କନକ ବ୍ୟୁରୋ : ଗତବର୍ଷର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ଉପବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ବର୍ଷର ଆଇପିଏଲ୍ ଉଦ୍ଘାଟନୀ ମୁକାବିଲାରେ ଅବତୀର୍ଣ୍ଣ ହେବେ । ଆଇପିଏଲ୍ର ତ୍ରୟୋଦଶ ସଂସ୍କରଣ ଆସନ୍ତା ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିଲା ବେଳେ ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ । ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଦିନିକିଆ ଶୃଙ୍ଖଳା ଶେଷ ହେବାର ୧୧ ଦିନ ପରେ ହିଁ ଆଇପିଏଲ୍ର ଶୁଭାରମ୍ଭ ହେବ । ଭାରତୀୟ ଦଳ ମାର୍ଚ୍ଚ ୧୮ ତାରିଖରେ କୋଲ୍କାତାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଦିନିକିଆ ଖେଳିବ । ମାର୍ଚ୍ଚ ୨୯ରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍ର ଫାଇନାଲ୍ ମେ’ ୨୪ ତାରିଖରେ ଖେଳାଯିବ ।
ଏଥର ଆଇପିଏଲ୍ ପାଇଁ ଲିଗ୍ ପର୍ଯ୍ୟାୟର ସୂଚୀ ଘୋଷଣା ହୋଇଥିଲା ବେଳେ ନକ୍ଆଉଟ୍ ସୂଚୀ ପରେ ଘୋଷଣା ହେବ ବୋଲି କୁହାଯାଇଛି । ତେବେ ଲିଗ୍ ପର୍ଯ୍ୟାୟରେ ଉଦ୍ଘାଟନୀ ମୁକାବିଲାକୁ ବାଦ୍ ଦେଇ ଅନ୍ୟ ସମସ୍ତ ରବିବାରଗୁଡ଼ିକରେ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳାଯିବ । ଶେଷ ଲିଗ୍ ମ୍ୟାଚ୍ ମେ’ ୧୭ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ବେଙ୍ଗାଲୁରୁରେ ଖେଳାଯିବ । ଲିଗ୍ ପର୍ଯ୍ୟାୟରେ ମୋଟ ୫୬ ମ୍ୟାଚ୍ ଖେଳାଯିବ । ରାଜସ୍ଥାନ ରୟାଲ୍ସ ବ୍ୟତୀତ ଅନ୍ୟ ୭ ଫ୍ରାଞ୍ଚାଇଜ୍ ସେମାନଙ୍କ ଘରୋଇ ପଡ଼ିଆକୁ ଅପରିବର୍ତିତ ରଖିଥିବା ଆୟୋଜକଙ୍କ ସୂତ୍ରରୁ ପ୍ରକାଶ ।