ବିଧାନସଭାର ବିରଳ ଚିତ୍ର : ନୂଆ ମନ୍ତ୍ରୀଙ୍କୁ ଶିଖିବାର ସୁଯୋଗ, ପୁରୁଣାଙ୍କୁ ପ୍ରଶ୍ନବାଣରେ ଘାଇଲା କରୁଛନ୍ତି ବିରୋଧୀ ।

841

କନକ ବ୍ୟୁରୋ : ବିଧାନସଭାରେ ହଟହଟା ହେଉଛନ୍ତି ନବୀନଙ୍କ ନୂଆ ମନ୍ତ୍ରୀ । ପଞ୍ଚମ ପାଳିରେ ପ୍ରଥମ ଥର ନିର୍ବାଚିତ ହୋଇଥିବା ଅନେକ ବିଧାୟକଙ୍କୁ ନିଜ ଟିମରେ ସାମିଲ କରିଛନ୍ତି ନବୀନ । କିନ୍ତୁ ବିଧାନସଭା ଗୃହ ମଧ୍ୟରେ ଏହି ମନ୍ତ୍ରୀ ମାନଙ୍କୁ ପ୍ରଶ୍ନବାଣରେ ଘାଇଲା କରୁଛନ୍ତି ବିରୋଧୀ । ଗୃହରେ ପ୍ରତିଦିନ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସୁଛି । ଯେତେବେଳେ ଗୃହର ସଭ୍ୟ ମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ସକ୍ଷମ ହେଉନାହାନ୍ତି ନବୀନଙ୍କ ନୂଆ ଟିମର କିଛି ଯୁବ ମନ୍ତ୍ରୀ । ସେହିଭଳି ଆଜି ମଧ୍ୟ ଗୃହରେ ବରିଷ୍ଠ କଂଗ୍ରେସ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ।

ସାଧାରଣତଃ ଗୃହରେ ମନ୍ତ୍ରୀ ଉତ୍ତର ଦେଇ ନପାରିଲେ ବିରୋଧୀ ମାନେ ହଟ୍ଟଗୋଳ କରିଥାନ୍ତି । କିନ୍ତୁ ଆଜି ଗୃହରେ ଏକ ବିରଳ ଚିତ୍ର ଦେଖିବାକୁ ମିଳିଥିଲା । ଯେତେବେଳେ ଗୃହରେ ପୁରୁଖା ନେତା ସୁର ରାଉତରାୟ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ସର୍ମ୍ପକରେ କିଛି ପ୍ରଶ୍ନ ପଚାରିବା ସହ ଉତ୍ତର ଜାଣିବାକୁ ଚାହିଁଥିଲେ ସୁର । କିନ୍ତୁ ଗୃହରେ ଏହି ପ୍ରଶ୍ନର ଉତ୍ତର ନ ଦେଇ ପରେ ଏହାର ଉତ୍ତର ଯୋଗାଇ ଦିଆଯିବ କହିଥିଲେ ନୂଆ କରି ମନ୍ତ୍ରୀ ହୋଇଥିବା ପଦ୍ମିନୀ ଦିଆନ । ପ୍ରତି ପ୍ରଶ୍ନର ଉତ୍ତର ପରେ ଦିଆଯିବ କହି ଚୁପ୍ ରହିଥିଲେ ପଦ୍ମିନୀ ।

ପଦ୍ମିନୀ ଦିଆନଙ୍କ ଏଭଳି ଉତ୍ତର ପରେ ବିରୋଧୀ ଚାହିଁଥିଲେ ହଟ୍ଟଗୋଳ କରିପାରିଥାନ୍ତେ । କିନ୍ତୁ ନୂଆ କରି ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ପଦ୍ମିନୀଙ୍କୁ ସହଯୋଗ ହାତ ବଢାଇଥିଲେ ବିରୋଧୀ । ପ୍ରଥମ ଥର ବିଧାୟକ ସାଙ୍ଗକୁ ମନ୍ତ୍ରୀ ହୋଇଥିବା ପଦ୍ମିନୀଙ୍କୁ ଶିଖିବାର ସୁଯୋଗ ଦେଇଥିଲେ ସୁର । ଆଉ କଣ ପ୍ରଶ୍ନ ପଚାରିବି କହି ବିଧାନସଭାର କାର୍ଯ୍ୟକୁ ଆଗକୁ ବଢାଇଥିଲେ ସୁର । କେବଳ ସୁର ନୁହଁନ୍ତି ବରଂ ବିଜେପି ବିଧାୟକ ମୋହନ ମାଝି ପଦ୍ମିନୀଙ୍କ ଠାରୁ ଉତ୍ତର ପାଇନଥିଲେ ନୂଆ ମନ୍ତ୍ରୀ ଗୃହରେ ଉତ୍ତର ଦେବା ଶିଖିବା ଦରକାର ବୋଲି କହିଥିଲେ । କେବଳ ବିରୋଧୀ ନୁହଁନ୍ତି ବରଂ ବାଚସ୍ପତି ମଧ୍ୟ ପଦ୍ମିନୀଙ୍କୁ ସହଯୋଗର ହାତ ବଢାଇଥିଲେ ।

ଏହାପୂର୍ବରୁ ଗତକାଲି ବିଧାନସଭା ଅଧିବେଶନରେ ନୂଆକରି ମନ୍ତ୍ରୀ ହୋଇଥିବା ଜଗନ୍ନାଥ ସାରକାଙ୍କର ମଧ୍ୟ ସମଦଶା ଦେଖିବାକୁ ମିଳିଥିଲା । ବିରୋଧୀ ପ୍ରଶ୍ନ ପଚାରିଥିଲେ ମଧ୍ୟ ଉତ୍ତର ପରେ ଦେବି କହି ଚୁପ୍ ରହିଥିଲେ ଜଗନ୍ନାଥ । ଗୋଟିଏ ପଟେ ବିରୋଧୀ ମାନେ ନୂଆ ମନ୍ତ୍ରୀଙ୍କୁ ଶିଖିବାର ସୁଯୋଗ ଦେଉଥିବା ବେଳେ ପୁରୁଣା ମନ୍ତ୍ରୀଙ୍କୁ ହରଡଘଣାରେ ପକାଉଥିବାର ଦେଖିବାକୁ ମିଳୁଛି । ପୁରୁଣା ମନ୍ତ୍ରୀଙ୍କ ଉତ୍ତର ସନ୍ତୋଷଜନକ ନହେଲେ ବିରୋଧୀ ବାଚସ୍ପତିଙ୍କ ପୋଡିୟମ ପାଖରେ ନାରାବାଜି କରୁଥିବା ବେଳେ ନୂଆ ମନ୍ତ୍ରୀଙ୍କ ପାଇଁ ରଣନୀତି ବଦଳାଉଛନ୍ତି ବିରୋଧୀ । କିନ୍ତୁ ଏ ଆଗାମୀ ବିଧାନସଭା ଅଧିବେଶନରେ ନୂଆ ମନ୍ତ୍ରୀ ଉତ୍ତର ଦେବା ନ ପାରିଲେ ପୁରୁଣାଙ୍କ ଭଳି ସେମାନଙ୍କୁ ମଧ୍ୟ ହରଡଘଣାରେ ପକାଇବାକୁ ପଛାଇବେନି ବିରୋଧୀ ।