ବିନା ବର୍ଷାରେ ବନ୍ୟା ! ସମ୍ବଲପୁର ଶାସନ କେନାଲରେ ୧୫ ଫୁଟର ଘାଈ, ମୁଣ୍ଡରେ ହାତ ଦେଲେ ଚାଷୀ

128

କନକ ବ୍ୟୁରୋ : ବର୍ଷା ନଥାଇ ବଢ଼ିର ଭୟ । ସମ୍ବଲପୁର ଶାସନ କେନାଲରେ ୧୫ ଫୁଟର ଘାଇ । ଫଳରେ ଫସଲରେ ପଶିଛି ପାଣି । ନଷ୍ଟ ହୋଇଯାଇଛି ହେକ୍ଟର ହେକ୍ଟର ଫସଲ । ସେପଟେ ପାଣି ନଛାଡ଼ିବାକୁ ହୀରାକୁଦ ଡ୍ୟାମ୍ କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ସମ୍ବଲପୁର ତଳି ଅଂଚଳରେ ଅଦିନିଆ ବନ୍ୟାକୁ ନେଇ ଏହି ରିପୋର୍ଟ ।

ବିନା ବର୍ଷାରେ ନଈବଢି । ଘୁ ଘୁ ହୋଇ ମାଡି ଚାଲିଛି ମହାନଦୀର ପାଣି । ବୁଡି ଯାଇଛି ଶହ ଶହ ଏକର ଚାଷ ଜମି । ଏ ହେଉଛି ହୀରାକୁଦ ନିକଟରେ ଥିବା ତାଳବ ଓ ବଲବସପୁର ଗାଁର ଚିତ୍ର । ହୀରାକୁଦ ଡ୍ୟାମରୁ ବାହାରିଥିବା ଶାସନ କେନାଲରେ ହୋଇଥିବା ଘାଇ ଯୋଗୁ ସୃଷ୍ଟି ହୋଇଛି ଏମିତି ଅଭାବନୀୟ ପରିସ୍ଥିତି । ଶନିବାର ମଧ୍ୟରାତ୍ରରେ କେନାଲରେ ୧୫ ଫୁଟ ଓସାରର ଘାଇ ହେବା ଫଳରେ ଆଖପାଖରେ ଥବା ପ୍ରାୟ ୭ଶହ ଏକର ଜମି ଜଳମଗ୍ନ ହୋଇପଡିଛି । ଏହା ସହିତ ଅଧିକାଂଶ ଜମି ଏବେ ବାଲିଚର ପାଲଟିଛି ।

ଖବର ପାଇ ହୀରାକୁଦ ବନ୍ଧ କର୍ତୃପକ୍ଷ ଡ୍ୟାମରୁ କେନାଲକୁ ଆସୁଥିବା ପାଣି ବନ୍ଦ କରିବାପରେ ପରିସ୍ଥିତିରେ ସୁଧାର ଆସିଛି । ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୂର୍ବରୁ କେନାଲ ବନ୍ଧ ଦୁର୍ବଳ ଥବା ଅଭିଯୋଗ ହୋଇଆସୁଥିବା ଓ ଘାଇ ସୃଷ୍ଟି ହେବା ପରେ ଗେଟ୍ ବନ୍ଦ କରିବାରେ ବିଳମ୍ଭ ଯୋଗୁ ଏମିତି ପରିସ୍ଥିତି ଉପୁଜିଲା ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି ।