‘ଓଡିଶା ମୋ ରାଜ୍ୟ ଆଉ ଓଡିଆ ମୋ ଭାଷା’… ରିଲିଜ ହେଲା ବିଗ ଡିଲଙ୍କ ଆଉ ଏକ ମ୍ୟୁଜିକ ଭିଡିଓ ‘ଓଡିଆ ମୋ ଭାଷା’ । ଭିଡିଓରେ ଭରି ରହିଛି ଓଡିଆ ଭାଷାର ମିଠାପଣ

660

କନକ ବ୍ୟୁରୋ: ରିଲିଜ ହେଲା ରାପର ବିଗ ଡିଲଙ୍କ ଆଉ ଏକ ମ୍ୟୁଜିକ ଭିଡିଓ । ‘ଓଡିଆ ମୋ ଭାଷା’ ଶୀର୍ଷକ ମ୍ୟୁଜିକ ଭିଡିଓରେ ଓଡିଆ ଭାଷାର ମିଠାପଣ ଆଉ ମାଧୁର୍ଯ୍ୟକୁ ରାପ କରି ବର୍ଣ୍ଣନା କରିଛନ୍ତି ବିଗ୍ ଡିଲ୍ । ତେବେ ରାପ ମାଧ୍ୟମରେ ଓଡିଶାର ଆଧୁନିକ ଯୁବବର୍ଗଙ୍କ ପ୍ରିୟ ପାଲଟିଥିବା ବିଗ୍ ଡିଲ ଓରଫ ସମୀର ରିଷୁ ମହାନ୍ତି ନିଜ ପ୍ରିୟ ଦର୍ଶକଙ୍କୁ ପୁଣି ଏକ ଭିଡିଓ ଭେଟି ଦେଇଛନ୍ତି । ଯେଉଁଥିରେ ଓଡିଆ ଭାଷାର ଗୁରୁତ୍ୱକୁ ନିଜେ ଅଭିନୟ କରି ସୁନ୍ଦର ଭାବେ ବଖାଣିଛନ୍ତି ସମୀର ।

ତେବେ ଗୀତ ଆରମ୍ଭରୁ ‘ଭାରତ ମୋ ଦେଶ ଆଉ ଜାଣେ ଦେଶସାରା… କି ଓଡିଶା ମୋ ରାଜ୍ୟ ଆଉ ଓଡିଆ ମୋ ଭାଷା…’ କହି ଓଡିଆ କହୁନଥିବା ଲୋକଙ୍କୁ ରାପ ମାଧ୍ୟମରେ ତାଚ୍ଛଲ୍ୟ କରିଛନ୍ତି ବିଗ୍ ଡିଲ୍ । ସେ ନିଜେ ଅଧା ଓଡିଆ ହୋଇ ବି ଓଡିଶାକୁ ଆଉ ଓଡିଆ ଭାଷାକୁ ବହୁତ ଭଲପାଆନ୍ତି, ଓଡିଆ କହିବାକୁ ପସନ୍ଦ କରନ୍ତି ମାତ୍ର କଣ ପାଇଁ ଓଡିଆ ଲୋକ ନିଜ ମାତୃଭାଷାକୁ ହେୟ ମଣି ହିନ୍ଦୀ-ଇଂଲିଶରେ କଥା ହୁଅନ୍ତି ବୋଲି ସମୀର ନିଜ ରାପ ମାଧ୍ୟମରେ ପ୍ରଶ୍ନ କରିଥିବା ବେଳେ ଓଡିଆ ଭାଷା ମାଧ୍ୟମରେ ଏକାଠି ହୋଇ ରାଜ୍ୟକୁ ଆଗକୁ ନେବାକୁ ବାର୍ତ୍ତା ଦେଇଛନ୍ତି ।

ଓଡିଆ ଭାଷା ସବୁ ଭାଷା ଠାରୁ ସୁନ୍ଦର । ନିଜ ରାପରେ ଏ କଥାକୁ ବେଶ ସୁନ୍ଦର ଭାବେ ଫୁଟାଇଛନ୍ତି ସମୀର । ଖାଲି ଭାଷା ନୁହେଁ ଓଡିଶାର ପ୍ରସିଦ୍ଧ ସ୍ଥାନ ପୁରୀ, କୋଣାର୍କ, ସମୁଦ୍ର କୂଳ ସହ ଓଡିଶୀ ନୃତ୍ୟ, ଭୁବନେଶ୍ୱର ଷ୍ଟେସନକୁ ନିଜ ମ୍ୟୁଜିକ ଭିଡିଓରେ ସ୍ଥାନ ଦେଇଛନ୍ତି । ତେବେ ଗରିବର ହସ, ଗାଁର ବୁଢୀ ମାଉସୀ ହସରେ ଓଡିଆ ଭାଷା ଲୁଚିଥିବା ସେ ରାପରେ ଫୁଟାଇଛନ୍ତି ।

ତେବେ ଭିଡିଓ ରିଲିଜ କରିବା ଅବସରରେ ସମୀର ଲେଖିଛନ୍ତି କି, ଏହା ମୋ ବାପାଙ୍କ ସ୍ୱପ୍ନ ଥିଲା । ବାପାଙ୍କ ଦେହାନ୍ତ ପରେ ଏହି ଭିଡିଓ ତିଆରି କରି ମୁଁ ପୁଅର କର୍ତ୍ତବ୍ୟ କରିଛି । ଗୀତଟି ଭାବାବେଗ ସହ ଜଡିତ ଥିବାରୁ ଏହା ଓଡିଶାବାସୀଙ୍କୁ ଭଲ ଲାଗିବ ବୋଲି ଆଶା ବାନ୍ଧିଛନ୍ତି ସମୀର ଉରଫ ବିଗ୍ ଡିଲ୍ ।

ସେପଟେ ପୂର୍ବରୁ ମଧ୍ୟ ଓଡିଶା ଏବଂ ନିଜ ଜନ୍ମ ସହର ପୁରୀକୁ ନେଇ ‘ମୁଁ ହେଲି ଓଡିଆ’ ନାମକ ଏକ ମ୍ୟୁଜିକ ଭିଡିଓ କରି ସାରିଛନ୍ତି ସମୀର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଆପଣ ମାନେ ଖୁସି ତ’ ଡାଇଲଗକୁ ନେଇ ଖୁସି ତ ବୋଲି ମ୍ୟୁଜିକ କରିଛନ୍ତି ବିଗ ଡିଲ । ତେବେ ବାପା ଓଡିଆ ଓ ମାଆ ଜାପାନୀ ଥିବା ସମୀରଙ୍କ ରାପ ଶୈଳୀ ସମସ୍ତଙ୍କୁ ବାନ୍ଧି ରଖିଛି । ଆଉ ରିଲିଜ ହୋଇଥିବା ଓଡିଆ ମୋ ଭାଷା ବି ସମସ୍ତଙ୍କୁ ଭଲ ଲାଗିବ ବୋଲି ବିଗ୍ ଡିଲ୍ ଆଶା ରଖିଛନ୍ତି ।