ବାରିପଦାରେ ମୋଦିଙ୍କ ଖୋର୍ଦ୍ଧା ଷ୍ଟାଇଲ । ନାଁ ନନେଇ ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ, ଉଠାଇଲେ ପିପିଲି ପିଡୀତାଙ୍କୁ ନ୍ୟାୟ ନମିଳିବା ପ୍ରସଙ୍ଗ ।

240

କନକ ବ୍ୟୁରୋ: ବାରିପଦା ସମାବେଶରୁ ରାଜ୍ୟ ସରକାରଙ୍କୁ ମୋଦିଙ୍କ ଟାର୍ଗେଟ । ମହିଳା ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଟ୍ରାକ ରେକର୍ଡ଼ ଖରାପ ଥିବା କହି ପରୋକ୍ଷରେ ନବୀନ ସରକାରଙ୍କୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନେକ ସମୟରେ ରାଜ୍ୟ ସରକାର ମହିଳାଙ୍କ କ୍ଷେତ୍ରରେ ନ୍ୟାୟ ପ୍ରଦାନ କରିବା ପାଇଁ ଦ୍ୱାହି ଦେଉଛନ୍ତି ହେଲେ ଅପରାଧୀଙ୍କୁ କିନ୍ତୁ ଦଣ୍ଡ ଦେଇପାରୁନାହାନ୍ତି । ପରୋକ୍ଷରେ ପିପିଲି ପ୍ରସଙ୍ଗ ଉଠାଇ ମୋଦି କହିଛନ୍ତି, ପିଡ଼ିତାକୁ ନ୍ୟାୟ ମିଳିଲା ନାହିଁ ବରଂ ଦୋଷୀ ନିର୍ଦ୍ଦୋଷରେ ଖସିଗଲେ ।

ଆଜି ପୁରୀରେ ଏସଏଚଜି ମହିଳାଙ୍କୁ ନେଇ ରାଜ୍ୟ ସରକାର ଏକ ବଡ ଧରଣର ଶକ୍ତି ପ୍ରଦର୍ଶନ କରିଥିବା ବେଳେ ତାକୁ କାଉଁଟର କରିବାକୁ ମୋଦି ବେଶ ଚାଲାକିର ସହିତ ଉଠାଇଛନ୍ତି ପ୍ରସଙ୍ଗ । ଯାହା ଦର୍ଶାଉଛି ୨୦୧୯ ପାଇଁ ରାଜ୍ୟ ରାଜନୀତିରେ ମହିଳା ପ୍ରସଙ୍ଗ ସବୁଠାରୁ ବଡ ମୁଦ୍ଦା ଭାବେ ଉଭା ହେବାକୁ ଯାଉଛି । ଟୀକାକରଣ ଠାରୁ ଆରମ୍ଭ କରି ନାରୀଙ୍କୁ ନ୍ୟାୟ ପର୍ଯ୍ୟନ୍ତ ମୁଦ୍ଦା ଉଠାଇ ମୋଦି ଏହି ସଂକେତ ଦେବାକୁ ପଛାଇ ନାହାନ୍ତି ।

modi and naveenପୁରୀରେ ନବୀନ ଶକ୍ତି ଦେଖାଇଥିବା ବେଳେ ସେହି ସମାନ ପୁରୀର ଏକ ନାରୀକୁ ନ୍ୟାୟ ଦେବାରେ ରାଜ୍ୟ ସରକାର କିଭଳି ବିଫଳ ହୋଇଛନ୍ତି ସେହି ଦିଗକୁ ସାମ୍ନାକୁ ଆଣିଛନ୍ତି ମୋଦି । ତଦନ୍ତରେ ତ୍ରୁଟି ପାଇଁ ଅପରାଧୀ ଖସିଯିବା ପ୍ରସଙ୍ଗକୁ ସେ ନାପସନ୍ଦ କରିଛନ୍ତି । ଆଗାମୀ ଦିନରେ ତଦନ୍ତକୁ ଅଧିକ କ୍ରିୟାଶୀଳ କରାଇବା ସହ ଅପରାଧୀଙ୍କୁ ଦଣ୍ଡ ଦେବାକୁ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି ମୋଦି ।
ସେହିଭଳି ପୁରୁଣା ପାଠର ପୁନରାବୃତ୍ତି କଲା ଭଳି ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର ଗ୍ରହଣ କରୁ ନାହାନ୍ତି କହି ପୁଣି ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାରେ ୫ଲକ୍ଷ ଶିଶୁ ଓ ଦେଢ଼ ଲକ୍ଷ ମହିଳାଙ୍କୁ ଟୀକା ଦିଆଯାଉଛି ଏହାର ଫାଇଦା ଆୟୁଷ୍ମାନ ଭାରତ ଯୋଜନାରୁ ନେବାକୁ କହିଛନ୍ତି ମୋଦି । ସେହିଭଳି ଝିଅ ମାନଙ୍କ ସୁରକ୍ଷା କ୍ଷେତ୍ରରେ ପଛରେ ପଡ଼ିଛି ଓଡ଼ିଶା । ଅନ୍ୟପଟେ ନୂଆ ଓଡ଼ିଶା ପାଇଁ ଆମକୁ ମିଳିମିଶି କାର୍ଯ୍ୟ କରିବାକୁ ପଡ଼ିବ ବୋଲି କହି ଆହ୍ୱାନ ଦେଇଛନ୍ତି ମୋଦି ।

ଓଡ଼ିଶାରେ ଝିଅମାନଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବହୁ ପଛରେ ରହିଛି ଓଡ଼ିଶା କହି ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ । ତେବେ ୧୫ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦୁଇ ଥର ଓଡ଼ିଶା ଗସ୍ତ ରାଜ୍ୟ ରାଜନୀତିକୁ ୨୦୧୯ ନିର୍ବାଚନ ପୂର୍ବରୁ ଅନେକ ଖୋରାକ ଯୋଗାଇଛି ।