ମଧୁର ଜଳ ହେବ ସମୁଦ୍ର ପାଣି। ସୁଧୁରିବ ବନ୍ଦରନଗରୀର ଜଳ ସମସ୍ୟା। ପାରାଦୀପରେ ପ୍ରତିଷ୍ଠା ହେବ ଓଡିଶାର ପ୍ରଥମ ମଧୁର ଜଳ ପ୍ରକଳ୍ପ

408

କନକ ବ୍ୟୁରୋ: ସମୁଦ୍ର ଜଳରୁ ପ୍ରସ୍ତୁତ ହେବ ମଧୁର ଜଳ ଆଉ ସୁଧୁରିବ ବନ୍ଦରନଗରୀର ଜଳ ସମସ୍ୟା । ଖୁବ୍ ଶୀଘ୍ର ପାରାଦୀପ ବନ୍ଦରରେ ପ୍ରତିଷ୍ଠା ହେବ ଓଡିଶାର ପ୍ରଥମ ମଧୁର ଜଳ ପ୍ରକଳ୍ପ । ଏଥିପାଇଁ ଚୁକ୍ତିନାମା ସ୍ୱାକ୍ଷର ହୋଇ ସାରିଛି । ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୧୧୬ କୋଟି ଟଙ୍କା ।

ସମୁଦ୍ରରୁ ମିଳିବ ମିଠା ପାଣି! ସମୁଦ୍ରର ମଧୁର ଜଳ ବ୍ୟବହାର କରିବେ ପାରାଦୀପ ବାସୀ । କଥାଟି ଟିକେ ଅଲଗା ଲାଗୁଥିଲେ ବି ଅକ୍ଷରେ ଅକ୍ଷରେ ସତ । ସମୁଦ୍ର ଲୁଣିଆ ପାଣିରୁ ମିଠା ପାଣି ବାହାର କରିବା ପରିକଳ୍ପନା ଏବେ ବାସ୍ତବ ରୂପ ନେବାକୁ ଯାଉଛି । ପାରାଦୀପରେ ଓଡିଶାର ପ୍ରଥମ ମଧୁର ଜଳ ପ୍ରକଳ୍ପ ନିର୍ମାଣ କରାଯିବ । ଏଥିପାଇଁ ପାରାଦୀପ ବନ୍ଦର ମୁଖ୍ୟଯନ୍ତ୍ରୀ କେ. ରାମଚନ୍ଦ୍ର ରାଓ ଓ ନ୍ୟାସନାଲ ଇନ ଚ୍ୟୁଟ୍ ଅଫ୍ ଓସିଏନ ଟେକ୍ନୋଲୋଜି ଭୂ-ବିଜ୍ଞାନ ମନ୍ତ୍ରାଳୟ ବିଶେଷଜ୍ଞ ଶିଶିର ଦାସଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଛି ।

ଦୈନିକ ୧୦ ମିଲିୟନ ଲିଟର ଜଳ ଉତ୍ପାଦନ କ୍ଷମତି ବହନ କରିବ ଓଡିଶାର ପ୍ରଥମ ମଧୁର ଜଳ ପ୍ରକଳ୍ପ । ଏହା ପ୍ରକଳ୍ପ ପାଇଁ ବିନିଯୋଗ ହେବ ୧୧୬ କୋଟି ଟଙ୍କା । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ଜଳ ପ୍ରସ୍ତୁତ ଓ ଏହାର ରକ୍ଷଣାବେକ୍ଷଣ ପାଇଁ କିଲୋ ଲିଟର ପିଛା ପ୍ରାୟ ୪୧ ଟଙ୍କା ୧୭ ପଇସା ଖର୍ଚ୍ଚ ହେବ । ସମୁଦ୍ରର ମୁଧୁର ଜଳ ପ୍ରଥମେ ବନ୍ଦର ଅଂଚଳରେ ବିତରଣ କରାଯିବ । ପରେ ପାରାଦୀପ ବନ୍ଦରର ଆଖପାଖ ଅଂଚଳରେ ବଂଟନ କରାଯିବ । ପାରଦୀପ ବନ୍ଦରରେ ଜଳ ଉତ୍ପାଦନ ପ୍ରକଳ୍ପ ହେଲେ ସ୍ଥାନୀୟ ଅଂଚଳରେ ଉପୁଜୁଥିବା ଜଳ ସଂକଟ ଦୂର ହୋଇପାରିବ ବୋଲି ବନ୍ଦର କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।