ଲୋକାର୍ପିତ ହେଲା ଗୁଜୁରାଟର ସର୍ଦ୍ଦାର ସରୋବର ଡ୍ୟାମ୍ ! ଜନ୍ମ ଦିନରେ ଡ୍ୟାମକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ

38

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ୬୭ ତମ ଜନ୍ମ ଦିନ । ନିଜ ଜନ୍ମଦିନକୁ ଗୁଜୁରାଟରେ ପାଳନ କରିବେ ପ୍ରଧାନମନ୍ତ୍ରୀ । ମା ହୀରାବେନଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ନରେନ୍ଦ୍ର ମୋଦି । ଦେଶ ବିଦେଶରୁ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଛୁଟିଆସୁଛି । ଦେଶର ବିଭିନ୍ନ ସ୍ଥାନରେ ଧୁମଧାମରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନକୁ ପାଳନ କରାଯାଉଛି । ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗୁଜରାଟରେ ଜନ୍ମିତ ନରେନ୍ଦ୍ର ମୋଦି ଏବେ ଭାରତର ୧୪ ତମ ପ୍ରଧାନମନ୍ତ୍ରୀ ।

ସୂଚନା ମୁତାବକ, ନିଜ ଜନ୍ମ ଦିନରେ ଗୁଜୁରାଟର ଲାଇଭ୍ ଲାଇନ୍ କୁହାଯାଉଥିବା-ସର୍ଦ୍ଦାର ସରୋବର ଡ୍ୟାମକୁ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ । ନର୍ମଦା ଜିଲ୍ଲାର କେବଡିଆ ସ୍ଥିତ ସର୍ଦ୍ଦାର ସରୋବର ନର୍ମଦା ଡ୍ୟାମକୁ ଲୋକାର୍ପଣ କରିବା ପରେ ଏକ ରାଲିକୁ ସମ୍ବୋନ୍ଧିତ କରିଛନ୍ତି । ନଦୀବନ୍ଧରେ ନର୍ମଦା ନଦୀର ପୂଜାର୍ଚ୍ଚନା କରିବା ପରେ ଏହି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ମୋଦି । ବିଶ୍ୱର ଦ୍ୱିତୀୟ ସର୍ବ ବୃହତମ ସର୍ଦ୍ଦାର ସରୋବର ବନ୍ଧର ୩୦ଟିଡ୍ୟାମ ଖୋଲି ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଡ୍ୟାମ୍ କାର୍ୟ୍ୟକ୍ଷମ ହେଲେ ଗୁଜୁରାଟରେ ଜଳସଂକଟ ବହୁମାତ୍ରରେ ଦୂର ହେବ । ଏହି ଡ୍ୟାମରୁ ଗୁଜୁରାଟର ପ୍ରାୟ ୪୭ ଲକ୍ଷ ଚାଷ ଜମିକୁ ଜଳସେଚନ ହେବ ।

ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁଙ୍କ ସମୟରେ ଶିଳାନ୍ୟାସ ହୋଇଥିବା ଏହି ଡ୍ୟାମର ନିର୍ମାଣ କାମ କରିବାକୁ ୫୬ ବର୍ଷ ଲାଗିଯାଇଛି । ଆଉ ଆଜି ଏହି ଡ୍ୟାମକୁ ଲୋକଙ୍କ ଉର୍ଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସର୍ଦ୍ଦାର ସରୋବର ଡ୍ୟାମର ଉଦଘାଟନୀ ପରେ ପ୍ରଧାନମନ୍ତ୍ରୀ ମୋଦି ସେଧୁ ବେଟ୍ ଟାପୁ ପରିଦର୍ଶନ ପାଇଁ ଯାଇଛନ୍ତି । ଯେଉଁଠି ଷ୍ଟେଚ୍ୟୁ ଅପ୍ ୟୁନିଟି ନାଁରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୁର୍ତ୍ତୀ ଓ ସ୍ମାରକୀ ନିର୍ମାଣ ଚାଲିଛି । ଏହାପରେ ପ୍ରଧାନମନ୍ତ୍ରୀ ନର୍ମଦା ମହୋତ୍ସବ ସମାପନ କାର୍ୟ୍ୟକ୍ରମରେ ସାମିଲ ହୋଇଛନ୍ତି । ସେଠାରେ ନେସନାଲ ଫ୍ରିଡମ ଫାଇଟର୍ସ ମ୍ୟୁଜିୟମର ଶିଳାନ୍ୟାସ କରିଛନ୍ତି । ଅପରାହ୍ନ ୨ଟା ପରେ ଅମରେଲି ଯାଇ ସେଠାରେ ନୂଆ ମାର୍କେଟ ୟାର୍ଡର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।

ସର୍ଦ୍ଦାର ସରୋବର ବନ୍ଧ ସଂପର୍କରେ କିଛି ତଥ୍ୟ 

• ସର୍ଦ୍ଦାର ସରୋବର ବନ୍ଧ ପ୍ରକଳ୍ପ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ୧୯୬୧ ମସିହା ଅପ୍ରେଲ ୫ ତାରିଖରେ ଶିଳାନ୍ୟାସ କରିଥିଲେ । ସର୍ଦ୍ଦାର ସରୋବର ଡ୍ୟାମ ନର୍ମଦା ନଦୀ ଉପରେ ୮ଶହ ମିଟର ଉଚ୍ଚତାରେ ନିର୍ମିତ ହୋଇଛି ।

• ଏହି ନଦୀ ବନ୍ଧର ୩୦ ଟି ଦ୍ୱାର ରହିଛି । ଏହାର ପ୍ରତିଟି ଦ୍ୱାରର ଓଜନ ୪୫୦ ଟନ । ପ୍ରତି ଦ୍ୱାରକୁ ବନ୍ଦ କରିବା ପାଇଁ ଏକ ଘଂଟା ସମୟ ନେଇଥାଏ ।

• ସର୍ଦ୍ଦାର ସୋବର ବନ୍ଧ ୪.୩୭ ମିଲିୟନ କ୍ୟୁବିକ ଜଳ ଧାରଣ କରିବା କ୍ଷମତା ରହିଛି ।

• ଏହି ନଦୀବନ୍ଧ ନିର୍ମାଣକୁ ନେଇ ୧୯୮୫ ମସିହାରେ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଥିଲା । ସାମାଜିକ କର୍ମୀ ମେଧାପାଟେକରଙ୍କ ନେତୃତ୍ୱରେ ବନ୍ଧ ନିର୍ମାଣକୁ ରୋକିବାକୁ ଉଦ୍ୟମ କରାଯାଇଥିଲା ।

• ସର୍ଦ୍ଦାର ସରୋବର ବନ୍ଧର ଉଚ୍ଚତା ୧୩୮ ମିଟର ।

• ଏହା ଦେଶର ସବୁଠୁ ଉଚ୍ଚ ନଦୀ ବନ୍ଧ ନର୍ମଦା ପ୍ରାଧିକରଣ ଚଳିତ ବର୍ଷ ଜୁନ ୧୭ ତାରିଖରେ ଏହି ନଦୀ ବନ୍ଧର ୩୦ଟି ଗେଟକୁ ବନଦ କରିଥିଲେ, ଯାହା ଆଜି ଯାଏଁ ବନ୍ଦ ରହିଛି ।