ଓଡ଼ିଶାର କିନ୍ନର ମେଘନାଙ୍କ ନୂଆ ଇନିଂସ ! ଓଲା କ୍ୟାବର ପ୍ରଥମ କିନ୍ନର ଡ୍ରାଇଭର ଭାବେ ପାଇଲେ ନିଯୁକ୍ତି

135

କନକ ବ୍ୟୁରୋ : କିନ୍ନରଙ୍କୁ ନେଇ ଅନେକ ଲୋକ ଅନେକ କଥା କହିଥାନ୍ତି । କିନ୍ନରଙ୍କୁ ଏବେ ମଧ୍ୟ ଖରାପ ନଜରରେ ଦେଖିଥାନ୍ତି ସଭ୍ୟ ସମାଜର ଶିକ୍ଷିତ ଲୋକ । କିନ୍ତୁ କିନ୍ନର ଏବେ ଅନ୍ୟ ମାନଙ୍କ ଭଳି ସମାଜର ମୁଖ୍ରସ୍ରୋତରେ ସାମିଲ ହେବାକୁ ଚାହୁଁଛନ୍ତି । ଖାସ୍ ଏଥିପାଇଁ ଅନ୍ୟ ମାନଙ୍କ ଭଳି କିନ୍ନର ମାନେ ମଧ୍ୟ ବିଭିନ୍ନ କାର୍ଯ୍ୟରେ ନିଜର ଉପସ୍ଥିତି ଜାହିର କରୁଛନ୍ତି । ଆଉ ଏଭଳି ସମୟରେ କିନ୍ନର ମେଘନା ଏବେ ଅନ୍ୟ କିନ୍ନରଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଓଲା କ୍ୟାବର ପ୍ରଥମ କିନ୍ନର ଡ୍ରାଇଭର ଭାବେ ନିଯୁକ୍ତି ପାଇଛନ୍ତି ମେଘନା ସାହୁ ।

କିଏ ଏହି ମେଘନା : ୨୮ ବର୍ଷିୟ କିନ୍ନର ମେଘନା ପରିବାର ସହ ଭୁବନେଶ୍ୱରରେ ରୁହନ୍ତି । ପରିବାର କହିଲେ ସ୍ୱାମୀଙ୍କ ସହ ରୁହନ୍ତି କିନ୍ନର ମେଘନା । ଏଚଆର ଓ ମାର୍କେଟିଙ୍ଗରେ ଏମବିଏ ପାଠ ପଢ଼ିଛନ୍ତି ମେଘନା । କିନ୍ତୁ ଅନ୍ୟ କୌଣସି କ୍ଷେତ୍ରରେ ଚାକିରି କରିବାରେ ଅସୁବିଧା ଦେଖା ଦେବାରୁ କ୍ୟାବ ଚଳାଇବାକୁ ସ୍ଥିର କରିଥିଲେ ମେଘନା । କିନ୍ତୁ କ୍ୟାବ ଚଳାଇବା ପାଇଁ ଡ୍ରାଇଭିଂ ଲାଇସେନ୍ସ ଆବଶ୍ୟକ ପଡ଼ିବାରୁ ଏଥିପାଇଁ ମଧ୍ୟ ହଇରାଣ ହୋଇଥିଲେ ମେଘନା । ତେବେ କିଛି ସ୍ୱେଚ୍ଛାସେବୀ ସଙ୍ଗଠନ ସହାୟତାରେ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇବାକୁ ସକ୍ଷମ ହୋଇଥିଲେ ମେଘନା । ଏହାପରେ ତାଙ୍କର ଓଲା କ୍ୟାବର ଯାତ୍ରା ଆରମ୍ଭ ହୋଇଥିଲା । କିନ୍ତୁ କିନ୍ନର ହୋଇଥିବାରୁ ପ୍ରଥମେ ମେଘନାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏପରିକି ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ପ୍ରଭାବ ପଡ଼ିଥିଲା ।

ମିଡ଼ିଆ ରିପୋର୍ଟ ଅନୁଯାୟୀ, ଓଲା କ୍ୟାବରେ ଡ୍ରାଇଭର କାମ କରିବା ପରେ ଲୋକଙ୍କ ସହ ମିଳିବାର ସୁଯୋଗ ମିଳୁଛି ।ଏହାଛଡା ପ୍ରତିଦିନ ୮ ଘଣ୍ଟାଏ ଲେଖାଏଁ କାମ କରି ମାସକୁ ୩୦ ହଜାର ଟଙ୍କା ରୋଜଗାର କରୁଛନ୍ତି ମେଘନା । ଓଲା କ୍ୟାବରେ ଡ୍ରାଇଭର ଭାବେ କାମ ଆରମ୍ଭ କରିବା ପୂର୍ବରୁ ଏକ ଫାର୍ମା କମ୍ପାନିରେ ଚାକିରି କରିଥିଲେ ମେଘନା । କିନ୍ତୁ କିନ୍ନର ହୋଇଥିବାରୁ ସେଠାରେ ମଧ୍ୟ ଭେଦଭାବର ଶିକାର ହୋଇଥିଲେ ମେଘନା । ଏହାପରେ ମେଘନା ସ୍ଥିର କରିଥିଲେ ଯେ, ପୂରା ଜୀବନ ସେ ଏଭଳି ବଞ୍ଚିବେ ନାହିଁ । ଆଉ ଏହାପରେ ଜୀବନ ଜିଇଁବାର ଏକ ପଥକୁ ବାଛି ନେଇଥିଲେ ମେଘନା । କିନ୍ନରଙ୍କ ପ୍ରତି ଲୋକଙ୍କ ମନରେ ଥିବା ଖରାପ ଭାବନା ଦୂର କରିବାକୁ ମେଘନା ଚେଷ୍ଟା କରୁଛନ୍ତି । ଖାସ ଏଥିପାଇଁ ଗତ ବର୍ଷ ଜଣେ ପୁରୁଷଙ୍କୁ ବିବାହ କରିଥିଲେ ମେଘନା । ଏହାଛଡ଼ା ତାଙ୍କର ୬ ବର୍ଷର ଏକ ପୁଅ ମଧ୍ୟ ଅଛି ।

କିନ୍ନର ମେଘନା ଗାଡି ଡ୍ରାଇଭିଂ କରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଓଲା ଡ୍ରାଇଭର ଭାବେ ନିଜ ଅନୁଭୂତି ବଖାଣିବାକୁ ଯାଇ ମେଘନା କହିଛନ୍ତି, ତାଙ୍କ କ୍ୟାବରେ ମହିଳା ମାନେ ଯିବାକୁ ଅଧିକ ସୁରକ୍ଷିତ ମଣୁଛନ୍ତି । ଏହାଛଡ଼ା ପୁରୁଷ ଗ୍ରାହକ ମାନେ ମଧ୍ୟ ତାଙ୍କ ସହ ଭଲ ବ୍ୟବହାର କରୁଛନ୍ତି । ଏପରିକି ଗ୍ରାହକ ମାନେ ତାଙ୍କୁ ଭଲ ରେଟିଂ ଦେଉଥିବା କହିଛନ୍ତି ମେଘନା । ମେଘନାଙ୍କ ଦ୍ୱାରା ପ୍ରଭାବିତ ହୋଇ ଅନ୍ୟ ଜଣେ କିନ୍ନର ରାଣୀ କୁମାର ମଧ୍ୟ ଉବେର କ୍ୟାବରେ ଡ୍ରାଇଭର ଭାବେ କାମ କରିବା ଆରମ୍ଭ କରିଛନ୍ତି ।