ସୂର୍ଯ୍ୟମନ୍ଦିରକୁ ନେଇ ତେଜିଲା ସ୍ୱର! ଏଏସଆଇକୁ ଦାୟୀ କଲେ ବିଜୟ ଓ ନରସିଂହ ।

ବିଜୟ କହିଲେ, ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି କୋଣାର୍କ, ଅବହେଳାର ପାଇଁ ଭୁଷୁଡିପଡିବ ମନ୍ଦିର । ନରସିଂହ କହିଲେ, ଦାୟିତ୍ୱରେ ଚରମ ଅବହେଳା କରିଛି ଏଏସଆଇ ।

111

କନକ ବ୍ୟୁରୋ: କୋଣାର୍କ ମନ୍ଦିରକୁ ନେଇ ତେଜିଲା ବିବାଦ । ଏଏସଆଇର ଅବହେଳାକୁ ନେଇ ବର୍ଷିଲେ ବିଜୟ ଓ ନରସିଂହ । କୋଣାର୍କ ମନ୍ଦିର ଆଦୌ ସୁରକ୍ଷିତ ନୁହେଁ । ଏତେ ବର୍ଷ ଦାୟିତ୍ୱ ନେବା ପରେ ଏଏସଆଇ ପାଇଁ ମନ୍ଦିର ଭୁଷୁଡିବାକୁ ବସିଛି । ଏଭଳି ଅଭିଯୋଗ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । କୋଣାର୍କ ମନ୍ଦିରରୁ କାରୁକାର୍ଯ୍ୟପୂର୍ଣ୍ଣ ପଥର ହଟାଯାଇ ସାଦା ପଥର ଲଗାଯାଇଥିଲା । ଏହି କାରୁକାର୍ଯ୍ୟପୂର୍ଣ୍ଣ ପଥର କେଉଁଠି ରଖିଛନ୍ତି କି ବିକ୍ରି କରିଛନ୍ତି ତାହା ସ୍ପଷ୍ଟ କରିବାକୁ ଦାବି କରିଛନ୍ତି ବିଜୟ । ସେ କହିଛନ୍ତି, ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଚିଠି ଲେଖୁଥିବାବେଳେ ଅନ୍ୟପଟେ ସଂସ୍କୃତି ମନ୍ତ୍ରୀ ସମୀକ୍ଷା କରି ଏଏସଆଇକୁ କ୍ଲିନଚିଟ ଦେଉଛନ୍ତି । ତେଣୁ କେନ୍ଦ୍ର ସରକାରଙ୍କ ଏଏସଆଇ ଡ଼ିଜି ତୁରନ୍ତ ଘଟଣାସ୍ଥଳ ପରଦର୍ଶନ କରି ଏକ ମାସ ମଧ୍ୟରେ ଉଚିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ବିଜୟ ।

bijaya mohapatraସେପଟେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ କୋଣାର୍କରେ ସାଦା ପଥର ଲଗାଯିବା ଘଟଣାରେ ଏଏସଆଇକୁ ଦାୟୀ କରିଛନ୍ତି । ଏଏସଆଇ ନିଜ କର୍ତବ୍ୟରେ ଅବହେଳା ପ୍ରଦର୍ଶନ କରିଛନ୍ତି । ସେ କହିଛନ୍ତି, ଏହି ପ୍ରସଙ୍ଗ ବିଧାନସଭାରେ ଉଠିବ । କୋଣାର୍କରେ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତି ବଦଳରେ ଲାଗିଥିଲା ସାଧା ପଥର । କୋଣାର୍କ ମନ୍ଦିରରେ ଶୋଭା ପାଉଥିବା ସୂକ୍ଷ୍ମ କାରୁକାର୍ଯ୍ୟ ହଜି ଯାଇ ସେହି ସ୍ଥାନରେ ସାଧା ପଥର ସବୁ ଲାଗିଥିବା ଦେଖିବାକୁ ମିଳିଥିଲା । ବିଶ୍ୱ ଦରବାରରେ କଳା କାରୁକାର୍ଯ୍ୟ ପାଇଁ ସ୍ୱତନ୍ତ୍ର ପ୍ରତିଷ୍ଠା ଲାଭ କରିଥିବା କୋଣାର୍କ ସୂର୍ଯ୍ୟମନ୍ଦିରକୁ ବରବାଦ କରିଦେବା ପାଇଁ ଷଡଯନ୍ତ୍ର ଚାଲିଥିବା ଅଭିଯୋଗ ହୋଇଥିଲା ଏହାକୁ ନେଇ ସାରା ରାଜ୍ୟ ବି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।