । ଯୋଗେଶଙ୍କ ସଭ୍ୟ ପଦ ଏଭଳି ସମୟରେ ରଦ୍ଦ ହୋଇଛି ଯେଉଁ ସମୟରେ ଦେଶରେ ଆଗୁଆ ନିର୍ବାଚନ କରିବାକୁ ପ୍ରଧାନମନ୍ତ୍ରୀ ଆଗ୍ରହ ପ୍ରକାଶ କରିଛନ୍ତି । ତେଣୁ ଯଦି ଆଗୁଆ ନିର୍ବାଚନ ପାଇଁ ବିଗୁଲ ବାଜେ ତେବେ ସୁନ୍ଦରଗଡ ଆସନରେ ଉପନିର୍ବାଚନ ହେବ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।