ବଦଳିଲା ମେଡିକାଲ ବଣ୍ଡ ପଲିସି ନିୟମ: ରାଜ୍ୟ ସରକାରଙ୍କ ଅଧିନରେ ୨ ବର୍ଷ କାମ କରିବାକୁ ବାଧ୍ୟ ଛାତ୍ରଛାତ୍ରୀ; ପିଜି କିମ୍ବା ସୁପର ସ୍ପେଶାଲିଷ୍ଟ କୋର୍ସ ପାଇଁ ଦେବାକୁ ପଡିବ ଫାଇନ୍

2,107

କନକ ବ୍ୟୁରୋ: ବଦଳିଲା ମେଡିକାଲ ବଣ୍ଡ ପଲିସି ନିୟମ । ଏଣିକି ସରକାରୀ ମେଡିକାଲ କଲେଜରେ ଯେଉଁମାନେ ଏମବିବିଏସ ପରେ ପିଜି କିମ୍ବା ସୁପର ସ୍ପେଶାଲିଷ୍ଟ କୋର୍ସ କରିବେ ସେମାନେ ରାଜ୍ୟ ସରକାରଙ୍କ ଅଧୀନରେ କାମ କରିବାକୁ ବାଧ୍ୟ ହେବେ । ରାଜ୍ୟ ସରକାରଙ୍କ ଅଧୀନରେ ସେମାନେ ୨ ବର୍ଷ କାମ କରିବାକୁ ବାଧ୍ୟ ହେବେ । ଯଦି ଏଭଳି ନ କରିନ୍ତି ତାହାହେଲେ ସେମାନଙ୍କୁ ଏଥିପାଇଁ ମୋଟା ଅଙ୍କର ଟଙ୍କା ଜମା କରିବାକୁ ପଡିବ । ଅର୍ଥାତ୍ ପିଜି ପିଲା ଦେଢ କୋଟି ଟଙ୍କା ଓ ସୁପର ସ୍ପେଶାଲିଟି ପିଲାଙ୍କୁ ୨ କୋଟି ଟଙ୍କା ଦେବାକୁ ପଡିବ । ଚଳିତ ବର୍ଷରୁ ଏହା ଲାଗୁ କରାଯିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ।

ବିଭାଗୀୟ ମନ୍ତ୍ରୀଙ୍କ କହିବା ଅନୁସାରେ, ଯେଉଁମାନେ ରାଜ୍ୟ ସରକାରଙ୍କ ଅଧିନରେ ଥିବା ମେଡିକାଲ କଲେଜମାନଙ୍କରେ ପାଠପଢି ବାହାରକୁ ପିଜି କରିବାକୁ ଯିବେ ସେମାନଙ୍କୁ ମେଡିକାଲ ବଣ୍ଡ ପଲିସି ବାବଦକୁ ସର୍ବନିମ୍ନ ଦେଢ କୋଟି ଟଙ୍କା ଜମା କରିବାକୁ ହେବ । ସେହିଭଳି ସୁପର ସ୍ପେଶାଲିଷ୍ଟ ଛାତ୍ରଛାତ୍ରୀଙ୍କୁ ୨ କୋଟି ଟଙ୍କା ଜମା କରିବାକୁ ପଡିବ । ତେବେ ପୂର୍ବରୁ ଏଥିପାଇଁ ୩୬ ଲକ୍ଷ ଟଙ୍କା ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡୁଥିଲା । ଯେଉଁ କାରଣରୁ ଓଡିଶାରେ ଡାକ୍ତରଙ୍କନିଅଣ୍ଟ ପଡୁଥିଲେ । ତେଣୁ ବଣ୍ଡ ପଲିସି ଏହି ନୂଆ ନିୟମ ଅନୁସାରେ ଏଣିକି ଛାତ୍ରଛାତ୍ରୀଙ୍କୁ ୩୬ ଲକ୍ଷ ପରିବର୍ତ୍ତେ ଦେଢରୁ ୨ ଲକ୍ଷ ଟଙ୍କା ଜମା କରିବାକୁ ପଡିବ । ଖାଲି ଏତିକି ନୁହେଁ ଯେଉଁମାନେ ଓଡିଶାକୁ ପାଠପଢିବାକୁ ଆସିବେ ସେମାନଙ୍କୁ ଓଡିଶାରେ ସର୍ବନିମ୍ନ ୨ ବର୍ଷ ରହି କାମ କରିବାକୁ ବାଧ୍ୟ ଅଟନ୍ତି ନଚେତ ଏତିକି ଟଙ୍କା ଦେଲେ ଯାଇ ସେମାନେ ଯାଇପାରିବେ ।

image courtesy – www.practiceforces.com

ତେବେ ଓଡିଶାବାସୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଯେଉଁମାନେ ଓଡିଶାର ମେଡିକାଲ କଲେଜ ମାନଙ୍କରେ ପାଠପଢୁଛନ୍ତି ସେମାନେ ଅନ୍ତତଃ ଓଡିଶାବାସୀଙ୍କ ସେବା କରିବା ଦରକାର । ତେଣୁ ଏହି ବଣ୍ଡର ପଇସା ବଢାଇଦେବା ଫଳରେ ବହୁତ ଡାକ୍ତର ଓଡିଶାରେ ରହିବେ ଏବଂ ଲୋକଙ୍କର ସେବା କରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ।