ତାତିଲା ପଶ୍ଚିମ ଓଡ଼ିଶା ଓକିଲ ସଂଘ । ଆନ୍ଦୋଳନରତ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ବାର କାଉନସିଲର ଆଭିମୁଖ୍ୟ ବିରୋଧରେ ମେଳି ବାନ୍ଧିଲେ ଆଇନଜୀବୀ

ଫେବ୍ରୁଆରୀ ୫ରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା

468

କନକ ବ୍ୟୁରୋ: ଜିଦରେ ଅଟଳ ପଶ୍ଚିମ ଓଡ଼ିଶା ଓକିଲ । ହାଇକୋର୍ଟ ସ୍ଥାୟୀ ବେଂଚ ଦାବିରେ ଆନ୍ଦୋଳନ କରୁଥିବା ଆଇନଜୀବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ରାଜ୍ୟ ବାର କାଉନସିଲର ସୁପାରିଶ ପରେ ତାତି ଉଠିଛି ପଶ୍ଚିମ ଓଡ଼ିଶା ଓକିଲ ସଂଘ । ଏହାର ପ୍ରତିବାଦରେ ଆସନ୍ତା ୫ ତାରିଖରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଇଛି । ସଂଘ ପକ୍ଷରୁ କୁହାଯାଇଛି, ସେମାନଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି ଅଣଦେଖା କରି ଆସୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ଦାବି ଆନ୍ଦୋଳନ ଭିନ୍ନ ମୋଡ଼ ନେଇଛି । ଆନ୍ଦୋଳନରତ ଆଇନଜୀବୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବାର୍ କାଉନ୍ସିଲ ଅପ୍ ଇଣ୍ଡିଆକୁ ରାଜ୍ୟ ବାର କାଉନସିଲ ଚିଠା ପ୍ରସ୍ତାବ ଦେବା ପରେ ତାତି ଉଠିଛି ପଶ୍ଚିମ ଓଡ଼ିଶା ଓକିଲ ସଂଘ । ଏପଟେ ଓକିଲ ନାଁରେ ମାମଲା, ଅଦାଳତ ଅବମାନନା ପ୍ରକ୍ରିୟା ଆରମ୍ଭ ହେବା ପରେ ପ୍ରତିକ୍ରିୟାଶୀଳ ହୋଇଛି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି । ରାଜ୍ୟ ବାର କାଉନସିଲର ଆଭିମୁଖ୍ୟ ପ୍ରତିବାଦରେ ଗତକାଲି ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘର ଏକ ଜରୁରୀ ବୈଠକ ବସିଥିଲା । ଫେବ୍ରୁଆରୀ ୫ ତାରିଖରେ ପଶ୍ଚିମ ଓଡ଼ିଶା ବନ୍ଦ ପାଇଁ ନିଷ୍ପତି ନିଆଯାଇଛି ।

ଆନ୍ଦୋଳନ କରୁଥିବା ଆଇନଜୀବୀ ଏବଂ ଓକିଲ ସଂଘଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମକୋର୍ଟ କହିବା ପରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ଏବଂ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରି ବାର୍ କାଉନ୍ସିଲ ଅଫ ଇଣ୍ଡିଆକୁ ଚିଠି ଲେଖିଥିଲା ରାଜ୍ୟ ବାର୍ କାଉନ୍ସିଲ । ସଂଘର ସଭାପତି ଓ ସଂପାଦକଙ୍କ ବିରୋଧରେ ନୋଟିସ ମଧ୍ୟ ଜାରି କରାଯାଇଛି । କାର୍ଯ୍ୟାନୁଷ୍ଠାନ ନାଁରେ ଯଦି ଜଣେ ଓକିଲଙ୍କ ଲାଇସେନ୍ସ ରଦ୍ଦ ହୁଏ, ତେବେ ସାମୁହିକ ଭାବେ ଲାଇସେନ୍ସ ଫେରାଇବାକୁ ପଶ୍ଚିମ ଓଡ଼ିଶା ଓକିଲ ସଂଘ ବୈଠକରେ ନିଷ୍ପତି ନିଆଯାଇଛି ।

ମାସ ମାସ ଧରି ଓକିଲଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ବାର୍ କାଉନସିଲ ଅପ୍ ଇଣ୍ଡିଆ ଓ ରାଜ୍ୟ ବାର୍ କାଉସିଲ୍ର ଅଧ୍ୟକ୍ଷକୁ ନୋଟିସ୍ କରିଥିଲେ ସୁପ୍ରିମକୋର୍ଟ । ଆନ୍ଦୋଳନରୁ ନଓହରିଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।