କାହାକୁ ନାକେଦମ୍ କରି କନ୍ଦାଇଲା ତ ଆଉ କାହା ଆଖିରେ ଆନନ୍ଦ ଅଶ୍ରୁ ଆଣିଦେଲା ପିଆଜ : ଚାଷୀଙ୍କୁ କୋଟିପତି ବନାଇଦେଲା ପିଆଜ 

721

ପିଆଜ କାହା ପାଇଁ ଦୁଃଖ ତ କାହା ପାଇଁ ଖୁସି । ପିଆଜ ଦର କମିବ, ଏ ନେଇ ଆଶା ଛାଡି ଦେଲେଣି ଗ୍ରାହକ । ପିଆଜ ଦରକୁ ନେଇ ସାରା ଦେଶରେ ହାହାକାର ଲାଗି ରହିଥିବାବେଳେ ପିଆଜ ଦରବୃଦ୍ଧି ଜଣେ ଚାଷୀଙ୍କ ପାଇଁ ବରଦାନ ପାଲଟିଛି । ଯେଉଁଠି ପିଆଜକୁ ନେଇ ଚାଷୀ ଲୁହ ଗଡାଉଛନ୍ତି , ସେଠି କର୍ଣ୍ଣାଟକର ଜଣେ ଚାଷୀଙ୍କ ଆଖିରେ ଏହି ପିଆଜ ଆଣିଦେଇଛି ଖୁସିର ଲୁହ । 

କର୍ଣ୍ଣାଟକର ୪୨ ବର୍ଷର ଚାଷୀ ମଲ୍ଲିକାର୍ଜୁନ,ଚଳିତ ବର୍ଷ ଅନେକ ଧାର କରଜ କରି ସେ ପିଆଜ ଚାଷ ଆରମ୍ଭ କରିଥିଲେ । ଦେଶରେ ବର୍ତ୍ତମାନ ପିଆଜ ୧୦୦ ରୁ ୨୦୦ ଟଙ୍କାରେ ବିକ୍ରି କରାଯାଉଛି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମଲ୍ଲିକାର୍ଜୁନ ଧାର କରଜ କରି ପିଆଜ ଚାଷ କରିଥିଲେ । କ୍ଷେତରେ ପାଖାପାଖି ୨୪୦ ଟନ୍ ବା ୨୦ ଟ୍ରକର ପିଆଜ ଉତ୍ପାଦନ କରି ବିକ୍ରି କରିଥିଲେ । ତାଙ୍କର ଆଶା ଥିଲା କି ଯଦି ଚାଷ ଭଲ ହୁଏ, ତାହାଲେ ତାଙ୍କୁ ପାଖାପାଖି ୫-୧୦ ଲକ୍ଷ ଟଙ୍କାର ଲାଭ ହେବ । ସେ ସମସ୍ତ ଧାର କରଜ ସୁଝିପାରିବେ । ତାଙ୍କର ଏହି ସ୍ୱପ୍ନ ସତରେ ପରିଣତ ହୋଇଛି ।  ଚାଷରୁ ତାଙ୍କୁ କୋଟିଏ ଟଙ୍କାର ଲାଭ ହୋଇଛି । ଏଭଳି ସ୍ଥିତିରେ ପିଆଜ ଦର ଆକାଶ ଛୁଆଁ । ଯାହା ତାଙ୍କ ପାଇଁ ଆଣିଦେଇଥିଲା ସୁବର୍ଣ୍ଣ ସୁଯୋଗ ।

ପିଆଜର ଦରବୃଦ୍ଧି ଫଳରେ ସେ ବଜାରରେ ଭଲ ଦରରେ ପିଆଜ ବିକ୍ରି କରି ଲାଭବାନ ହୋଇପାରିଛନ୍ତି । ସେ ବହୁତ ଖୁସି ଅଛନ୍ତି । ମଲ୍ଲିକାର୍ଜୁନ ପିଆଜ କ୍ଷେତରେ ୧୫ ଲକ୍ଷ ଟଙ୍କା ନିବେଶ କରିଥିଲେ । ମୂଳ ଅନୁପାତରେ ତାଙ୍କୁ ଅଧିକ ଲାଭ ମିଳିଛି । ସେହି ଖୁସିରେ ସେ ଚାଷ ଜମିକୁ ବୃଦ୍ଧି କରିବା ପାଇଁ ଲାଗିପଡିଛନ୍ତି । କେବଳ ସେତିକି ନୁହେଁ ପୁରା ଅଞ୍ଚଳରେ ମଲ୍ଲିକାର୍ଜୁନ ଜଣେ ସଫଳ ଚାଷୀ ଭାବରେ ପରିଗଣିତ । ଲୋକଙ୍କ ଆଦର୍ଶ ପାଲଟିଛନ୍ତି ସେ । ଛୋଟ ବଡ ଚାଷୀ ମଲ୍ଲିକାର୍ଜୁନଙ୍କ ଠାରୁ ଚାଷ ସମ୍ପର୍କରେ ଟିପ୍ସ ନେଉଛନ୍ତି । ନିଜର କଠିନ ପରିଶ୍ରମ ତାଙ୍କୁ ଜଣେ ସଫଳ ଚାଷୀ ଭାବରେ ପରିଚିତ କରାଇ ପାରିଛି ।

Comments are closed.