ପୁନେରେ ଓଡ଼ିଆ ଝିଅକୁ ଶୋଷଣର ସାଂଘାତିକ କାହାଣୀ: ଅଚେତ କରି ବଳାତ୍କାର କଲା, ବ୍ଲାକମେଲିଂ କରି ୪ ଲକ୍ଷ ଲୁଟି ନେଲା ମଧ୍ୟପ୍ରଦେଶ ଯୁବକ । ନ୍ୟାୟ ପାଇଁ ମହାରାଷ୍ଟ୍ରରେ ଏକା ଏକା ଲଢୁଛନ୍ତି ପୀଡ଼ିତା

1,744

କନକ ବ୍ୟୁରୋ: ଫେସବୁକରୁ ଆରମ୍ଭ, ପ୍ରତାରଣାରେ ଶେଷ । ପ୍ରଥମେ ଦୁଷ୍କର୍ମ ଓ ପରେ ଭିଡିଓ ସୁଟିଂ କରି ବ୍ଲାକମେଲିଂ  । ପୁଣେରେ ଓଡିଆ ଝିଅଙ୍କ ଲାଂଛନା ଓ ନିର୍ଯାତନାର କାହାଣୀ ଶୁଣିଲେ ଆପଣ ହତଚକିତ ହୋଇଯିବେ । ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜରୁ ପାସ୍ କରିବା ପରେ ପୁନେର ଏକ ମଲ୍ଟି ନ୍ୟାସନାଲ କଂପାନୀରେ କାମ କରୁଥିଲେ ପୀଡ଼ିତା । ସେହି କଂପାନୀରେ କାମ କରୁଥିବା ସାର୍ଦୁଲ ବିକ୍ରମ ସିଂ ନାମକ ଜଣେ ଯୁବକ ସହ ଫେସବୁକରୁ ବନ୍ଧୁତା ହେବା ପରେ ପୀଡ଼ତାଙ୍କ ଜୀବନରେ ଘୋଟି ଆସିଥିଲା ପ୍ରତାରଣାର କଳା ବାଦଲ । ପ୍ରଥମେ ମିଠା କଥା କହି ପୀଡ଼ିତାଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲା ସାର୍ଦୁଲ । ପୀଡ଼ିତାଙ୍କ ଅଭିଯୋଗ, ପ୍ରଥମେ ଅଚେତ କରି ବଳାତ୍କାର ଓ ପରେ ବ୍ଲାକ୍ମେଲିଂର ଷଡ଼ଯନ୍ତ୍ର ରଚିଥିଲା ଅଭିଯୁକ୍ତ ।

ବଳାତ୍କାରର ଭିଡିଓ ରେକଡିଂ କରି ପୀଡ଼ିତାଙ୍କୁ ବ୍ଲାକମେଲିଂ କରିବା ସହ ତାଙ୍କ ଠାରୁ ଲୁଟି ନେଇଥିଲା ହଜାର ହଜାର ଟଙ୍କା । ପୀଡ଼ିତାଙ୍କ ଠାରୁ ୪ ଲକ୍ଷରୁ ଅଧିକ ଟଙ୍କା ହଡ଼ପ କରିବା ପରେ ବି ସାର୍ଦୁଲର ମନ ଶାନ୍ତି ହୋଇନଥିଲା । କେତେବେଳେ ଶାରୀରିକ ସଂପର୍କ ପାଇଁ ଚାପ ପକାଉଥିଲା ତ କେତେବେଳେ ଅଶ୍ଳୀଳ ମେସେଜ୍ ପଠାଇ ମାନସିକ ନିର୍ଯାତନା ଦେଉଥିଲା ।

ସବୁଦିନ ପାଇଁ ଘଟଣାରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ମନସ୍ତ କଲେ ପୀଡ଼ିତା । ପୁନେସ୍ଥିତ ଚନ୍ଦନନଗର ଥାନାରେ ଏ ନେଇ ଅଭିଯୋଗ କଲେ । ହୁଏତ ସେ ଭାବୁଥିଲେ, ପୋଲିସରେ ଜଣାଇବା ପରେ ଲାଂଛନାରୁ ବର୍ତିଯିବେ, ସାର୍ଦୁଲ ନିଜ ଅପକର୍ମ ପାଇଁ ଦଣ୍ଡ ପାଇବ । ହେଲେ ଜାଣିନଥିଲେ, ନ୍ୟାୟ ପାଇଁ ଥାନାରୁ କୋର୍ଟ ପର୍ଯ୍ୟନ୍ତ ତାଙ୍କୁ ଚକ୍କର କାଟିବାକୁ ପଡ଼ିବ । ଶେଷରେ ପୁନେ ସେସନ୍ କୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲା ଦାୟର କଲା ପୋଲିସ ।

ଆଖିର ଲୁହକୁ ପିଇ, ମନର କୋହକୁ ଛାତି ତଳେ ଚାପି ରଖି ନ୍ୟାୟ ପାଇବା ପାଇଁ ଚାହିଁ ବସିଛନ୍ତି ପୀଡ଼ିତା । ବାପା ହୃଦରୋଗୀ, ମାଆ ପୀଡ଼ିତାଙ୍କ ସହ ରହୁଛନ୍ତି ପୁନେରେ । ଏବେ ଯାହା ଉପାର୍ଜନ କରୁଛନ୍ତି, ଅଧା ଖର୍ଚ୍ଚ ହେଉଛି କୋର୍ଟରେ ମାମଲା ଲଢ଼ିବା ପାଇଁ । ତେବେ ଦୁଷ୍କର୍ମ, ଦୁଷ୍କର୍ମର ଭିଡିଓ ସୁଟିଂ କରିବା, ବ୍ଲାକମେଲିଂ କରିବା ଭଳି ସଂଗୀନ ଅଭିଯୋଗ ପରେ ବି ଖୋଲା ବୁଲୁଛି ଅଭିଯୁକ୍ତ ।

ଅଭିଯୁକ୍ତ ସାର୍ଦୁଲର ଘର ମଧ୍ୟପ୍ରଦେଶରେ, ଝିଅଙ୍କୁ ପ୍ରେମ ଫାଶରେ ପକାଇ ବ୍ଲାକମେଲିଂ କରିବା ତା’ର ପୁରୁଣା ଅଭ୍ୟାସ । ୧୨ ବର୍ଷ ଧରି ଅନେକ ଝିଅଙ୍କ ସହ ଶାରୀରିକ ସଂପର୍କ ରଖି ବ୍ଲାକମେଲିଂ କରିଥିଲେ ବି କେହି ତା’ର କିଛି କରିପାରିବେନାହିଁ ବୋଲି ପୀଡ଼ିତାଙ୍କୁ ମେସେଜ ଦେଇ କହିଛି ଅଭିଯୁକ୍ତ ।

ତେବେ ଏବେ ପ୍ରଶ୍ନ ଉଠୁଛି, ମହିଳାଙ୍କୁ ଦୁଷ୍କର୍ମ ଓ ନିର୍ଯାତନା ନେଇ କଠୋଇ ଆଇନ ରହିଥିଲେ ବି ପୀଡ଼ିତାଙ୍କ ବାରମ୍ବାର ଅଭିଯୋଗ ପରେ କାହିଁକି ହେଉନାହିଁ କଠୋର କାର୍ଯ୍ୟାନୁଷ୍ଠାନ? ବର୍ଷେ କାଳ ନ୍ୟାୟ ପାଇଁ ସଂଘର୍ଷ କରୁଥିବା ଏହି ଓଡ଼ିଆ ଝିଅଙ୍କୁ କେବେ ମିଳିବ ନ୍ୟାୟ?