ଗୁରୁତ୍ୱ ହରାଉଛି ଥ୍ରୀ-ଟି ! ଅପଡେଟ୍ ହେଉନି ୱେବସାଇଟ୍, ବଦଳି ପରେ ବି ବଦଳୁନି ବିଭାଗର ଠିକଣା ।

152

କନକ ବ୍ୟୁରୋ : ପ୍ରହସନ ପାଲଟିଛି ରାଜ୍ୟ ସରକାରଙ୍କ ଥ୍ରୀ-ଟି ବ୍ୟବସ୍ଥା । ଏଭଳି କିଛି ଉଦାହରଣ ରାଜ୍ୟ ସରକାରଙ୍କ ଆଇଏଏସ କ୍ୟାଡ଼ର ତାଲିକା ୱେବସାଇଟରେ ଦେଖିବାକୁ ମିଳିଛି । ଏହି ୱେବସାଇଟରେ ସମୟ ତାରିଖ ସଠିକ୍ ଦେଖାଉଥିଲେ ମଧ୍ୟ ଏଥିରେ ଆଇଏଏସ ଅଫିସରଙ୍କ ଅଦଳ ବଦଳର ତଥ୍ୟ ଅପଡ଼େଟ୍ ହେଉନଥିବା ଦେଖିବାକୁ ମିଳିଛି । ଉଦାହରଣ ନିକଟରେ ଉନ୍ନୟନ କମିଶନର ଦାୟିତ୍ୱରେ ଥିବା ଆର,ବାଲକ୍ରୀଷ୍ଣନଙ୍କୁ ବଦଳି କରାଯାଇ ଗୃହ ବିଭାଗର ସଚିବ ଦାୟିତ୍ୱରେ ଥିବା ଅସିତ୍ ତ୍ରୀପାଠୀଙ୍କୁ ଦାୟିତ୍ୱ ଦିଆଯାଇଛି । ହେଲେ ୱେବସାଇଟରେ ତାହା ଅପରିବର୍ତ୍ତିତ ରହିଛି । ସେହିଭଳି ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେଙ୍କ ବଦଳି ପରେ ମଧ୍ୟ ୱେବସାଇଟରେ ତାହା ପରିବର୍ତ୍ତନ କରାଯାଇନାହିଁ । ଏହିଭଳି ବିଭିନ୍ନ ଆଇଏଏସ ଅଧିକାରୀଙ୍କ ଅଦଳ ବଦଳ ଏବଂ ମିଳିଥିବା ନୂଆ ଦାୟିତ୍ୱ ସମ୍ବନ୍ଧରେ କିଛି ଉଲ୍ଲେଖ ନାହିଁ ।

ଅନ୍ୟପଟେ ସରକାରୀ ତଥ୍ୟ ଭଣ୍ଡାର ବୋଲାଉଥିବା ଇ-ଡେସପାଚ ପାଲଟିଛି ପଙ୍ଗୁ । ଦୀର୍ଘ ମାସ ହେବ ଅଚଳ ପଡ଼ି ରହିଛି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ୱେବସାଇଟ୍ । ଏପରିକି ଅନେକ ୱେବସାଇଟ୍ ରେ ଚିଠିର ଆଦାନ ପ୍ରଦାନ କ’ଣ ଯେମିତି ଭୂଲି ଯାଇଛନ୍ତି ସରକାରୀ ବାବୁ । ଯାହା ଏବେ ମୁଖ୍ୟମନ୍ତ୍ରୀଙ୍କ ଥ୍ରୀ-ଟି ସ୍ଲୋଗନର ସତକୁ ପଦାରେ ପାଇଛି । ଇ-ଡେସପାଚର ବିଭିନ୍ନ ବିଭାଗ ଅଚଳ ପଡ଼ି ରହିଥିବା ବେଳେ ସାମ୍ନାକୁ ଆସିଛି । ବିଗତ କିଛି ମାସ ହେବ ବିଭିନ୍ନ ବିଭାଗର ନା କୌଣସି ଯୋଜନାର ତଥ୍ୟ ନା କୌଣସି ପ୍ରଶାସନିକ ଚିଠିର ହୋଇଛି ଆଦାନ ପ୍ରଦାନ । ଏପରିକି ଗତ ୨୦୧୮ ଏପ୍ରିଲ ମାସରୁ ଅନେକ ବିଭାଗକୁ କୌଣସି ବି ଯୋଜନା କିମ୍ବା ଚିଠି ପ୍ରଶାସନିକ ସ୍ତରରୁ ପ୍ରାପ୍ତି ହୋଇନାହିଁ ଯାହା ଏବେ ଅନେକ ପ୍ରଶ୍ନ ଛିଡ଼ା କରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥ୍ରୀ-ଟି ଟ୍ରାନ୍ସପରେନ୍ସି, ଟିମ୍ ୱାର୍କ ଓ ଟେକ୍ନୋଲୋଜୀ ଉପରେ ଗୁରୁତ୍ୱ ଦେଇ ଲୋକମାନଙ୍କ ସହିତ ଯୋଡ଼ି ହେବାକୁ ସରକାରୀ କଳକୁ ଦାୟିତ୍ୱ ଦେଇଥିଲେ । କିନ୍ତୁ ଗତ କିଛି ଦିନ ହେବ ଲାଗୁଛି ଯେମିତି ପ୍ରହସନ ପାଲଟିଛି ମୁଖ୍ୟମନ୍ତ୍ରୀ ଙ୍କ ଥ୍ରୀ-ଟି ଯୋଜନା । ନିଜ ବିଭାଗ ଅଧିନରେ ଥିବା ତଥ୍ୟ ସମ୍ବଳିତ ଚିଠା ଭଣ୍ଡାର ଇ-ଡେସପାଚରେ କଳଙ୍କି ଲାଗିଯାଇଥିବା ପ୍ରତିଫଳିତ ହୋଇଛି ।