ସପ୍ତମ ବେତନ କମିଶନ ! ଝୁଲିଲା ଓଡ଼ିଶା ସରକାରୀ କର୍ମଚାରୀଙ୍କ ଭାଗ୍ୟ

76

କନକ ବ୍ୟୁରୋ : ଝୁଲି ରହିଲା ଓଡ଼ିଶା ସରକାରୀ କର୍ମଚାରୀଙ୍କ ଭାଗ୍ୟ । କେଉଁ ଆଧାରରେ ଲାଗୁ ହେବ ସପ୍ତମ ବେତନ କମିଶନଙ୍କ ସୁପାରିଶ, ଏଥିପାଇଁ ଗଠିତ ରାଜ୍ୟସରକାରଙ୍କ ଫିଟମେଂଟ କମିଟିର ବଢିଲା ଅବଧୀ । ଏହି ୬ ଜଣିଆ କମିଟି ତାର ରିପୋର୍ଟ ଦେବାର ଅବଧି ଆଜି ଶେଷ ହେଉଥିଲା । ହେଲେ କମିଟି ଏଥିପାଇଁ ଅଧିକ ୪୫ ଦିନ ସମୟ ମାଗିଛିି ।

ଦରମାରେ ତାରତମ୍ୟ ଦୂର କରିବା ପାଇଁ ଅଧିକ ତର୍ଜମା ଆବଶ୍ୟକ ଥିବା ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ତଥା ଉନ୍ନୟନ କମିଶନର ଆର. ବାଲକ୍ରିଷ୍ଣନ । ଗତବର୍ଷ ଜୁନ ମାସରେ ସପ୍ତମ ବେତନ କମିସନଙ୍କ ସୁପାରିଶକୁ ଅନୁମୋଦନ କରିଥିଲେ କେନ୍ଦ୍ର ସରକାର । ଏହାର ୫ ମାସ ପରେ ଅର୍ଥାତ ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସପ୍ତମ ବେତନ କମିସନଙ୍କ ସୁପାରିଶ ଲାଗୁ କରିବା ପାଇଁ ଫିଟମେଂଟ କମିଟି ଗଠନ ନେଇ ଘୋଷଣା କରିଥିଲେ ।

୪ ମାସ ମଧ୍ୟରେ ଏହି କମିଟି ତର୍ଜମା କରି ରିପୋର୍ଟ ଦେବାକୁ କୁହାଯାଇଥିଲା । ତେବେ ନିର୍ଦ୍ଧାରିତ ସମୟରେ କମିଟି ରିପୋର୍ଟ ଦେଇନପାରିବାରୁ ଆଉ ୨ ମାସ ଅବଧି ବୃଦ୍ଧି କରାଯାଇଥିଲା । ଆଜି ଏହି ଅବଧି ଶେଷ ହେଉଥିଲେ ମଧ୍ୟ ପୁଣି ଥରେ ରିପୋର୍ଟ ଦେବା ନେଇ ମହଲତ ମାଗିଛି ଫିଟମେଂଟ କମିଟି ।