ଓଡିଶାର କିଛି ସ୍ୱାଧୀନତା ସଂଗ୍ରାମୀ ; ଯାହାଙ୍କ ପ୍ରେରଣାରେ ଓଡିଶାବାସୀଙ୍କ ମନରେ ଜଳି ଉଠିଥିଲା ଇଂରେଜ ବିରୋଧୀ ନିଆଁ 

412

ଜୟୀ ରାଜଗୁରୁ : 

୧୮୦୩ରେ ଇଂରେଜମାନେ ଓଡ଼ିଶାକୁ ଅକ୍ତିଆର କରିବା ପରେ ଖୋର୍ଦ୍ଧା ରାଜାଙ୍କ ଠାରୁ କର ମାଗିଲେ ଓ ସେମାନଙ୍କ ବଶ୍ୟତା ସ୍ୱୀକାର କରିବାକୁ ଆଦେଶ ପତ୍ର ପଠାଇଥିଲେ ଜୟୀ ରାଜଗୁରୁ  । ଏହା ତାଙ୍କର ସ୍ୱାଭିମାନକୁ ପ୍ରଚଣ୍ଡ ଆଘାତ ଦେଲା । ‘ପଛେ ଜୀବନ ଦେଇ ଦେବା ଇଂରେଜଙ୍କ ଆଗରେ ମୁଣ୍ଡ ନୁଆଁଇବା ନାହିଁ’ ବୋଲି କହି ସେ ପ୍ରତ୍ୟେକ ଘରୁ ଜଣକୁ ସୈନିକ କରି ନିଜ ସେନା ବାହିନୀରେ ମିଶାଇଲେ । ଓଡ଼ିଶାକୁ ବାହ୍ୟ ଶତ୍ରୁ ଆକ୍ରମଣରୁ ରକ୍ଷା କରିବାପାଇଁ ସେ ବରୁଣେଇ ଗଡ଼କୁ ସୁଦୃଢ଼ କରିଥିଲେ। ସେହିଠାରେ ବାସ କରି ସେ ଖୋର୍ଦ୍ଧା ଅଞ୍ଚଳରେ ପାଇକ ଜାଗରଣର ଚେଷ୍ଟା କରିଥିଲେ। ଗାଁକୁ ଗାଁ ପାଦରେ ଚାଲି ଚାଲି ସେ ପାଇକମାନଙ୍କୁ ଯୁଦ୍ଧପାଇଁ ପ୍ରସ୍ତୁତ କରାଉଥିଲେ। ସେ ପାଇକ ଆଖଡ଼ା ମାନଙ୍କରେ ନିଜ ସମର ଶିକ୍ଷା ଦେଉଥିଲେ। କୁହାଯାଏ ସେ ହିଁ ପ୍ରଥମେ ଇଂରେଜମାନଙ୍କ ବିରୁଦ୍ଧରେ ଗରିଲା ଯୁଦ୍ଧ କୌଶଳ ଆରମ୍ଭ କରିଥିଲେ।

୧୮୦୪ରେ ମହାନଦୀ କୂଳରେ ସେ ପ୍ରଥମଥର ଇଂରେଜମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏହା ଇଂରେଜମାନଙ୍କୁ ଏକ ଶକ୍ତ ଧକ୍କା ଥିଲା । ଏହାର ପ୍ରତିରୋଧ କରିବାପାଇଁ ସେମାନେ ମାନ୍ଦ୍ରାସରୁ ଅଧିକ ସୈନ୍ୟ ମଗାଇଲେ। ୧୮୦୪ ଡିସେମ୍ବରକୁ ବରୁଣେଇ ପାହାଡ଼ ନିକଟସ୍ଥ ବରୁଣେଇ ଗଡ଼ରେ ଇଂରେଜ ବାହିନୀର ୭୦୦୦ ଗୁଳି ଗୋଳାରେ ସୁସଜ୍ଜିତ ସୈନ୍ୟ ସହିତ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ଖୋର୍ଦ୍ଧା ପାଇକ ଲଢ଼ି ନିଜ ବୀରତ୍ୱର ପ୍ରଦର୍ଶନ କରିଥିଲେ, ଯାହା ଇଂରେଜମାନଙ୍କୁ ଚକିତ କରିଦେଇଥିଲା । କେତେକ ଖଳ ଦେଶଦ୍ରୋହୀଙ୍କୁ ପ୍ରଲୋଭିତ କରି ସେମାନେ ଜୟୀ ରାଜଗୁରୁଙ୍କୁ ବନ୍ଦୀ କଲେ ଓ ଓଡ଼ିଶାର ଶେଷ ସ୍ୱାଧୀନ ଦୁର୍ଗକୁ ଅକ୍ତିଆର କରିନେଲେ । ୧୮୦୬ରେ ଜୟୀ ରାଜଗୁରୁଙ୍କୁ ବିଚାରପାଇଁ ମେଦିନୀପୁରକୁ ସ୍ଥାନାନ୍ତରିତ କରି ଦିଆଗଲା । ସେଠାରେ ବିଚାର ପରେ ସେମାନେ ତାଙ୍କୁ ଅମାନୁଷିକ ଭାବେ ଡିସେମ୍ବର ୬ ତାରିଖ ଦିନ ହତ୍ୟା କରିଥିଲେ । ଜୟୀ ରାଜଗୁରୁ ଅତ୍ୟାଚାରୀ ଇଂରେଜମାନଙ୍କ ସାମ୍ନାରେ ନଇଁ ନଥିଲେ, ସେଥିପାଇଁ ଲୋକ କଥା ପ୍ରଚଳିତ ଅଛି ଯେ, “ଜଇଆ ପଛେ ଜୀବନ ଦେଲା ନୁଆଁଇ ନାହିଁ ମଥା”

ହରେକୃଷ୍ଣ ମହତାବ : 

ହରେକୃଷ୍ଣ ମହତାବ ଜଣେ ଲେଖକ ଓ ଭାରତୀୟ ଜାତୀୟ କଂଗ୍ରେସ ନେତା ଥିଲେ । ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ୧୯୪୬-୫୦ ଯାଏଁ କାମ କରିଥିଲେ । ସେ ଉତ୍କଳ କେଶରୀ ନାମରେ ମଧ୍ୟ ଜଣାଶୁଣା । ହରେକୃଷ୍ଣ ମହତାବ ଓଡ଼ିଶାର ଭଦ୍ରକ ଜିଲ୍ଲାର ଆଗରପଡାଠାରେ ୨୧ ନଭେମ୍ବର, ୧୮୯୯ ଜନ୍ମନେଇଥିଲେ । ତାଙ୍କ ପିତାଙ୍କ ନାମ କୃଷ୍ଣ ଚରଣ ମହତାବ ଓ ମାତାଙ୍କ ନାମ ତୋହଫା ଦେବୀ । ଭଦ୍ରକ ହାଇସ୍କୁଲରୁ ମାଟ୍ରିକ ପଢା ପରେ ସେ କଟକର ରେଭେନ୍ସା କଲେଜରେ ନାମ ଲେଖାଇଥିଲେ, କିନ୍ତୁ ସେଠାରୁ ସେ ୧୯୨୧ରେ ପାଠପଢା ଛାଡି ସ୍ୱାଧିନତା ଆନ୍ଦୋଳନରେ ଭାଗ ନେଇଥିଲେ ।

ରାଜନୀତି, ସାହିତ୍ୟ ,ସାମ୍ବାଦିକତା ଓ ସର୍ବୋପରି ଆଧୁନିକ ଓଡ଼ିଶାର ନିର୍ମାଣରେ ଆଦି କ୍ଷେତ୍ରରେ ମହତାବ ନିଜର ଅବଦାନ ରଖିଯାଇଛନ୍ତି । ସେ, ପ୍ରାୟ ଅର୍ଦ୍ଧଶତାବ୍ଦୀ ଧରି ଓଡ଼ିଶାର ରାଜନୀତିକୁ ପ୍ରଭାବିତ କରିଥିଲେ । ୧୯୧୯ରୁ ୧୯୨୧ ମସିହା ଯାଏ ତିନିବର୍ଷ କାଳ ଓଡ଼ିଶା କଂଗ୍ରେସର ଅଗ୍ରଗଣ୍ୟ ପ୍ରତିଷ୍ଠାତାମାନଙ୍କ ଭିତରେ ସେ ଥିଲେ ଅନ୍ୟତମ । ୧୯୨୩-୨୪ରେ ସେ ଓଡ଼ିଶା ପ୍ରଜା ଆନ୍ଦୋଳନର ନେତୃତ୍ୱ ଗ୍ରହଣ କରି କାରାବରଣ କରିଥିଲେ । ୧୯୩୦-୩୧ରେ ବାଲେଶ୍ୱରର ଇଞ୍ଚୁଡ଼ିଠାରେ ଲବଣ ସତ୍ୟାଗ୍ରହ ଓ ଆଇନ ଅମାନ୍ୟ ଆନ୍ଦୋଳନକୁ ପରିଚାଳନା କରି ଦୁଇ ଥର କାରାବରଣ କରିଥିଲେ । ୧୯୩୮ରେ ସେ ଜାତୀୟ କଂଗ୍ରେସର କାର୍ଯ୍ୟକାରୀ ସମିତିର ସଭ୍ୟରୂପେ ମନୋନୀତ ହୋଇଥିଲେ । ୧୯୪୬ରୁ ୧୯୫୦ ପର୍ଯ୍ୟନ୍ତ ଓ ପୂନର୍ବାର ୧୯୫୬ରୁ ୧୯୬୧ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୨୩ ମସିହାରେ ସେ ସାପ୍ତହିକ ଖବରକାଗଜ ପ୍ରଜାତନ୍ତ୍ର ପ୍ରତିଷ୍ଠା କରିଥିଲେ, ଯାହା ଏବେ ଦୈନିକ ପ୍ରକାଶ ପାଉଛି । ତାଙ୍କ ଦ୍ୱାରା ସାହିତ୍ୟ ପତ୍ରିକା ଝଙ୍କାରର ପ୍ରତିଷ୍ଠା ଓ “ବିଷୁବ ମିଳନ” ଆୟୋଜନ ଓଡ଼ିଆ ସାହିତ୍ୟକୁ ପ୍ରଗତି ପଥରେ ନେଇଛି ।

ନୀଳକଣ୍ଠ ଦାସ : 

ପଣ୍ଡିତ ନୀଳକଣ୍ଠ ଦାସ ଜଣେ ମେଧାବୀ ଛାତ୍ର ଥିଲେ । ସେ ଦର୍ଶନ ଶାସ୍ତ୍ରରେ କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ । ସେତେବେଳେ ତାହାର ମାନ ଖୁବ ଅଧିକ ଥିବାରୁ ତାଙ୍କୁ ଫିରିଙ୍ଗି ସରକାରଙ୍କ ଅଧିନରେ ଅନେକ ଉଚ୍ଚ ବେତନଯୁକ୍ତ ଚାକିରି ମିଳିଥିଲା, କିନ୍ତୁ ପଣ୍ଡିତ ଗୋପବନ୍ଧୁ ଦାସ , ଆଚାର୍ଯ୍ୟ ହରିହର ଓ ପଣ୍ଡିତ ନୀଳକଣ୍ଠ ଭାର୍ଗବୀ ନଈରେ ବଢି ପାଣିରେ ହଇଜାରେ ମରି ଭାସି ଯାଉଥିବା ଶବଗୁଡିକୁ ଦେଖି ଶପଥ ନେଇଥିଲେ କି, “ସରକାରୀ ଚାକିରି କରିବା ନାହିଁ, ଏଇଲେ ଦେଶକୁ ଯେମିତି ଦେଖୁଛେ ମଲା ବେଳକୁ ଆହୁରି ଭଲ ଦେଖି ମରିବା ।” ଅନଗ୍ରସର , ମୂକ ଓଡ଼ିଆ ଜାତିର ପାଟିରେ ଭାଷା ଦେବା ପାଇଁ ସତ୍ୟବାଦୀ ବନବିଦ୍ୟାଳୟ ୧୯୦୯ ପ୍ରତିଷ୍ଠା ହେଲା ଓ ମାସିକ ୩୦ଟଙ୍କା ବେତନରେ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ କାମ ଆରମ୍ଭ କରିଥିଲେ ।

ପଣ୍ଡିତ ଗୋପବନ୍ଧୁ ଦାସ : ପଣ୍ଡିତ ଗୋପବନ୍ଧୁ ଦାସ ଉତ୍କଳମଣି ନାମରେ ଜଣା । ସେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ଏକ ଋଢ଼ିବାଦୀ ବ୍ରାହ୍ମଣ ପରିବାରେ ଜନ୍ମ ଗ୍ରହଣ କରିଥିଲେ । ସେ ସଂକୀର୍ଣ୍ଣମନା ଜାତି ପ୍ରଥା ଉପରେ ପ୍ରତିବନ୍ଧକ ଲଗାଇଥିଲେ । ସେ କଲିକତା ବିଶ୍ୱ ବିଦ୍ୟାଳୟରୁ ଆଇନରେ ସ୍ନାତକ କରିଥିଲେ । ସେ ଓଡିଆ ଆନ୍ଦୋଳନର ଜଣେ ସକ୍ରିୟ ଚୌକିଦାର ଥିଲେ । ଏହା ସହିତ ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଏବଂ ଜଣେ ମହାନ୍ ସାମାଜିକ ସୁଧାରକ ଥିଲେ । ପୁରୀ ଜିଲ୍ଲାରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏହି ବିଦ୍ୟାଳୟରୁ ସେତେବେଳେ ଜାତୀୟ ସ୍ୱାଧୀନତା ଆନ୍ଦୋଳନ ପରିଚାଳିତ ହେଉଥିଲା । ଓଡ଼ିଶା ଲୋକଙ୍କର ଦୁର୍ଦ୍ଦଶା, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଅହିଂସା ଆନ୍ଦୋଳନ, ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ଓ ଜାତୀୟ କଂଗ୍ରେସର ଆଭିମୁଖ୍ୟ ପ୍ରଚାର ତଥା ଜନସାଧାରଣଙ୍କୁ ଅବଗତ କରାଇବାର ଅଭିପ୍ରାୟରେ ଗୋପବନ୍ଧୁ ୧୯୧୯ ଅକ୍ଟୋବର ମାସ ୪ ତାରିଖ ଦଶହରା ତିଥିରେ ‘ସାପ୍ତାହିକ ସମାଜ’ ପ୍ରକାଶ କରିଥିଲେ ।