ଜଗା ଟଙ୍କା ଭଳି ଓଏମସି ମଧ୍ୟ ୟେସ୍ ବ୍ୟାଙ୍କରେ ରଖିଥିଲା ବିପୁଳ ଟଙ୍କା । ବିଷ୍ଣୁ ସେଠୀଙ୍କ ଅଭିଯୋଗ, ୬୫୦ କୋଟି ଜମା ରଖିଛି ଓଏମସି, ନରସିଂହ କହିଲେ, ସରକାରୀ ଅନୁଷ୍ଠାନ ଜମା କରିଛନ୍ତି ୩ ହଜାର କୋଟି ।

230

କନକ ବ୍ୟୁରୋ : କେବଳ ଜଗନ୍ନାଥଙ୍କ ଟଙ୍କା ନୁହେଁ, ଯଦି ବିରୋଧୀଙ୍କ ଅଭିଯୋଗ ସତ ହୁଏ, ତେବେ ଓଏମସିର ମଧ୍ୟ ୬୫୦ କୋଟି ଟଙ୍କା ବୁଡିଯାଇପାରେ । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଅଭିଯୋଗ କରିଛନ୍ତି, ଓଏମସି ୬୫୦ କୋଟି ଟଙ୍କା ଗତ ବର୍ଷ ଏପ୍ରିଲ ମାସରେ ଜମା କରିଛି । ସେପଟେ ନରସିଂହ ମିଶ୍ର କହିଛନ୍ତି, ଓଡିଶା ସରକାରଙ୍କ ବିଭିନ୍ନ ବିଭାଗ ୟେସ୍ ବ୍ୟାଙ୍କରେ ୩ ହଜାର କୋଟି ଟଙ୍କା ଜମା କରିିଛନ୍ତି ।

ସରକାରଙ୍କ ୟେସ୍ ବ୍ୟାଙ୍କ ପ୍ରୀତି । ଓଏମସିର ରହିଛି ୬୫୦ କୋଟି ? କେବଳ ଜଗନ୍ନାଥଙ୍କ ଟଙ୍କା ନୁହେଁ ୟେସ୍ ବ୍ୟାଙ୍କରେ ରାଜ୍ୟ ସରକାରଙ୍କର ଫସିଛି କୋଟି କୋଟି ଟଙ୍କା । ଦେବାଳିଆ ହୋଇ ପଡିଥିବା ଏହି ବ୍ୟାଙ୍କରେ ଓଡ଼ିଶା ଖଣି ନିଗମର ରହିଛି ୬୫୦ କୋଟି ଟଙ୍କା । ଆଜି ବିଧାନସଭାରେ ଏଭଳି ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ଦଳର ଉପନେତା ବିଷ୍ଣୁ ସେଠୀ । ଗତବର୍ଷ ଏପ୍ରିଲ ମାସରେ ଓଏମସି ଏତେ ପରିମାଣର ଟଙ୍କା ଜମା ହୋଇଥିବା ସୂଚନା ମିଳିଛି । ଆଉ ସବୁଠାରୁ ବଡ଼ କଥା ହେଉଛି ଯେତେବେଳେ ୟେସ୍ ବ୍ୟାଙ୍କ ଦେବାଳିଆ ସ୍ଥିତି ଆଡକୁ ମୁହାଁଉଥିଲା, ସେତିକି ବେଳେ ଟଙ୍କା ଜମା କରୁଥିଲା ଓଏମସି ।

ଓଏମସି ସଂକ୍ରାନ୍ତରେ ଅଭିଯୋଗ ନେଇ ଆମେ ସିଧାସଳଖ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା କରିଥିଲୁ, କିନ୍ତୁ ମନ୍ତ୍ରୀ ଏ ବିଷୟରେ କିଛି ବି କହିବାକୁ ଉଚିତ ମଣିନଥିଲେ । ସେପଟେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି, ୟେସ୍ ବ୍ୟାଙ୍କ ଓ ଅନ୍ୟ ଘରୋଇ ବ୍ୟାଙ୍କରେ ରହିଛି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପ୍ରାୟ ୩୦୦୦ କୋଟି ଟଙ୍କା । ଯଦି ବିରୋଧୀଙ୍କ ଅଭିଯୋଗ ସତ ହୋଇଥାଏ ଏବଂ ୟେସ୍ ବ୍ୟାଙ୍କରେ ଆଉ ସୁଧାର ଆସିବା ସମ୍ଭବ ନହୁଏ, ତେବେ ଓଡ଼ିଶା ସରକାର କାଠଗଡ଼ା ଭିତରକୁ ଆସିଯିବେ ।