ବିଦ୍ୟୁତ୍ ବିଭାଗର ‘ସ୍ୱଚ୍ଛ ସେବକ’: ସବୁ ବିଭାଗରେ ରୁହନ୍ତୁ ଏମିତି ଅଫିସର । ସାଧୁତା ପାଇଁ ଗଙ୍ଗା ଗୌରୀପ୍ରସାଦଙ୍କୁ ସବୁଆଡୁ ଶୁଭେଚ୍ଛା

764

କନକ ବ୍ୟୁରୋ: ସବୁ ସରକାରୀ ଅଫିସର ଅସାଧୁ ନୁହଁନ୍ତି କି ସବୁ ସରକାରୀ ବାବୁ ଦୁର୍ନୀତିରେ ବୁଡି ନାହାନ୍ତି । ନିଜ କ୍ଷମତାର ଅପବ୍ୟବହାର କରି ସବୁ ସରକାରୀ ବାବୁ ସାଧାରଣ ଲୋକଙ୍କୁ ଶୋଷଣ କରୁନାହାନ୍ତି । ସରକାରୀ କଳ ଏବେ ଦୁର୍ନୀତିରେ ଉବୁଟୁବୁ ହେଉଥିବା ବିରୋଧୀ ବାରମ୍ବାର ଅଭିଯୋଗ କରୁଥିବା ବେଳେ ସାମ୍ନାକୁ ଆସିଛନ୍ତି ଜଣେ ସାଧୁ ସରକାରୀ ଅଫିସର । ଟଙ୍କା ପାଇଁ ବିକ୍ରି ନହୋଇ ସେ ଅସାଧୁ ଅଫିସରଙ୍କ ଉଦାହରଣ ସୃଷ୍ଟି କରିଛନ୍ତି ।
ତେବେ କନକ ନ୍ୟୁଜ ପକ୍ଷରୁ କରାଯାଇଥିବା ଅପରେସନ ବ୍ଲାକ ଆଉଟ ସାଧୁତା ପରୀକ୍ଷାରେ ପାସ୍ ହୋଇଛନ୍ତି ପାରଳାଖେମୁଣ୍ଡି ନିର୍ବାହୀ ଯନ୍ତ୍ରୀ ଗଙ୍ଗା ଗୌରୀପ୍ରସାଦ ପଟ୍ଟନାୟକ । ସାରା ଓଡିଶାର ବିଦ୍ୟୁତ ବିଭାଗ ଏକ ପ୍ରକାର ଦୁର୍ନୀତିରେ ବୁଡିଥିବା ବେଳେ ପଙ୍କରେ ପଦ୍ମ ଭଳି ଫୁଟିଛନ୍ତି ପାରଳାଖେମୁଣ୍ଡି ନିର୍ବାହୀ ଯନ୍ତ୍ରୀ । ଆଉ ନିଜ ସଚ୍ଚୋଟତା ପାଇଁ ଗଙ୍ଗା ଭଳି ସ୍ୱଚ୍ଛ ହୋଇଛନ୍ତି ଗଙ୍ଗାଗୌରୀ ।

ଟଙ୍କା ନେଇ ଇନଭଟର କମ୍ପାନୀ ପାଖରେ ବିଭିନ୍ନ ସ୍ଥାନର ୬ ବିଜୁଳି ବାବୁ ବିକ୍ରି ହୋଇଯାଇଥିବା ବେଳେ ଟଙ୍କା ନେଇ ଲୋକଙ୍କୁ ଅନ୍ଧାରରେ ରଖିବାକୁ ସିଧାସିଧା ମନା କରିଦେଇଥିଲେ ଗଙ୍ଗାଗୌରୀ । ସେ ଲୋକଙ୍କୁ ନିଜ ପାରୁ ପର୍ଯ୍ୟନ୍ତ ସେବା ଯୋଗାଇ ଦେବାକୁ କହିଥିଲେ । ଆଉ ଅପରେସନ କରୁଥିବା ୨ ସାମ୍ବାଦିକଙ୍କୁ ଫେରାଇ ଦେଇଥିଲେ ।
କନକ ନ୍ୟୁଜରେ ଗଙ୍ଗାଗୌରୀପ୍ରସାଦଙ୍କ ସଚ୍ଚୋଟତା କଥା ପ୍ରସାରଣ ପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ପୂରା ପାରଳାଖେମୁଣ୍ଡି ସବଡିଭିଜନ ପାଇଁ ଗଙ୍ଗାଗୌରୀ ଗର୍ବ ଓ ଗୌରବ ପାଲଟିଥିବାରୁ ତାଙ୍କ ଅଧିନରେ ଥିବା ଜେଇମାନେ କିଛି ଶିଖନ୍ତୁ ବୋଲି ସାଧାରଣ ଲୋକେ ପ୍ରତିକ୍ରିୟା ରଖିଛନ୍ତି ।

ସେପଟେ ସବୁ ଅଫିସର ସମାନ ନୁହଁନ୍ତି କି ଲାଞ୍ଚୁଆ ନୁହଁନ୍ତି ବୋଲି ଗଙ୍ଗାଗୌରୀ ମତ ରଖିଛନ୍ତି । ବିଭିନ୍ନ ଅଫିସର ନିଜ ନିଜ ଆଦର୍ଶରେ କାମ କରନ୍ତି । ଆମେ ଲୋକଙ୍କ ସେବା କରିବାକୁ ନିଯୁକ୍ତ ହୋଇଛୁ ତେଣୁ ଲୋକଙ୍କୁ ଶତ ପ୍ରତିଶତ ସେବା ଯୋଗାଇ ଦେବାକୁ ଆମେ ଚେଷ୍ଟା କରିବୁ ବୋଲି ଗଙ୍ଗାଗୌରୀପ୍ରସାଦ କହିଛନ୍ତି ।