ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ପିଜି ପାଠ୍ୟକ୍ରମ ପାଇଁ ହେବ ଏକକ ପ୍ରବେଶିକା ପରୀକ୍ଷା, ଜୁନ୍ ୧୫ ସୁଦ୍ଧା ବାହାରିବ ଯୁକ୍ତ ୩ ପରୀକ୍ଷାଫଳ । 

1,587

କନକ ବ୍ୟୁରୋ : ସମଗ୍ର ରାଜ୍ୟରେ ପିଜି ପାଠ୍ୟକ୍ରମ ଲାଗି ହେବ ଏକକ ପ୍ରବେଶିକା ପରୀକ୍ଷା । ଗୋଟିଏ ପ୍ରବେଶିକା ପରୀକ୍ଷା ଦେଇ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇପାରିବେ ଛାତ୍ରଛାତ୍ରୀ । ପିଜି ପାଠ ପଢିବା ପାଇଁ ବାରମ୍ବାର ବିଶ୍ୱବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ବୁଲି ଛାତ୍ରଛାତ୍ରୀଙ୍କୁ ଆଉ ପରୀକ୍ଷା ଦେବାକୁ ପଡିବନି । ଏନେଇ କୁଳପତି ସମ୍ମିଳନୀରେ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ।

ପୂର୍ବରୁ ବିଶ୍ୱବିଦ୍ୟାଳୟରେ ପିଜି ପାଠ୍ୟକ୍ରମ ପଢିବା ପାଇଁ ଭିନ୍ନ ଭିନ୍ନ ପ୍ରବେଶିକା ପରୀକ୍ଷା ଦେବାକୁ ପଡୁଥିଲା । ଯେଉଁଥିପାଇଁ ଛାତ୍ରଛାତ୍ରୀ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ । କିନ୍ତୁ ଏଣିକି ଛାତ୍ରଛାତ୍ରୀଙ୍କୁ ପିଜି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଗୋଟିଏ ମାତ୍ର ପ୍ରବେଶିକା ପରୀକ୍ଷା ଦେବାକୁ ପଡିବ । ଆଉ ମେରିଟ ଲିଷ୍ଟ ଅନୁଯାୟୀ, ଛାତ୍ରଛାତ୍ରୀ ମାନେ ମନପସନ୍ଦର ବିଶ୍ୱବିଦ୍ୟାଳୟରେ ନାମ ଲେଖାଇପାରିବେ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଅତ୍ୟଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ । ଆସନ୍ତା ୨୦୨୦-୨୧ ଶିକ୍ଷାବର୍ଷରୁ ଏହାକୁ ଲାଗୁ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଥିବା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଏପରିକି ଅନଲାଇନରେ ଏହି ପ୍ରବେଶିକା ପରୀକ୍ଷା ହୋଇପାରେ ବୋଲି ସୂଚନା ମିଳିଛି ।

ଏହାଛଡା ଯୁକ୍ତ ୩ ପରୀକ୍ଷା ଫଳ ଜୁନ୍ ୧୫ ସୁଦ୍ଧା ପ୍ରକାଶ କରିବାକୁ କୁଳପତି ମାନଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପରୀକ୍ଷା ସମୟ ଓ ପରୀକ୍ଷା ଫଳ କିଭଳି ଠିକ୍ ସମୟରେ ପ୍ରକାଶ ପାଇବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । କେବେ ପରୀକ୍ଷା ହେବ ଓ କେବେ ପରୀକ୍ଷା ଫଳ ପ୍ରକାଶ ପାଇବ ସେନେଇ ଛାତ୍ରଛାତ୍ରୀଙ୍କୁ ଆଗୁଆ ଜଣାଇ ଦିଆଯିବ । ଯାହାଫଳରେ ଛାତ୍ରଛାତ୍ରୀମାନେ ଆଗୁଆ ପ୍ରସ୍ତୁତି କରିପାରିବେ ।