ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ ! ଛତିଶଗଡର ବିଳାସପୁର ଜେଲରୁ ଆସିଲା ଧମକପୂର୍ଣ୍ଣ ଚିଠି, ସ୍ପଷ୍ଟ କଲେ ବରିଷ୍ଠ ପୋଲିସ ଅଧିକାରୀ

60

ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନରୁ ମାରିବାକୁ ଧମକ । ଛତିଶଗଡ ଜେଲରୁ ନବୀନଙ୍କୁ ହତ୍ୟା ଧମକ ଦେଇଛନ୍ତି ଜଣେ କୁଖ୍ୟାତ ଅପରାଧୀ । ବିଳାସପୁର କେନ୍ଦ୍ରୀୟ କାରାଗାରରେ ବନ୍ଦୀ ଥିବା କୁଖ୍ୟାତ ଅପରାଧୀ ଏକ ଚିଠି ଜରିଆରେ ନବୀନ ପଟ୍ଟନାୟକଙ୍କୁ ଜୀବନରୁ ମାରିବାକୁ ଧମକ ଦେଇଛନ୍ତି ।

ବିଳାସପୁରର କେନ୍ଦ୍ରୀୟ କାରାଗାରରେ ବନ୍ଦ ଥିବା କୁଖ୍ୟାତ ଡକାୟତ ପୁଷ୍ପେନ୍ଦ୍ର ଚୌହାନ ଏଭଳି ଧମକପୂର୍ଣ୍ଣ ଚିଠି ପଠାଇଛନ୍ତି । ଏପରିକି ଚିଠିଟି ନିଜେ ଲେଖିଥିବା ସ୍ୱୀକାର ମଧ୍ୟ କରିଛି ପୁଷ୍ପେନ୍ଦ୍ର । ବ୍ୟାଙ୍କ ଲୁଟ ମାମଲାରେ କୋର୍ଟ ତାଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ଜେଲ ପରିସରରୁ ଏଭଳି ଚିଠି ଆସିବା ପରେ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

ଏଭଳି ଏକ ଖବର ହିନ୍ଦି ନ୍ୟୁଜ ୱେବସାଇଟ ଦୈନିକ ଜାଗରଣରେ ପ୍ରକାଶ ପାଇଛି । ତେବେ ଏନେଇ ଓଡିଶା ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ଏଭଳି ଏକ ଚିଠି ଆସିଥିବା ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏପରିକି ଛତିଶଗଡ ସରକାରଙ୍କୁ ମଧ୍ୟ ଏନେଇ ସମସ୍ତ ସୂଚନା ଦେଇଛନ୍ତି ଓଡିଶା ସରକାର । ତେବେ ମୁଖ୍ୟମନ୍ତ୍ରୀଙ୍କୁ ଜୀବନରୁ ମାରିବାକୁ କାହିଁକି ଜଣେ କଏଦୀ ଧମକ ଦେଇଛି ତାହାକୁ ନେଇ ଏବେ ତଦନ୍ତ ଆରମ୍ଭ ହୋଇଛି । ଛତିଶଗଡ ପୋଲିସ ପକ୍ଷରୁ ତଦନ୍ତ ଶେଷ ହେବା ପରେ କେଉଁ ଉଦ୍ଦେଶ୍ୟରେ ଉକ୍ତ ଅପରାଧୀ ଜଣକ ନବୀନଙ୍କୁ ମାରିବାକୁ ଧମକପୂର୍ଣ୍ଣ ଚିଠି ଲେଖିଥିଲେ ତାହା ଉପରୁ ପରଦା ଉଠିବ ।