କଂଗ୍ରେସର ହେବ ନବକଳେବର! ଦିଲ୍ଲୀ ଦରବାରରେ ଓଡ଼ିଶା କଂଗ୍ରେସ ନେତା, ନିରଞ୍ଜନ କହିଲେ, ବହ୍ମ ପରିବର୍ତ୍ତନ ହେବ ନାହିଁ

26

କନକ ବ୍ୟୁରୋ : ରାଜ୍ୟ କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡକରା । ନବ ଦାସ, ପ୍ରଦୀପ ମାଝି ଓ ଚିରଂଜୀବ ବିଶ୍ୱାଳ, ହାଇକମାଣ୍ଡରୁ ଡକରା ପାଇ ଦିଲ୍ଲୀ ଯାଇଛନ୍ତି । ସେମାନେ ନୂଆ ପ୍ରଭାରୀ ଜିତେନ୍ଦ୍ର ସିଂ ଓ ପରେ ରାହୁଲ ଗାନ୍ଧିଙ୍କୁ ଭେଟିବେ ବୋଲି ସୂଚନା ମିଳିଛି । ଦିଲ୍ଲୀରେ ଏହି ବୈଠକ ପରେ କଂଗ୍ରେସରେ ବଡ ଧରଣର ପରିବର୍ତନ ହୋଇପାରେ ବୋଲି ଚର୍ଚା ଚାଲିଛି । ସେପଟେ ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ରାଜ୍ୟ କଂଗ୍ରେସର ନବକଳେବର ହେବ ହେଲେ ବ୍ରହ୍ମ ପରିବର୍ତନ ହେବନାହିଁ ।

କଂଗ୍ରେସର ନବକଳେବର ଓ ପିସିସି ନେତୃତ୍ୱ ପରିବର୍ତନ ଚର୍ଚ୍ଚା ଭିତରେ ଦିଲ୍ଲୀ ଗଲେ କଂଗ୍ରେସ ନେତା । ନୂଆ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ଡକରା ପାଇ ବିଧାୟକ ନବ ଦାସ, ଚିରଞ୍ଜୀବ ବିଶ୍ୱାଳ ଓ ପ୍ରଦୀପ ମାଝି ଦିଲ୍ଲୀ ଯାଇଥିବା ସୂଚନା ମିଳିଛି । ବୁଧବାର ପ୍ରଭାରୀଙ୍କ ସହ ପିସିସି ନେତାଙ୍କ ବୈଠକ ହେବ । ପରଦିନ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିବେ ଏହି ତିନି ଜଣ ନେତା । ବୁଥରୁ ବ୍ଲକ୍ ସ୍ତର ଯାଏ ସାଂଗଠନିକ ପୁର୍ନବିନ୍ୟାସ ନେଇ ଏହି ବୈଠକରେ ମୂଳଦୂଆ ପଡିବ ବୋଲି ଆକଳନ କରାଯାଉଛି ।କଂଗ୍ରେସରେ ଖୁବଶୀଘ୍ର ନବକଳେବର ହେବ, ଆମୂଳଚୂଳ ପରିବର୍ତନ ହେବ । କିଛି ଦିନ ତଳେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଏଭଳି ସଙ୍କେତକୁ ନେଇ ଜୋର ଧରିଛି ଚର୍ଚ୍ଚା । ହେଲେ କଂଗ୍ରେସର ଏହି ନବକଳେବର, ରାଜ୍ୟ କଂଗ୍ରେସ ମୁଖିଆଙ୍କ ସମେତ ନା ତାଙ୍କୁ ବାଦ୍ ଦେଇ ହେବ, ସେନେଇ ସସପେନ୍ସ ଲାଗିରହିଛି ।

ରାଜ୍ୟ କଂଗ୍ରେସରେ ବଡ ଧରଣର ପରିବର୍ତନ ନେଇ ଆଶା କରାଯାଉଥିବା ବେଳେ ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ଏହି ନବକଳେବରରେ ରାଜ୍ୟ କଂଗ୍ରେସର ବ୍ରହ୍ମ ପରିବର୍ତନ ହେବନାହିଁ । ଓଡିଶା କଂଗ୍ରେସ ଦାୟିତ୍ୱରେ ଥିବା ନୂଆ ପ୍ରଭାରୀ ଜିତେନ୍ଦ୍ର ସିଂ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ରାଜ୍ୟ ନେତାଙ୍କୁ ଭେଟିବା ପରେ ଆସନ୍ତା ୧୯ ତାରିଖରେ ହିଁ ବଡ ଧରଣର ପରିବର୍ତନ ସହ ରାଜ୍ୟ କଂଗ୍ରେସର ନୂଆ ଚେହେରା ସାମ୍ନାକୁ ଆସିବା ସମ୍ଭାବନା ରହିଛି ।