ଏସିଆ କପ କ୍ରିକେଟରେ ଆସନ୍ତାକାଲି ମୁହାଁମୁହିଁ ହେବେ ଭାରତ ଓ ହଂକଂ ! ଟିମ୍ ଇଣ୍ଡିଆକୁ ଟକ୍କର ଦେବେ ହଂକଂ କ୍ୟାପଟେନ୍ ତଥା ଓଡିଆ ପୁଅ ଅଂଶୁମାନ ରଥ ।

487

କନକ ବ୍ୟୁରୋ : ଦୁବାଇରେ ଚାଲିଥିବା ଏସିଆ କପ୍ କ୍ରିକେଟ ଟୁର୍ଣ୍ଣାମେଂଟରେ ଆସନ୍ତାକାଲି ଭାରତ ବିରୋଧରେ ପଡିଆକୁ ଓହ୍ଲାଇବେ ଜଣେ ଓଡିଆ ପୁଅ । ରୋହିତ୍ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଖେଳିବାକୁ ଯାଉଥିବା ବେଳେ ପଡିଆରେ ଟକ୍କର ଦେବେ ହଂକଂର କ୍ୟାପଟେନ୍ ତଥା ଓଡିଆ ପୁଅ ଅଂଶୁମାନ ରଥ । ଭାରତ ବିରୋଧରେ ଜଣେ ଓଡିଆ ପୁଅଙ୍କ ପ୍ରଦର୍ଶନ କଣ ରହିବ ତା ଉପରେ ରହିଛି ସମସ୍ତଙ୍କ ନଜର । ଅନ୍ୟପଟେ ଅଂଶୁମାନ ଅନ୍ୟ ପ୍ରବାସୀ ଓଡିଆଙ୍କ ପାଇଁ ପ୍ରୋତ୍ସାହନ ଯୋଗାଇବେ ବୋଲି କହିଛନ୍ତି କ୍ରୀଡା ସମୀକ୍ଷକ ।

ଏହି ଓଡିଆ ପୁଅ ଏବେ ଭାରତ ବିରୋଧରେ ଖେଳିବାକୁ ଯାଉଛନ୍ତି । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏସିଆ କପରେ ମଙ୍ଗଳବାର ହେବାକୁ ଯାଉଥିବା ପ୍ରଥମ ମ୍ୟାଚରେ ଭାରତ, ହଂକଂକୁ ଭେଟିବାକୁ ଯାଉଛି । ଆଉ ଏହି ମ୍ୟାଚରେ ହଂକଂ କ୍ରିକେଟ ଟିମର ନେତୃତ୍ୱ ନେଉଛନ୍ତି ଓଡିଆ ପୁଅ ଅଂଶୁମାନ ରଥ । ଅର୍ଥାତ ପଡିଆରେ ଭାରତୀୟ ଦଳକୁ ଟକ୍କର ଦେବେ ଓଡିଆ ପୁଅ ଅଂଶୁମାନ । ଷଷ୍ଠ ଦଳ ଭାବେ ପ୍ରଥମ ଥର ପାଇଁ ଏସିଆ କପରେ ପ୍ରବେଶ କରିଛି ଟିମ୍ ହଂକଂ ।

ହଂକଂର କ୍ୟାପଟେନ ଦାୟିତ୍ୱ ତୁଲାଉଥିବା ଅଂଶୁମାନଙ୍କ ଘର ରାଜଧାନୀ ଭୁବନେଶ୍ୱରର ସତ୍ୟନଗରରେ । ୧୯୯୦ ଦଶକରେ ଅଂଶୁମାନଙ୍କ ବାପା ବ୍ୟବସାୟ ପାଇଁ ଭାରତ ଛାଡିଥିଲେ । ଆଉ ୧୯୯୭ ମସିହାରେ ହଂକଂରେ ଜନ୍ମ ହୋଇଥିଲେ ଅଂଶୁମାନ । ହେଲେ ଏବେ ବି ଓଡିଶା ପ୍ରତି ତାଙ୍କର ଓ ତାଙ୍କ ପରିବାରର ରହିଛି ବେଶ୍ ଆବେଗ ।

ମାତ୍ର ୪ ବର୍ଷ ବୟସରୁ କ୍ରିକେଟ ଖେଳ ଆରମ୍ଭ କରିଥିଲେ ଏହି ଯୁବ କ୍ରିକେଟର । ୨୦୧୪ ନଭେମ୍ବର ୮ରେ ପପୁଆ ନ୍ୟୁ ଗିନି ବିପକ୍ଷରେ ସେ ଖେଳିଥିଲେ ପ୍ରଥମ ଦିନିକିଆ । ୧୬ଟି ଦିନିକିଆ ଖେଳି ୫୨.୫୭ ଆଭରେଜରେ ୭୩୬ ରନ୍ କରିଛନ୍ତି । ଗୋଟିଏ ଶତକ ୬ଟି ଅର୍ଦ୍ଧଶତକ ସହ ଅପରାଜିତ ରହି ସର୍ବାଧିକ ୧୪୩ ରନ୍ କରିଛନ୍ତି । ଅଗଷ୍ଟ ୨୦୧୮ରେ ଏସିଆ କପ୍ କ୍ୱାଲିଫାୟର ଟୁର୍ଣ୍ଣାମେଣ୍ଟ ପାଇଁ ଅଂଶୁମାନ ଭାଇସ୍ କ୍ୟାପଟେନ୍ ଥିଲେ ।

ନିଜ ପିତାମାତାଙ୍କ ସହ ୨୦୦୩ରେ କ୍ରିକେଟ ବିଶ୍ୱକପ୍ ଫାଇନାଲ ମ୍ୟାଚ ଦେଖିଥିଲେ ଅଂଶୁମାନ । ଏଥିରେ ଅଷ୍ଟ୍ରେଲିଆ ଦଳ ବିପକ୍ଷରେ ଖେଳୁଥିଲା ଭାରତୀୟ ଦଳ । ଆଉ ସେହି ମ୍ୟାଚରେ ପଡିଆରେ ଥିଲେ କ୍ରିକେଟ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର । ସେ ତାଙ୍କ ଖେଳ ଦେଖି ହୋଇଥିଲେ ପ୍ରଭାବିତ । ଗୋଟିଏ ପଟେ ରୋହିତ୍ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ପଡିଆକୁ ଓହ୍ଲାଇବାକୁ ଯାଉଛି । ଅନ୍ୟପଟେ ଓଡିଆ ପୁଅ ଅଂଶୁମାନଙ୍କ ନେତୃତ୍ୱରେ ହଂକଂ ଟିମ୍ ଇଣ୍ଡିଆକୁ ଟକ୍କର ଦେବ । ତେଣୁ ଏହି ମ୍ୟାଚକୁ ନେଇ ଓଡିଶାର ଲୋକଙ୍କ ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରୁଛି ।