ପ୍ରଥମ ଓଡ଼ିଆ ଭାବେ ଅଲମ୍ପିକ୍ସରେ ଚମକିବେ ବିଭୂ କଲ୍ୟାଣ । ଟୋକିଓରେ ରଖିବେ ଓଡ଼ିଶାର ଟେକ ।

297

କନକ ବ୍ୟୁରୋ : ଟୋକିଓ ଅଲମ୍ପିକ୍ସରେ ଚମକିବେ ଓଡିଆ ପୁଅ । କିନ୍ତୁ କୌଣସି ଖେଳାଳି ଭାବେ ନୁହେଁ, ଜଣେ ଅଫିସିଆଲ ଭାବେ । କ୍ରୀଡା ଚିକିତ୍ସକ ଭାବେ ଦେଶ ଓ ବିଦେଶରେ ନାମ କମାଇଥିବା ଓଡିଆ ପୁଅ ଡାକ୍ତର ବିଭୂ କଲ୍ୟାଣ ନାୟକଙ୍କୁ ମିଳିଛି ଅଲିମ୍ପିକ୍ସ ଟିକେଟ । ଆସନ୍ତା ୨୦୨୦ରେ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସରେ ସେ ଜଣେ ମେଡିକାଲ ଅଫିସର ଭାବେ କାର୍ଯ୍ୟକରିବେ । ଏନେଇ ଅନ୍ତର୍ଜାତୀୟ ହକି ଫେଡେରେସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ତାଙ୍କ ସହ ଦକ୍ଷିଣ ଆଫ୍ରିକା ଓ ଜର୍ମାନୀର ଜଣେ ଜଣେ ଡାକ୍ତର ଅଛନ୍ତି ।

ତେବେ ଅଲିମ୍ପିକ୍ସ ପରି ଏକ ବିଶ୍ୱସ୍ତରୀୟ କ୍ରୀଡା ମହାକୁମ୍ଭରେ ଏଭଳି ସୁଯୋଗ ପାଇବାରେ ବିଭୂକଲ୍ୟାଣ ପ୍ରଥମ ଓଡିଆ । ପୂର୍ବରୁ ସେ ଗତ ହକି ବିଶ୍ୱକପରେ ମେଡିକାଲ ଅଫିସର ଭାବେ କାମ କରୁଛନ୍ତି । ଅନ୍ୟପଟେ ୨୦୦୯ ମସିହାରୁ ଭାରତୀୟ ହକି ଦଳ ସହ କ୍ରୀଡା ଚିକିତ୍ସକ ଭାବେ କାମ କରିଆସୁଛନ୍ତି । ଏହି ସମୟ ମଧ୍ୟରେ ସେ ସୁଲତାନ ଅଜଲାନ୍ ଶାହା କପ୍, ରାଜ୍ୟଗୋଷ୍ଠୀ କ୍ରୀଡା, ଏସିଆନ୍ ଗେମ୍ସ, ପୁରୁଷ ହକି ବିଶ୍ୱକପ୍, ଏସିଆନ୍ ଚାମ୍ପିଅନ୍ ଟ୍ରଫି, ଲଣ୍ଡନ ଅଲମ୍ପିକ୍ସରେ ଭାରତୀୟ ହକି ଦଳ ସହ କାମ କରିିଛନ୍ତି । ଅନ୍ୟପଟେ ଟୋକିଓ ଅଲିମ୍ପିକ୍ସରେ ଅନ୍ୟ ଦୁଇ ଭାରତୀୟ ରଘୁ ପ୍ରସାଦ ଓ ଜାଭେଦ ସେକ୍ ପୁରୁଷ ଅମ୍ପାୟର ଭାବେ ମନୋନୀତ ହୋଇଛନ୍ତି ।