ଆସୁ ଆସୁ ଉଠିଗଲା କଂଗ୍ରେସ । ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଚାଲିଥିବା ବେଳେ ଅସନ୍ତୋଷ ପ୍ରକାଶ କରି କକ୍ଷ୍ୟତ୍ୟାଗ କଲେ କଂଗ୍ରେସ ବିଧାୟକ

198

କନକ ବ୍ୟୁରୋ: ଅଧିବେଶନ ଆରମ୍ଭ ହେଉ ହେଉ ଆସନରୁ ଉଠି ପଳାଇଲା କଂଗ୍ରେସ । ମହାମହିମ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ହିଁ ଅସନ୍ତୋଷ ପ୍ରକାଶ କଲେ କଂଗ୍ରେସ ସଦସ୍ୟ । ନିଜ ଆସନରେ ଛିଡା ହୋଇ ରାଜ୍ୟପାଳଙ୍କ ଭାଷଣକୁ ପ୍ରତିବାଦ କଲେ । ଆଉ କିଛି ସମୟ ପରେ ବିରୋଧୀ କଂଗ୍ରେସର ସମସ୍ତ ବିଧାୟକ କକ୍ଷତ୍ୟାଗ କରିଥିବା ଦେଖିବାକୁ ମିଳିଛି ।

ତେବେ ଚଳିତ ବଜେଟ ଅଧିବେଶନ ଆରମ୍ଭରୁ ରାଜ୍ୟପାଳ ଗଣେଶୀ ଲାଲ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ । ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସରକାରଙ୍କ ଯୋଜନାକୁ ନେଇ ବକ୍ତବ୍ୟ ଦେଇଥିଲେ । ଅଭିଭାଷଣରେ ମୋ ସରକାରକୁ ପ୍ରଶଂସା କରିବା ସହ ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ମଧ୍ୟ ଭୁରୁ ଭୁରି ପ୍ରଶଂସା କରିଛନ୍ତି ରାଜ୍ୟପାଳ ।

କାଳିଆ ଯୋଜନା ପାଇଁ ଚାଷୀଙ୍କ ଆୟ ଅତୀତରେ ଦୁଇ ଗୁଣା ହୋଇଛି । ଚାଷୀଙ୍କୁ ମୋ ସରକାରରେ ସୁବିଧା ମିଳୁଛି । ଛାତ୍ରଛାତ୍ରୀଙ୍କ ପାଇଁ କାଳିଆ ଛାତ୍ର ବୃତ୍ତି ଯୋଜନା ଲାଗୁ ହୋଇଛି । ଏଥିସହ ମୋ ସରକାର ଓଡିଶାର କଳା, ସଂସ୍କୃତି ଏବଂ ଐତିହ୍ୟକୁ ବଞ୍ଚାଇ ରଖିବାକୁ ଶ୍ରୀମନ୍ଦିରକୁ ଅଧିକ ଫୋକସ କରିଥିବା ରାଜ୍ୟପାଳ କହିଛନ୍ତି ।

ଶ୍ରୀଜନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ମୋ ସରକାର ଫୋକସ ଦେଉଛନ୍ତି । ଶ୍ରୀମନ୍ଦିର ବିକାଶ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି । ଯାହାର ଝଲକ ନିକଟରେ ହୋଇଥିବା ଶ୍ରୀମନ୍ଦିରର ବିଭିନ୍ନ ସୌନ୍ଦର୍ୟ୍ୟକରଣ କାର୍ୟ୍ୟରୁ ଦେଖିବାକୁ ମିଳିଛି । ଠିକ୍ ସେହିପରି ଶ୍ରୀ ଲିଙ୍ଗରାଜ ମନ୍ଦିର ବିକାଶ ପାଇଁ ପଦକ୍ଷେପ ନେଉଛନ୍ତି ସରକାର । ଅନ୍ୟପଟେ ରାଜ୍ୟରେ ଦାରିଦ୍ର୍ୟ ଦୂର କରିବାକୁ ପଦକ୍ଷେପ ନିଆଯାଇଛି । ଉଠା ଜଳସେଚନ ଜରିଆରେ ଚାଷୀଙ୍କୁ ଜଳଯୋଗାଣ ଦିଗକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।