ସ୍ଥାନାନ୍ତର ହେଲା ବଟଲିଂ ପ୍ଲାଣ୍ଟ । ଢେଙ୍କାନାଳରେ ଆବଣ୍ଟିତ ଜମିକୁ ବାତିଲ କଲେ ରାଜ୍ୟ ସରକାର

ଗଛକଟା ସ୍ଥାନରେ ପୁନଃ ବୃକ୍ଷରୋପଣ କରିବାକୁ ନିର୍ଦ୍ଦେଶ

177

କନକ ବ୍ୟୁରୋ: ଢେଙ୍କାନାଳର ବଳରାମପୁରରେ  ବିୟର ଫ୍ୟାକ୍ଟ୍ରି ପାଇଁ ଗଛ କଟାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯିବା ପରେ ବଟଲିଂ ପ୍ଲାଂଟ ପ୍ରକଳ୍ପକୁ ଅନ୍ୟତ୍ର ଜାଗା ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଗଛ କଟା ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର । ଖାଲି ଏତିକି ନୁହେଁ ଗଛ କଟା ଯାଇଥିବା ସ୍ଥାନରେ ପୁନଃ ବୃକ୍ଷରୋପଣ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର ଆରଡିସି ସ୍ତରୀୟ ତଦନ୍ତ ଆଧାରରେ ଏହି ନିର୍ଦ୍ଦେଶ ଦିଆଯାଇଛି ।

ଶନିବାର ଦିନ ଗଛକଟାକୁ  ବିରୋଧ କରି ଢେଙ୍କାନାଳ ବଳାରାମପୁରରେ ପୁଲିସ-ଗ୍ରାମବାସୀ ମୁହାଁମୁହିଁ  ହୋଇଥିଲେ । ଇଡକୋ ଦ୍ୱାରା ଗୃହୀତ ବିୟର କମ୍ପାନୀ ତଥା ବଟଲିଂ ପ୍ଲାଂଟ ପାଇଁ ଗଛ କଟା ଯାଉଥିବାବେଳେ ଏହାକୁ ବିରୋଧ କରିଥିଲେ ସ୍ଥାନୀୟ ମହିଳା । ସକାଳୁ ସକାଳୁ ପୁଲିସ ଉପସ୍ଥିତିରେ ଗଛ କଟା ଯାଉଥିବାବେଳେ ମହିଳାମାନେ ଠେଙ୍ଗାବାଡି ଧରି ଜଙ୍ଗଲରେ ପହଁଚି ଥିଲେ ।

ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ଏହାକୁ ନେଇ ମଧ୍ୟ ଉଭୟ ପକ୍ଷରୁ ଧସ୍ତାଧସ୍ତି ହୋଇଥିଲା । ପରେ ମହିଳାମାନେ ପୋଲିସକୁ ଠେଙ୍ଗା ଦେଖାଇ ଘଉଡାଇବାକୁ ଉଦ୍ୟମ କରିଥିଲେ । ମଦ କାରଖାନା ତିଆରି ପାଇଁ ଏହି ସ୍ଥାନରୁ ୯୫୮ଟି ଗଛ କଟାଯିବ ନିଷ୍ପତି ହୋଇଥିଲା, ଯାହାକୁ ବିରୋଧ କରୁଛନ୍ତି ଗ୍ରାମବାସୀ ।