ଏଥର କମିଛି ମତଦାନ ହାର: ବ୍ରହ୍ମପୁର, ପୁରୀ ଓ କେନ୍ଦୁଝରରେ କମିଛି ୨%ରୁ ଅଧିକ

ତୃତୀୟ ପର୍ଯ୍ୟାୟରେ ୧୧୬୧ କିନ୍ନରରୁ ୧୦୦ଜଣ ଭୋଟ୍ ଦେଲେ, କେନ୍ଦୁଝରରେ ସର୍ବାଧିକ ୭୮.୧୬%, ଭୁବନେଶ୍ବରରେ ସର୍ବନିମ୍ନ ୫୯.୬୦%

92

କନକ ବ୍ୟୁରୋ: ରାଜ୍ୟରେ ୨୧ଟି ଲୋକସଭା ଆସନରୁ ୧୫ଟିରେ ତିନିଟି ପର୍ଯ୍ୟାୟରେ ନିର୍ବାଚନ ସରିଲାଣି। ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ କେତେ କେତେ ସିଟ୍ ପାଇବେ ତା’ର ହିସାବ ମଧ୍ୟ ଦେଇସାରିଲେଣି। ହେଲେ ତିନିଟି ଯାକ ପର୍ଯ୍ୟାୟରେ ଏଥର ଗତଥର ଅପେକ୍ଷା ମତଦାନ ହାର କମ୍ ରହୁଥିବାରୁ କିଏ କେତେ ସିଟ୍ ପାଇବେ ତାହା ଆକଳନ କରିବା କଷ୍ଟକର ହୋଇପଡ଼ିଲାଣି। ଅପରପକ୍ଷେ ତିନିଟି ପର୍ଯ୍ୟାୟରେ ମତଦାନ ହାର କମିଥିବାବେଳେ ଚତୁର୍ଥ ପର୍ଯ୍ୟାୟରେ ଏହି ଟ୍ରେଣ୍ଡ ଜାରି ରହୁଛି ନା ବଢ଼ୁଛି ତାହା ଉପରେ ସମସ୍ତଙ୍କ ନଜର।

ପ୍ରଥମ ପର୍ଯ୍ୟାୟରେ ସର୍ବଭାରତୀୟ ସ୍ତରରେ ମତଦାନ ହାର ବଢ଼ିଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ହାର କମ୍ ରହିଥିଲା। ତୃତୀୟ ପର୍ଯ୍ୟାୟରେ ଉତ୍ସାହଜନକ ବି ହୋଇନି। ଅପରପକ୍ଷେ ଓଡ଼ିଶାରେ ତିନିଟି ପର୍ଯ୍ୟାୟରେ ହୋଇଥିବା ମତଦାନ ହାରକୁ ଦେଖିଲେ ମାତ୍ର ୪ଟି ଆସନରେ ମତଦାନ ହାର ସାମାନ୍ୟ ବଢ଼ିଥିବାବେଳେ ୧୧ଟି ଆସନରେ ମତଦାନ ହାର କମିଛି। ଏଥିରୁ ବ୍ରହ୍ମପୁର, ପୁରୀ ଓ କେନ୍ଦୁଝରରେ ୨%ରୁ ଅଧିକ ମତଦାନ ହାର କମିବା ଏବେବି ମତଦାନ ନେଇ ଲୋକ ସଚେତନ ନହେବା ସ୍ପଷ୍ଟ ହେଉଛି।

ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟରେ ନିର୍ବାଚନ ହୋଇଥିବାବେଳେ କଳାହାଣ୍ଡିରେ ୦.୨୭% ଏବଂ ନବରଙ୍ଗପୁରରେ ୦.୧୭% ବଢ଼ିଛି। ହେଲେ ବ୍ରହ୍ମପୁରରେ ୨.୨୪% ଏବଂ କୋରାପୁଟରେ ୧.୨୪% କମିଛି। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ୫ଟି ଆସନ ପାଇଁ ନିର୍ବାଚନ ହୋଇଥିବାବେଳେ ଏଥିରୁ ୪ଟି ଆସନରେ ମତଦାନ କମିଛି। ବରଗଡ଼ରେ ୦.୮୧% କମିଥିବାବେଳେ ସୁନ୍ଦରଗଡ଼ରେ ୦.୧୩%, ବଲାଙ୍ଗୀରରେ ୦.୩୨%, କନ୍ଧମାଳରେ ୦.୬୧% କମିଛି। କେବଳ ଆସ୍କାରେ ୨.୨୪% ବଢ଼ିଛି। ସେହିପରି ତୃତୀୟ ପର‌୍ୟ୍ୟାୟରେ ୬ଟି ଆସନରେ ନିର୍ବାଚନ ହୋଇଥିବାବେଳେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀରେ ମତଦାନ ହାର କମିଛି। କେବଳ ଭୁବନେଶ୍ବରରେ ମତଦାନ ହାର ବଢ଼ିଛି। ହିସାବ ଅନୁଯାୟୀ ଏଥର ସମ୍ବଲପୁରରେ ୦.୨୪%, କେନ୍ଦୁଝରରେ ୨.୩୨%, ଢେଙ୍କାନାଳରେ ୧.୪୫%, କଟକରେ ୧.୭%, ପୁରୀରେ ୨.୧୮% ମତଦାନ ହାର କମିଛି। ଅପରପକ୍ଷେ ଭୁବନେଶ୍ବରରେ ୧.୨୨% ମତଦାନ ହାର ବଢ଼ିଛି।

ବ୍ରହ୍ମପୁର, କେନ୍ଦୁଝର ଏବଂ ପୁରୀରେ ୨%ରୁ ଅଧିକ ମତଦାନ ହାର କମିଥିବାରୁ ଏହା ଚିନ୍ତାର ବିଷୟ ପାଲଟିଛି। ସେହିପରି ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଆସନରେ ୧୧୬୧ଜଣ କିନ୍ନର ମତଦାନ କରିବାକୁ ତାଲିକାରେ ସ୍ଥାନ ପାଇଥିବାବେଳେ ମାତ୍ର ୧୦୦ଜଣ ଭୋଟ୍ ଦେବା ଚିନ୍ତାର ବିଷୟ ପାଲଟିଛି। କିନ୍ନରମାନେ ନିଜ ଅଧିକାର ସାବ୍ୟସ୍ତ କରିବାକୁ ବୁଥକୁ ନଆସିବା ସେମାନଙ୍କ ସଚେତନତା ନେଇ ପ୍ରଶ୍ନ ଉଠାଇଛି।

ତୃତୀୟ ପର୍ଯ୍ୟାୟ ମତଦାନ : କେନ୍ଦୁଝରରେ ସର୍ବାଧିକ ୭୮.୧୬%, ଭୁବନେଶ୍ବରରେ ସର୍ବନିମ୍ନ ୫୯.୬୦%

ଏପ୍ରିଲ୍ ୨୩ ତାରିଖରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦୁଝରରେ ସର୍ବାଧିକ ୭୮.୧୬ ପ୍ରତିଶତ ମତଦାନ ହୋଇଥିବା ବେଳେ ଭୁବନେଶ୍ବରରେ ସର୍ବନିମ୍ନ ୫୯.୬୦ ପ୍ରତିଶତ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି । ତୃତୀୟ ପର‌୍ୟ୍ୟାୟରେ ମୋଟ ମତଦାନ ହାର ୭୧.୬୧ ପ୍ରତିଶତ ରେକର୍ଡ କରାଯାଇଛି।

ଜାତୀୟ ନିର୍ବାଚନ କମିସନଙ୍କ ସୂଚନାନୁଯାୟୀ ରାଜ୍ୟରେ ଗତ ୨୩ ତାରିଖରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ମୋଟ ୯୨ ଲକ୍ଷ ୫୬ ହଜାର ୯୨୨ଜଣ ମତଦାତା ଭୋଟ ଦେଇଥିଲେ। ଏଥିମଧ୍ୟରୁ ପୁରୁଷ ମତଦାତାଙ୍କ ସଂଖ୍ୟା ୩୪ ଲକ୍ଷ ୨୩ ହଜାର ୧୧୯ ଥିବା ବେଳେ ମହିଳା ମତଦାତାଙ୍କ ସଂଖ୍ୟା ହେଉଛି ୩୨ ଲକ୍ଷ ୬ ହଜାର ୬୨୬। ଏମାନଙ୍କ ସହିତ ପ୍ରାୟ ୧୦୦ଜଣ ତୃତୀୟ ଲିଙ୍ଗ ବା କିନ୍ନର ମତଦାତା ଅଛନ୍ତି। ଭୁବନେଶ୍ବର ଲୋକସଭା ଆସନରେ ୪୯ଜଣ କିନ୍ନର ମତଦାନ କରିଥିବା ବେଳେ କଟକରେ ୨୦ଜଣ, ପୁରୀରେ ୧୭ଜଣ ଓ ସମ୍ବଲପୁରରେ ୧୦ଜଣ କିନ୍ନର ନିଜ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। କେନ୍ଦୁଝର ଓ ଭୁବନେଶ୍ବର ଲୋକସଭା କ୍ଷେତ୍ରକୁ ଛାଡ଼ିଦେଲେ ସମ୍ବଲପୁରରେ ୭୬.୩୮ ପ୍ରତିଶତ, ଢେଙ୍କାନାଳରେ ୭୪.୯୮ ପ୍ରତିଶତ, କଟକରେ ୬୯.୬୫ ପ୍ରତିଶତ, ପୁରୀରେ ୭୨.୫୩ ପ୍ରତିଶତ ମତଦାନ ହୋଇଛି।