ଖାଦ୍ୟ ଯୋଗାଣରେ ଅନିୟମିତତା ହେଲେ କରନ୍ତୁ ଅନଲାଇନରେ ଅଭିଯୋଗ, ତୁରନ୍ତ ନିଆଯିବ କାର୍ଯ୍ୟାନୁଷ୍ଠାନ ।

ଲୋକମାନେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ବନ୍ଧୀୟ ଅଭିଯୋଗ ସହଜରେ ପଞ୍ଜୀକୃତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅନଲାଇନ୍ ଅଭିଯୋଗ ନମ୍ବର ୧୯୬୭ରେ ଦାୟର କରିପାରିବେ ।

778

କନକ ବ୍ୟୁରୋ: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ତତ୍ପରତା । ଜନତାଙ୍କ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ବିଭାଗ ତରଫରୁ ଏକ ଏକୀକୃତ ଅଭିଯୋଗ ନମ୍ବର କାର୍ଯ୍ୟକାରୀ କରାଯାଇଛି । ଏନେଇ ବିଭାଗୀୟ ମନ୍ତ୍ରୀ ରାଜା ସ୍ୱାଇଁ ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । କହିଛନ୍ତି କି, ଲୋକମାନେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ବନ୍ଧୀୟ ଅଭିଯୋଗ ସହଜରେ ପଞ୍ଜୀକୃତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅନଲାଇନ୍ ଅଭିଯୋଗ ନମ୍ବର ୧୯୬୭ରେ ଦାୟର କରିପାରିବେ ।

ଏପରିକି ଏହାର ମୂଳ ଲକ୍ଷ୍ୟ ହେଲା ସରକାର ଏବଂ ଜନତାଙ୍କ ମଧ୍ୟରେ ଯୋଗାଯୋଗକୁ ସହଜ ଓ ସୁଗମ କରିବା । ବିଭିନ୍ନ ମାଧ୍ୟମରୁ ଅଭିଯୋଗ ପଞ୍ଜୀକରଣ ପ୍ରକ୍ରିୟାକୁ ତ୍ୱରିତ କରିବା ସହ ଜନତାଙ୍କ ନିକଟରୁ ଆସୁଥିବା ପ୍ରତ୍ୟୋକ ଅଭିଯୋଗ ଉପରେ ନଜର ରଖିବା ହେଉଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମୁଖ୍ୟ ପ୍ରସଙ୍ଗ ବୋଲି ବିଭାଗୀୟ ମନ୍ତ୍ରୀ ରାଜା ସ୍ୱାଇଁ କହିଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି, ବର୍ତ୍ତମାନ ନବୀନ ସରକାରଙ୍କ ପଞ୍ଚମ ପାଳିରେ ଅଧିକ ଆକ୍ଟିଭ୍ ମୋଡ୍ ଆପଣାଇଛନ୍ତି । ତେଣୁ ବିଭିନ୍ନ ବିଭାଗରେ କିଭଳି ଅନିୟମିତତା ନହୁଏ ଏବଂ ଜନତାଙ୍କ ପାଖରେ ସବୁ ବିଭାଗର ପର୍ଯ୍ୟାପ୍ତ ସୁବିଧା ଜନତା କିଭଳି ପାଇବେ ସେନେଇ ମନ୍ତ୍ରୀ ମାନଙ୍କୁ ବାରମ୍ବାର ରିପୋର୍ଟ ମାଗୁଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିନରେ ବଣ୍ଟନ କରାଯାଉଥିବା ଖାଦ୍ୟ ସାମଗ୍ରୀକୁ ବିନା କୌଣସି ବାଧାରେ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଁଚାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।