ଦାଗୀ ଅଫିସରଙ୍କୁ ଦଣ୍ଡ: ସାଧୁତା ପରୀକ୍ଷାରେ ଫେଲ ୬ ଅସାଧୁ ଅଫିସରଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ

714

କନକ ବ୍ୟୁରୋ: ଅପରେସନ ବ୍ଲାକ ଆଉଟକୁ ଗୁରୁତର ସହ ନେଇଛି ଶକ୍ତି ବିଭାଗ । ଦୁର୍ନୀତିଖୋର ବିଜୁଳି ବାବୁଙ୍କ ଅସଲ ମୁଖା ଖୋଲିଦେବା ପରେ ସାମ୍ନାକୁ ଆସିଛି ଅସାଧୁ ସରକାରୀ କର୍ମଚାରୀଙ୍କ କଳା କାରନାମା । ପଇସା ପାଇଁ ପାୱାର କଟ୍ ଭିଡିଓ ପ୍ରସାରଣ ପରେ ବିଦ୍ୟୁତ ବିଭାଗର ୬ ଜଣ ଅସାଧୁ ଅଧିକାରୀଙ୍କୁ ସସ୍ପେଣ୍ଡ କରାଯାଇଛି ।

ତେବେ ଦିନ ତମାମ ଅସାଧୁ ଅଫିସରଙ୍କ ବାବଦରେ ଖବର ପ୍ରସାରଣ ହେବା ପରେ ଶକ୍ତିମନ୍ତ୍ରୀଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଥିଲା । ଗୃହ ଚାଲିଥିବାରୁ ଶକ୍ତିମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରୁନଥିଲା ମାତ୍ର ଗୃହକାର୍ଯ୍ୟ ସରିବା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଯେଉଁମାନଙ୍କ ନାଁରେ ଅଭିଯୋଗ ଆସିଛି ସେମାନଙ୍କୁ ସସପେଣ୍ଡ କରାଯାଇଛି । ଆଉ ସେମାନଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଉକ୍ତ ୬ ଜଣ ଅଫିସରଙ୍କୁ ଫୌଜଦାରୀ ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।

କନକ ନ୍ୟୁଜର ଅପରେସନ ବ୍ଲାକ ଆଉଟ ସାରା ଓଡିଶାରେ ଚହଳ ସୃଷ୍ଟି କରିଥିଲା । ଦୁର୍ନୀତିରେ ବୁଡିଥିବା ବିଜୁଳି ବାବୁଙ୍କ ବିରୋଧରେ ସତ ଦେଖାଇବା ପରେ ସମସ୍ତଙ୍କୁ ଶାସ୍ତି ଦେଇଥିଲା ଶକ୍ତି ବିଭାଗ । ଅପରେସନ୍ ବ୍ଲାକ୍ଆଉଟ୍ ପ୍ରଭାବରେ ନିଲମ୍ବିତ ହୋଇଛନ୍ତି ବିଦ୍ୟୁତ ବିଭାଗର ୬ ଜଣ ଅଧିକାରୀ । ପଇସା ପାଇଁ ପାୱାର କଟ୍ କରିବାକୁ ପ୍ରସ୍ତୁତ ଥିବା ଖୋର୍ଦ୍ଧା ଇଲେକ୍ଟ୍ରିକାଲ୍ ଡିଭିଜନର ଜୁନିୟର ଇଂଜିନିୟର ଅଭିମନ୍ୟୁ ଜେନା ନିଲମ୍ବିତ ହୋଇଛନ୍ତି । ସେହିପରି ଭୁବନେଶ୍ୱର ଭିଏସଏସ ନଗର ସବଡିଭିଜନର ଜେଇ ସୁବ୍ରତ ଦାସ ନିଲମ୍ବିତ । ବରମୁଣ୍ଡା ଜେଇ ସୁବ୍ରତ ମିଶ୍ରଙ୍କୁ ବି ଚାକିରିରୁ ନିଲମ୍ବନ କରାଯାଇଛି । ଜଟଣୀ ଇଲେକ୍ଟ୍ରିକାଲ ଜୁନିୟର ଇଂଜିନିୟର ସୁବ୍ରତ ତ୍ରିପାଠୀ ନିଲମ୍ବିତ । ନବରଙ୍ଗପୁର ନିର୍ବାହୀ ଯନ୍ତ୍ରୀ ଭଗବାନ ପ୍ରଧାନ ନିଲମ୍ବିତ । ରାୟଗଡ଼ା ଗୁଣପୁର ସବଡିଭିଜନର ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ  ଜଗନ୍ନାଥପ୍ରସାଦ ନନ୍ଦ ମଧ୍ୟ ନିଲମ୍ବିତ ।

ତେବେ ଏମାନଙ୍କ ବିରୋଧରେ ଏତଲା ଦାୟର କରିବାକୁ ସେସୁ ଓ ସାଉଥ୍କୋକୁ ଚିଠି ଲେଖିଛନ୍ତି ଶକ୍ତି ସଚିବ । ଅପରେସନ୍ ବ୍ଲାକ୍ ଆଉଟ୍ ଭିଡିଓରେ ଏହି ଅସାଧୁ ଅଫିସରମାନେ ଇନ୍ଭଟର କଂପାନୀର ବ୍ୟବସାୟକୁ ବୃଦ୍ଧି କରିବାକୁ ଡିଲ୍ କରୁଛନ୍ତି । ଏହା ଅପରାଧିକ କାର୍ଯ୍ୟକଳାପ ଭାବେ ବିବେଚନା କରିବାକୁ ଚିଠିରେ ଦର୍ଶାଯାଇଛି ।