ସଂସଦରେ ଓଡ଼ିଶା ପ୍ରସଙ୍ଗ: ବରଗଡ଼ ଧନୁଯାତ୍ରାକୁ ଜାତୀୟ ମହୋତ୍ସବର ମାନ୍ୟତା ଏବଂ ସମ୍ବଲପୁର ବିଶ୍ବବିଦ୍ୟାଳୟକୁ କେନ୍ଦ୍ରୀୟ ମାନ୍ୟତା ପାଇଁ ଦାବି

231

କନକ ବ୍ୟୁରୋ: ବରଗଡ଼ ଧନୁଯାତ୍ରାକୁ ଜାତୀୟ ମହୋତ୍ସବର ମାନ୍ୟତା ପ୍ରଦାନ କରାଯାଉ। ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉତ୍‌ଥାପନ କରିବା ସହିତ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସାଂସଦ ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ, ପ୍ରତ୍ୟେକ ବର୍ଷ ଓଡ଼ିଶାର ବରଗଡ଼ଠାରେ ଶ୍ରୀକୃଷ୍ଣଙ୍କ ଦ୍ବାରା କଂସବଧର କାହାଣୀକୁ ଏହି ଉତ୍ସବ ଜରିଆରେ ପ୍ରଦର୍ଶିତ କରାଯାଇଥାଏ। ଧନୁଯାତ୍ରା ଅବସରେ ୧୯୮୪ ମସିହାରୁ ଖୋଲାମଞ୍ଚରେ ପ୍ରଶିକ୍ଷିତ କଳାକାରମାନଙ୍କ ଦ୍ବାରା ଏହା ପ୍ରଦର୍ଶିତ ହୋଇଆସୁଛି। ଏହାକୁ ଦେଖିବା ପାଇଁ ଦେଶବିଦେଶରୁ କଳାକାରମାନେ ଆସୁଛନ୍ତି। ଏହି ପ୍ରସିଦ୍ଧ ଧନୁଯାତ୍ରାର ପୌରାଣିକ ତଥା ସାଂସ୍କୃତିକ ମହତ୍ତ୍ବ ରହିଥିବାରୁ ଏହାକୁ କେନ୍ଦ୍ର ସରକାର ଜାତୀୟ ମହୋତ୍ସବର ମାନ୍ୟତା ପ୍ରଦାନ କରିବା ସହିତ ପର୍ଯ୍ୟାପ୍ତ ଆର୍ଥିକ ସହାୟତା କରିବା ପାଇଁ ସେ ଦାବି କରିଥିଲେ। ଗତକାଲି ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ ଓଡ଼ିଶାର ସାଂସଦମାନେ ଓଡ଼ିଶା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ରାଜ୍ୟସଭାର ଶୂନ୍ୟକାଳରେ ବିଜେଡି ସାଂସଦ ସସ୍ମିତ ପାତ୍ର ବସ୍ତିରେ ରହିଥିବା ଲକ୍ଷ୍ୟାଧିକ ଗରିବମାନଙ୍କୁ ଜମି ଅଧିକାର ପ୍ରଦାନ କରିବା ପାଇଁ ଜାତୀୟ କାର୍ଯ୍ୟକ୍ରମ ଆରମ୍ଭ କରିବା ସକାଶେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ଏହି ଅବସରରେ ସେ ରାଜ୍ୟ ସରକାରଙ୍କର ମହାତ୍ବାକାଂକ୍ଷୀ ଯୋଜନା ‘ଜାଗା ମିସନ’ର ସଫଳତାକୁ ନେଇ ମଧ୍ୟ ଅବଗତ କରାଇଥିଲେ। ସେ କହିଥିଲେ ଜଗା ମିସନକୁ ନିକଟରେ ବିଶ୍ବର ସବୁଠାରୁ ବଡ଼ ବସ୍ତି ଜମି ପ୍ରକଳ୍ପର ମାନ୍ୟତା- ଵାର୍ଲ୍ଡ ହେବିଟାଟ୍‌ ଆଵାର୍ଡ ମିଳିଛି। ଏଥିସହିତ, ଜାଗା ମିସନ ଭଳି ପଦକ୍ଷେପ ଗ୍ରହଣ କରି ସହରାଞ୍ଚଳର ଗରିବ ଲୋକମାନଙ୍କୁ ଜମି ଅଧିକାର ପ୍ରଦାନ କରିବା ପାଇଁ ଶ୍ରୀ ପାତ୍ର ଦାବି କରିଥିଲେ।

ବିଜେଡି ସାଂସଦ ସରୋଜିନୀ ହେମ୍ବ୍ରମ ଉତ୍ତର ଓଡ଼ିଶାରେ ରାସଗୋବିନ୍ଦପୁର ଏୟାର ଷ୍ଟ୍ରିପ୍‌କୁ ବିକଶିତ କରି ଉଡ଼ାଣ ଯୋଜନା ଅନ୍ତର୍ଗତ ବିମାନ ବନ୍ଦର ନିର୍ମାଣ କରିବା ପାଇଁ ସେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାଦ୍ବାରା ଉତ୍ତର ଓଡ଼ିଶା ସହ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ମଧ୍ୟରେ ଯୋଗାଯୋଗ ସମ୍ପର୍କ ବ୍ୟାପକ ହୋଇପାରିବ ବୋଲି ସେ କହିଥିଲେ।

ରାଜ୍ୟସଭାରେ ବିଜେଡିର ଆଉଜଣେ ସାଂସଦ ଅମର ପଟ୍ଟନାୟକ ଶୂନ୍ୟକାଳରେ ଜିଏସଟିର ଡିଭିଜିବୁଲ ପୁଲ୍ ଅନ୍ତର୍ଗତ ସେସ୍ ଓ ସରଚାର୍ଜକୁ ସାମିଲ କରିବା ପାଇଁ ଦାବି କରିଥିଲେ। ସେହିଭଳି ଲୋକସଭାର ଶୂନ୍ୟକାଳରେ ବିଜେପି ସାଂସଦ ନୀତୀଶ ଗଙ୍ଗଦେବ ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ଚଳିତ ଶିକ୍ଷା ବର୍ଷରୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବା ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଯାହାଦ୍ବାରା ସମ୍ବଲପୁର ଓ ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀ ମାନେ ବିଶେଷ ଉପକୃତ ହୋଇପାରିବେ ବୋଲି ସେ କହିଥିଲେ। ଏଥିସହିତ, ବିଶ୍ବବିଦ୍ୟାଳୟର ଆନ୍ତର୍ଜାତୀୟ ମାନଦଣ୍ଡକୁ ବୃଦ୍ଧି କରିବା ପାଇଁ ଦକ୍ଷିଣ ଏସିଆ, ପୂର୍ବ ଏସିଆ, ଲାଟିନ ଆମେରିକା ଭଳି ସ୍ବତନ୍ତ୍ର ଅଧ୍ୟୟନ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ସେ ଦାବି କରିବା ସହ ସମ୍ବଲପୁର ବିଶ୍ବବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ମାନ୍ୟତା ସମ୍ବଲପୁର ଓ ପଶ୍ଚିମ ଓଡ଼ିଶା ପାଇଁ ଏକ ବଡ଼ ଉପହାର ସଦୃଶ୍ୟ ହେବ ବୋଲି ସେ କହିଥିଲେ।