‘କାଳିଆ’ ପାଇଁ ବଡ ଘୋଷଣା । ଚଳିତ ବଜେଟରେ କାଳିଆ ଯୋଜନା ପାଇଁ ୩, ୧୯୫ କୋଟି ଟଙ୍କା ବ୍ୟୟ ବରାଦ । ଯୋଜନାରେ ୪୩ ଲକ୍ଷ କୃଷକଙ୍କ ଖାତାକୁ ଯାଇଛି ସିଧାସଳଖ ଟଙ୍କା ।

1,767

କନକ ବ୍ୟୁରୋ: କୃଷକଙ୍କ ସଞ୍ଜିବନୀ କୁହାଯାଉଥିବା ‘କାଳିଆ’ ପାଇଁ ୩, ୧୯୫ କୋଟି ଟଙ୍କା ବ୍ୟୟ ବରାଦ । ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଏବଂ ଚାଷ କ୍ଷେତ୍ରରେ ସେମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ୨୦୧୮-୧୯ରେ ଆରମ୍ଭ ହୋଇଥିବା କାଳିଆ ଯୋଜନାକୁ ଅଧିକ ଲୋକଭିମୁଖୀ କରିବା ପାଇଁ ଏଥର ବଜେଟରେ ୩,୧୯୫ କୋଟି ଟଙ୍କା ଘୋଷଣା କରାଯାଇଛି ।

ତେବେ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୪୩ ଲକ୍ଷ କୃଷକଙ୍କୁ ସହାୟତା ଯୋଗାଇ ଦିଆଯାଇଛି । କାଳିଆ ଯୋଜନାରେ ମୋଟ ୫୧୧୫ କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯାଇଛି । ଚାଷୀଙ୍କ ଶ୍ରମ ପାଇଁ ଓଡିଶା କୃଷି କର୍ମଣ ପୁରସ୍କାର ପାଉଥିବାରୁ କାଳିଆ ଯୋଜନାରେ କେହି ଜଣେ ବି ଯୋଗ୍ୟ ହିତାଧିକାରୀ ଯେମିତି ବାଦ ନପଡନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଇଛି ।

ତେବେ କୃଷକଙ୍କ ଆୟକୁ ଆହୁରି ଦ୍ୱିଗୁଣିତ କରିବା ପାଇଁ ‘ସମୃଦ୍ଧି କୃଷିନୀତି ୨୦୨୦’ ଘୋଷଣା କରାଯାଇଛି । ଏହା ଦ୍ୱାରା ଚାଷୀଙ୍କ ଆୟ ସ୍ଥିର ହେବା ସହ ଆୟ ବୃଦ୍ଧି ହୋଇପାରିବ । ଚାଷୀଙ୍କୁ ବିହନ ଯୋଗାଇ ଦେବା ପାଇଁ ୧୦୦ କୋଟି ଏବଂ ସାର ପାଇଁ ୧୦୦ କୋଟି ପାଣ୍ଠି ରଖା ଯାଇଛି । ଚଳିତ ବର୍ଷ ଚାଷଜମିକୁ ଜଳ ଯୋଗାଣ କରିବା ପାଇଁ ଅଧିକ ଫୋକସ କରାଯାଇଛି । ପୂର୍ବଥର ଠାରୁ ଏଥର ଆଉ ୧.୮୪ ଲକ୍ଷ ହେକ୍ଟର ଜଳ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ବିଗତ ୫ ବର୍ଷରେ ୬ଟି ବୃହତ୍ତ ଜଳସେଚନ ପ୍ରକଳ୍ପ କରାଯାଇଛି । ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ ୧୦୬୦ କୋଟି ବ୍ୟୟବରାଦ । ରୁଫ ଟପ ଓ ଗ୍ରାଉଣ୍ଡ ୱାଟର ରିଚାର୍ଜ ପାଇଁ ୫ ବର୍ଷରେ ୨୪୬ କୋଟି ଖର୍ଚ୍ଚ ହେବ ।

ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ଗବେଷଣା କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯିବ । କୃଷି ଗବେଷଣା, ଶିକ୍ଷା ଓ ଭିତ୍ତିଭୂମି ବିକାଶ ପାଇଁ ୧୫୦ କୋଟି ବ୍ୟୟବରାଦ । ପ୍ରଧାନମନ୍ତ୍ରୀ ଫସଲବୀମା ପାଇଁ ୭୦୦ କୋଟି ବ୍ୟୟବରାଦ । ମିଲେଟ ମିଶନ ପାଇଁ ୧୦୬ କୋଟି ବ୍ୟୟବରାଦ । ୧୫ ଜିଲ୍ଲାରେ ୧୦ ହଜାର ଫୋକରୀ ନବୀକରଣ ପାଇଁ ଯୋଜନା । ମତ୍ସ୍ୟ ଚାଷ ଓ ପଶୁ ପାଳନ ପାଇଁ ଖର୍ଚ୍ଚ ହେବ ୧୨୧୧ କୋଟି । ମାଛ ଚାଷ ପାଇଁ ପୋଖରୀ ଖୋଳିବାକୁ ୨୮ କୋଟି ବ୍ୟୟବରାଦ । ଗୋପାଳନ ଓ ଦୁଗ୍ଧ ଉତ୍ପାଦନ ପାଇଁ ୧୦୦ କୋଟି ବ୍ୟୟବରାଦ ହୋଇଛି ।