‘ଅପରେସନ ବ୍ଲାକଆଉଟ୍’ ପରେ ଆକ୍ସନ: କନକ ନ୍ୟୁଜରେ ଖବର ପ୍ରସାରଣ ପରେ ସେସୁ ଓ ସାଉଥକୋ ସବଡିଭିଜନର ଦୁର୍ନୀତିଖୋର୍ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ତୁରନ୍ତ ନିଲମ୍ବନ ଏବଂ ସେମାନଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଲେ ଶକ୍ତି ସଚିବ

507

କନକ ବ୍ୟୁରୋ: ଅପରେସନ ବ୍ଲାକଆଉଟ୍ ପରେ ବଡ ଆକ୍ସନ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଆକ୍ସନ ମୋଡରେ ଶକ୍ତି ବିଭାଗ । ଏନେଇ ସମସ୍ତ ବିଦ୍ୟୁତ ବିଭାଗର ଅଧିକାରୀଙ୍କ ନିକଟକୁ ଚିଠି ଲେଖିଲେ ଶକ୍ତି  ବିଭାଗ ସଚିବ ବିଷ୍ଣୁପଦ ସେଠୀ । ଉଭୟ ସେସୁ ଓ ସାଉଥକୋସବ-ଡିଭିଜନର ଦୁର୍ନୀତିଖୋର ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ତୁରନ୍ତ ନିଲମ୍ବନ ଏବଂ ସେମାନଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଶକ୍ତି ବିଭାଗ ସଚିବ । ଏପରିକି ଦୁର୍ନୀତିଖୋର୍ ଅଫିସରଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ ।

 

ତେବେ ଲାଞ୍ଚ ନେଇ ପାୱାରକଟ କରୁଥିବା ସରକାରୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ସେସୁର ସିଇଓ ଅରୁଣ ବୋଥ୍ରା ଦୁର୍ନୀତିଖୋର ଅଫିସରଙ୍କ ବାବଦରେ ସମସ୍ତ ତଥ୍ୟ ଶକ୍ତି ସଚିବଙ୍କୁ ଦେଇଥିଲେ । ପଇସା ପାଇଁ ଜେଇ ମାନେ ପାୱାରକଟ୍ କରୁଥିବା ଶକ୍ତି ସଚିବଙ୍କୁ ଜଣାଇଥିଲେ ସେସୁ ସିଇଓ । ଯାହା ଫଳରେ ଅଭିଯୋଗ ଆସିଥିବା ୬ ଜଣ ଜେଇଙ୍କୁ ନିଲମ୍ବିତ କରାଯାଇଛି । ତେବେ ଶକ୍ତି ବିଭାଗରୁ ଦୁର୍ନୀତିକୁ ସମ୍ପୂର୍ଣ୍ଣ ମୂଳତ୍ପାଟନ କରିବାକୁ ସବୁ ପ୍ରକାର ପଦକ୍ଷେପ ନିଆଯିବ ବୋଲି ଶକ୍ତି ସଚିବ କହିଛନ୍ତି । ଖୋର୍ଦ୍ଧା, ଭିଏସଏସ ନଗର,ବରମୁଣ୍ଡା, ଜଟଣୀ, ଗୁଣୁପୁର ଓ ନବରଙ୍ଗପୁର ସବଡିଭିଜନର ଜେଇଙ୍କ ଦୁର୍ନୀତିର ମୁଖା ଖୋଲିଥିଲା କନକ ନ୍ୟୁଜ । ଏହି ୬ ଜଣ ଜେଇ ପଇସା ନେଇ ପାୱାରକଟ୍ କରି ପୂରା ସହରକୁ ଅନ୍ଧାର କରୁଥିବାର ଭିଡିଓ କନକ ନ୍ୟୁଜର କ୍ୟାମେରାରେ କଏଦ ହୋଇଛି ।

ଅପରେସନ୍ ବ୍ଲାକଆଉଟ୍ । ସାଧୁତାର ସବୁଠୁ ବଡ଼ ପରୀକ୍ଷା । ସାମ୍ନାକୁ ଆସିଲା ସାଂଘାତିକ ସତ । ଏହା ଏମିତି ଏକ ସତ, ଯାହା ଆଜି ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଛି । ଏହା ଏମିତି ଏକ ସତ, ଯାହା ସାଢ଼େ ୪ କୋଟି ଓଡିଆଙ୍କ ନିଦ ହଜାଇ ଦେଇଛି । ଏହା ଏମିତି ଏକ ସତ, ପୂରା ବ୍ୟବସ୍ଥା ଉପରେ ପୁଳା ପୁଳା ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି । କିପରି ଆପଣଙ୍କ ଦୈନନ୍ଦିନ ଜୀବନ ସହ ଷଡ଼ଯନ୍ତ୍ର ଚାଲିଛି, ତା’ର ପର୍ଦ୍ଦାଫାଶ କରିଛି କନକ ନ୍ୟୁଜ୍ । ପଇସା ପାଇଁ କେମିତି ହେଉଛି ପାୱାର କଟ୍, ଲୋକଙ୍କ ଆଖିରେ ଆଙ୍ଗୁଠି ଗେଂଜି କିପରି ଇଲେକ୍ଟ୍ରି ଅଫିସର ଜେଇ ମାଲାମାଲ ହେଉଛନ୍ତି, ତା’ର ପ୍ରମାଣ ମିଳିଛି । ଲିକିଂ ଗୁରୁ ଡଟ୍ କମର ଦୁଇ ଜଣ ସାମ୍ବାଦିକ ଅଣ୍ଡ କଭର ଏଜେଂଟ ସାଜି ରାଜ୍ୟ ସାରା ବୁଲି ଏହି ସାଂଘାତିକ ସତ ସାମ୍ନାକୁ ଆଣିଛନ୍ତି ।