‘ଆତ୍ମହତ୍ୟା କରିଛନ୍ତି ସ୍ମିତାରାଣୀ’: ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା ପରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

513

କନକ ବ୍ୟୁରୋ: ସ୍ମିତାରାଣୀଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ । ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି । ବେକରେ ଦଉଡି ଲାଗି, ଶ୍ୱାସରୁଦ୍ଧ ହୋଇ ସ୍ମିତାରାଣୀଙ୍କ ମୃତ୍ୟୁ ହୋଇଛି । ସେ ଆତ୍ମହତ୍ୟା କରିଥିବା ନେଇ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି । ରୂପେଶ ଭଦ୍ରଙ୍କ ନାଁରେ ପ୍ରମାଣ ମିଳିବାରୁ ତାଙ୍କୁ ୩୦୬ ଦଫାରେ ଗିରଫ କରାଯାଇଛି । ଘଟଣା ନେଇ ଅଧିକ ତଦନ୍ତ ଚାଲିଛି ବୋଲି ଗୃହରେ ଏଭଳି ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ସ୍ମିତାରାଣୀ ମୃତ୍ୟୁ ମାମଲା ନେଇ କାଲିଠୁ ଆଜି ଯାଏଁ ଗୃହ ହୁଲସ୍ତୁଲ ହେଉଥିବା ବେଳେ ଗୃହରେ ଆଲୋଚନା ପାଇଁ ଅଡି ବସିଥିଲେ ବିରୋଧୀ । ଆଉ ଶେଷରେ ଆଜି ଉତ୍ତର ରଖିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ସେପଟେ ଆଜି ଆରମ୍ଭରୁ ବାରମ୍ବାର ମୁଲତବି ହେଉଛି ବିଧାନସଭା । ବିରୋଧୀଙ୍କ ହଲ୍ଲାବୋଲ ପାଇଁ ଆଜି ଜମା ଚାଲିପାରିନି ଗୃହ । ସ୍ମିତାରାଣୀ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିବା ପରେ ଦ୍ୱିତୀୟ ଦିନରେ ଦୁଇ ଦୁଇ ଥର ମୁଲତବି ହୋଇଛି ବିଧାନସଭା ।

ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେପି ବିଧାୟକମାନେ ହଟ୍ଟଗୋଳ କରିଥିଲେ । ପ୍ରଶ୍ନ ଉତ୍ତର କାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଧାୟକ ଗୃହ ଭିତରେ ହଟ୍ଟଗୋଳ କରିଥିଲେ । ପ୍ଲାକାର୍ଡ ଦେଖାଇ ପ୍ରଦର୍ଶନ କରିଥିଲେ ବିଜେପି ବିଧାୟକ । ସ୍ମିତାରାଣୀ ମୃତ୍ୟୁ ଘଟଣାରେ ତଦନ୍ତ ଦାବି, ଯାଜପୁର ଏସପିଙ୍କ ବହିସ୍କାର, ବେଆଇନ ଘରର ପୃଷ୍ଠପୋଷକ କିଏ , ରଂଗଶାଳାରୁ ସିସିଟିଭି ଗଲା କୁଆଡେ ବୋଲି ବିଜେପି ବିଧାୟକ ମାନେ ବିରୋଧ କରିଥିଲେ