ନର୍ସ ନିହାରିକା ହତ୍ୟା ମାମଲାରେ ମିଳୁନି ହତ୍ୟାକାରୀର ଟେର୍ । ହତ୍ୟା ପଛରେ କ’ଣ ରହିଛି ଗୁମର? ପୁରୁଷ ବନ୍ଧୁ ରାଜାର ଫୋନ ଡିଟେଲସ ଯାଂଚ କରୁଛି ପୋଲିସ ।

733

କନକ ବ୍ୟୁରୋ : ନର୍ସ ନିହାରିକା ହତ୍ୟାକାଣ୍ଡ ମାମଲାରେ ଏବେ ବି ପୁଲିସର ହାତ ଖାଲି । ୬ ଜଣିଆ ଟିମ ତଦନ୍ତ କରୁଛି ସତ, କିନ୍ତୁ ଏଯାଏଁ ହତ୍ୟାକାରୀର ଟେର ମିଳୁନି । ଆଉ ଏହାରି ଭିତରେ ନିହାରିକାଙ୍କ ବାପା ମାଙ୍କ ଡିଏନଏ ଟେଷ୍ଟ ପାଇଁ ଡାକିଛି ପୁଲିସ୍ । ଏପଟେ ହତ୍ୟା ପଛରେ ନିହାରିକାଙ୍କ ପୁରୁଷ ବନ୍ଧୁ ରାଜାର ହାତ ଥିବା ସନ୍ଦେହ ଘନିଭୂତ ହେବାରେ ଲାଗିଛି । ରାଜାର ବାପା, ଭାଇ ଓ ୪ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି । ଅଲଗା ଅଲଗା ରଖାଯାଇ ଏମାନଙ୍କୁ ପରାଉଚରା କରାଯାଉଛି । ଏମିତି କି ରାଜାର ଫୋନ କଲ ମଧ୍ୟ ଯାଂଚ କରାଯାଉଛି ।

ତେବେ ଏହାରି ଭିତରେ ପ୍ରଶ୍ନ ଉଠୁଛି, କାହିଁକି ନିଖୋଜ ହେଲେ ରାଜା ? ରାଜା ଏବେ କେଉଁଠି ? କଟକ ନର୍ସ ହତ୍ୟାକାଣ୍ଡ ମାମଲାର ଦିଗ ଆଗକୁ କୁଆଡେ ଯିବ, ତାହା ହୁଏତ ନିର୍ଭର କରୁଛି ନିହାରିକାଙ୍କ ପୁରୁଷ ବନ୍ଧୁ ତଥା ପ୍ରେମିକ ରାଜାର ଠିକଣା ଉପରେ । କାରଣ ମୃତ୍ୟୁ ପୂର୍ବରୁ ଶେଷ ଥର ପାଇଁ ରାଜାଙ୍କ ସାଙ୍ଗରେ ହିଁ ବାହାରକୁ ଯାଇଥିଲେ ନିହାରିକା । ଏବେ ପୁଲିସ୍ ହାତରେ ଲାଗିଛି ରାଜାର ମୋବାଇଲ ଫୋନ୍ । ଯେଉଁ ଫୋନରେ ରାଜା, ନିହାରିକାଙ୍କ ସହ କଥା ହେଉଥିଲେ । ଏମିତି କି ଗତ ୮ ତାରିଖରେ ନିହାରିକା ନିଖୋଜ ହେବା ଦିନ ଏହି ଫୋନରେ ହିଁ କଥା ହୋଇ ଏକାଠି ବୁଲିବାକୁ ଯାଇଥିଲେ ବୋଲି ପରିବାର ଲୋକ କହିଛନ୍ତି । ତେଣୁ ରାଜାର ଠିକଣା ପାଖରେ ପହଂଚିବା ପାଇଁ କଲଡିଟେଲ୍ ଯାଂଚ୍ କରୁଛି ପୁଲିସ୍ ।

-ନିହାରିକାଙ୍କ ମୃତ୍ୟୁ ଏବଂ ରାଜାଙ୍କ ନିଖୋଜ୍ ଭିତରେ କ’ଣ ରହିଛି ସଂପର୍କ ?
-ମୃତ୍ୟୁ ଓ ନିଖୋଜ ଏହି ଦୁଇ ଘଟଣା ପଛରେ ରହିଛି କି ତୃତୀୟ ବ୍ୟକ୍ତିର ସଂପୃକ୍ତି ?
-ରାଜା ଏବେ ସୁରକ୍ଷିତ ନା’ ତାଙ୍କ ସହିତ ବି ଘଟିଛି କୌଣସି ଅଘଟଣ ?

ପୁଲିସ ସାମ୍ନାରେ ଏବେ ଏଭଳି ଅନେକ ପ୍ରଶ୍ନ । ଆଉ ହତ୍ୟାକାଣ୍ଡର ସମସ୍ତ ବିନ୍ଦୁକୁ ଯୋଡ଼ିବା ପାଇଁ କଲ୍ ଡିଟେଲର ଯାଂଚ୍ ଉପରେ ଫୋକସ୍ କରୁଛି ପୁଲିସ । ଏପଟେ ଅତି ବିଭତ୍ସ ଭାବରେ ନିହାରିକାଙ୍କୁ ହତ୍ୟା କରାଯାଇଥିବାରୁ ତାଙ୍କୁ ଚିହ୍ନଟ କରିବା ବି ସମ୍ଭବ ହୋଇନାହିଁ । ପରିବାର ଲୋକ ଝିଅର ମୃତଦେହ ଚିହ୍ନଟ କରିଛନ୍ତି ସତ । କିନ୍ତୁ ଏହାକୁ ପ୍ରମାଣିତ କରିବା ପାଇଁ ନିହାରିକାଙ୍କ ବାପା ଓ ମାଙ୍କ ଡିଏନଏ ଟେଷ୍ଟ କରିବାକୁ ନିଷ୍ପତି ନେଇଛି ପୋଲିସ ।

ଦିନ ଗଡୁଛି ରହସ୍ୟ ବଢୁଛି ? ହତ୍ୟା ପଛରେ କ’ଣ ରହିଛି ଗୁମର ? ଏହି ପ୍ରଶ୍ନ ଏଥି ପାଇଁ ଉଠୁଛି, କାରଣ ନିହାରିକା ନିଖୋଜ୍ ହେବା ପରେ ପରେ ହିଁ ଗାଏବ୍ ହୋଇଯାଇଥିଲେ ରାଜା । ନିହାରିକାଙ୍କ ମୃତଦେହ ମିଳିବା ପରେ ବି ରାଜା ସାମ୍ନାକୁ ଆସିନଥିଲେ । ହୁଏତ ଏହି ନିଖୋଜ ଘଟଣା ଦୁଇଟି ଦିଗକୁ ଇସାରା କରୁଛି । ପ୍ରଥମରେ ହତ୍ୟାକାଣ୍ଡରେ ରାଜାଙ୍କ ସଂପୃକ୍ତି ଥାଇପାରେ ଯେଉଁଥି ପାଇଁ ହୂୁଏତ, ସେ ନିଖୋଜ ହୋଇଛନ୍ତି । କିମ୍ବା ରାଜାଙ୍କ ସହ ମଧ୍ୟ ନିହାରିକାଙ୍କ ଭଳି କୌଣସି ଅଘଟଣ ଘଟିଥାଇପାରେ, ଯେଉଁଥି ପାଇଁ ହୂୁଏତ, ତାଙ୍କ ପତା ମିଳୁନାହିଁ ।