ବିଦ୍ୟୁତ୍ ବିଭାଗର ‘ଗର୍ବ ଗୌରବ’ ଗଙ୍ଗା ଗୌରୀପ୍ରସାଦ: ଲାଞ୍ଚ ନେଲେନି କି ଲୋଭର ବଶବର୍ତ୍ତୀ ହେଲେନି । ସାଧୁତା ଦେଖାଇ ସାବାସି ପାଇଲେ ପାରଳାଖେମୁଣ୍ଡି ସବଡିଭିଜନ ନିର୍ବାହୀ ଯନ୍ତ୍ରୀ

940

କନକ ବ୍ୟୁରୋ: ସଚ୍ଚୋଟତାକୁ କବଜା କରିପାରିଲାନି ଲୋଭ । ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠାଭାବ ପାଇଁ ସାବାସି ପାଇଲେ ସଚ୍ଚୋଟ ଅଫିସର । କନକ ନ୍ୟୁଜର ରିୟଲିଟି ଚେକରେ ରିଅଲ ହିରୋ ବନିଛନ୍ତି ଗଙ୍ଗା ଗୌରୀପ୍ରସାଦ ପଟ୍ଟନାୟକ । ପାରଳାଖେମୁଣ୍ଡି ସବଡିଭିଜନର ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଗଙ୍ଗା ଗୌରୀପ୍ରସାଦ ନିଜ ସାଧୁତାର ପରିଚୟ ଦେଇଛନ୍ତି ।

ତେବେ ଅପରେସନ ବ୍ଲାକ ଆଉଟରେ ୬ ଜଣ ଜେଇ ଅସାଧୁ ବାହାରିଥିବା ବେଳେ ଗଙ୍ଗା ଗୌରୀପ୍ରସାଦ ସାଧୁ ପ୍ରମାଣିତ ହୋଇଛନ୍ତି । ଯେଉଁଠି ପଇସା ପାଇଁ ପାୱାର କଟ୍ କରିବାକୁ ରାଜି ହେଇ ଯାଉଛନ୍ତି ବିଦ୍ୟୁତ ବିଭାଗର ଯନ୍ତ୍ରୀ, ସେଇଠି
ବି ଦେଖିବାକୁ ମିଳିଛି ଅଧିକାରୀଙ୍କ ସାଧୁତା । ପାରଳାଖେମୁଣ୍ଡି ସବଡିଭିଜନର ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଗୌରୀପ୍ରସାଦଙ୍କ ନିକଟରେ ରିୟଲିଟି ଚେକ୍ କରିବା ପାଇଁ ଲିକିଂ ଗୁରୁ ସାମ୍ବାଦିକ ପହଁଚିଥିଲେ । ଆଉ ଗଙ୍ଗାଙ୍କୁ ଏକା ଅଫର ଦେଇଥିଲେ, ବିଦ୍ୟୁତ କାଟିଲେ ମାଲାମାଲ କରିଦେବ ଇନଭଟର କଂପାନୀ । ହେଲେ ଏହି ଅଫରକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ପାରଳାଖେମୁଣ୍ଡି ନିର୍ବାହୀ ଯନ୍ତ୍ରୀ ।

ଗଙ୍ଗା ଗୌରୀପ୍ରସାଦ ରୋକଠୋକ ଶୁଣାଇ ଦେଇଥିଲେ, କି ପଇସା ପାଇଁ କେବେ ବି ବିଜୁଳି କାଟି ପାରିବେନି । ଏମିତି ଅଫିସରଙ୍କୁ ଦେଖିବା ପରେ ସରକାରୀ ଅଫିସରେ ଯେ ସାଧୁ ଓ ସଚ୍ଚୋଟ ଅଫିସର ନାହାନ୍ତି, ଏକଥା କହିବା ଭୁଲ ହୋଇଯିବ । ଏବେ ବି ନିଜ କର୍ତବ୍ୟ ଓ ନିଜ ଦାୟିତ୍ୱ ପ୍ରତି ଖୁବ ସଚେତନ ରହିଛନ୍ତି ଅନେକ ଅଧିକାରୀ । ହେଲେ କିଛି ଅସାଧୁ ଅଫିସରଙ୍କ ପାଇଁ କଳଙ୍କିତ ହୋଇପଡିଛି ବିଦ୍ୟୁତ ବିଭାଗ ।

ବିଦ୍ୟୁତ ବିଭାଗରେ ଚାଲିଛି କ’ଣ । ଏ ନେଇ ହୋଇଥିଲା ରିୟଲିଟି ଚେକ୍ । ଅନ୍ୟ କୌଣସି ଉଦ୍ଦେଶ୍ୟ ନଥିଲା, କେବଳ ଲୋକଙ୍କ ପାଖରେ ସତ ପହଁଚାଇବା ଥିଲା ଉଦ୍ଦେଶ୍ୟ । ସରକାର ୫-ଟି ଜରିଆରେ ପ୍ରଶାସନରେ ସ୍ୱଚ୍ଛତା ଆଣିବାକୁ ଉଦ୍ୟମ କରୁଥିବା ବେଳେ ବାସ୍ତବରେ ଗ୍ରାଉଣ୍ଡ ସ୍ଥିତି କ’ଣ, ଜଣାଇବାକୁ ପ୍ରୟାସ କରାଯାଇଛି । ଦୁର୍ନୀତି କିଭଳି ପତ୍ର ଡାଳ ଦେଇ ଚେର ପର୍ଯ୍ୟନ୍ତ ମାଡିଯାଇଛି, ତାହା ଜଣାଇବା ଥିଲା ପ୍ରକୃତ ଉଦ୍ଦେଶ୍ୟ । ବିଦ୍ୟୁତ ବିଭାଗର ସବୁ ଅଧିକାରୀ ଯେ ଦୁର୍ନୀତିଗସ୍ତ ନୁହଁନ୍ତି, ତାହା ମଧ୍ୟ ରିୟଲିଟି ଚେକ୍ ବେଳେ ସାମନାକୁ ଆସିଥିଲା । ଆଉ ପଙ୍କ ଭିତରେ ପଦ୍ମ ଭଳି ଫୁଟିଛନ୍ତି ଗଙ୍ଗା ଗୌରୀପ୍ରସାଦ ।