ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ । କାହିଁକି ବାତିଲ ହେବନି ପ୍ରସାରଣ, କାରଣ ଦେଖାଇବେ ଚ୍ୟାନେଲ କର୍ତ୍ତୃପକ୍ଷ ।

ସୋମବାର ଓଟିଭିରେ ପ୍ରଦର୍ଶିତ ଏକ ରିପୋର୍ଟ ଆଧାରରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ।

2,275

କନକ ବ୍ୟୁରୋ : ଗଣମାଧ୍ୟମ ସଂସ୍ଥା ଓଟିଭି ବିରୋଧରେ ଆସିଲା ସ୍ୱାଧିକାର ଭଙ୍ଗ ପ୍ରସ୍ତାବ । ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଏସଂକ୍ରାନ୍ତୀୟ ନୋଟିସ ଆଣିଛନ୍ତି । ସୋମବାର ଓଟିଭିରେ ପ୍ରଦର୍ଶିତ ଏକ ରିପୋର୍ଟ ଆଧାରରେ ଏପରି ପ୍ରସ୍ତାବ ଆଗତ କରାଯାଇଛି ।

ତାରା ପ୍ରସାଦ ବାହିନୀପତି ଆଣିଥିବା ପ୍ରସ୍ତାବକୁ ବାଚସ୍ପତି ପ୍ରଦୀପ ଅମାତ ଗ୍ରହଣ କରି ଚ୍ୟାନେଲ କର୍ତ୍ତୃପକ୍ଷଙ୍କୁ ନୋଟିସେ ପାଇଁ ବିଧାନସଭା ସଚିବଙ୍କୁ କହିଛନ୍ତି । କାହିଁକି ଚ୍ୟାନେଲର ସିଧା ପ୍ରସାରଣ ଏବଂ ପ୍ରବେଶ ଉପରେ ରୋକ ଲଗାଯିବ ନାହିଁ, ସେନେଇ ନୋଟିସ କରିବାକୁ ବାଚସ୍ପତି କହିଛନ୍ତି ।

 

ଗତକାଲି ବିଧାନସଭା ଅଧିବେଶନ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ସଦସ୍ୟ ହୋହଲ୍ଲା କରିଥିଲେ । ବିଜେପି ସଦସ୍ୟ ନିଜ ଆସନରେ ଠିଆ ହୋଇ ନାରାବାଜି କରୁଥିବା ବେଳେ ଶାସକ ଦଳର ସଭ୍ୟ କେନ୍ଦ୍ର ବିରୋଧୀ ପ୍ରସଙ୍ଗ ଉଠାଇ ପ୍ରତିବାଦ କରୁଥିଲେ । ଆଉ ଏହାରି ଭିତରେ ଗୃହରେ ଶାସକ ଦଳର ସଭ୍ୟଙ୍କ ପ୍ରଶ୍ନର ଉତ୍ତର ରଖୁଥିଲେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ।

ତେବେ ହଟ୍ଟଗୋଳ ଭିତରେ ଗୃହକାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିପାରୁନଥିବାରୁ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି । ତେବେ ଏହାରି ଭିତରେ କଣ ସବୁ ଘଟଣା ମାନ ଘଟିଥିଲା, ଆଉ କିଭଳି ବିଧାନସଭା ସଚିବ ଆସି ବାଚସ୍ପତିଙ୍କୁ ମୁଲତବୀ ସଂକ୍ରାନ୍ତରେ କହିବା ପରେ ଗୃହକୁ ମୁଲତବୀ ରଖାଯାଇଥିଲା, ସେନେଇ ଏକ ରିପୋର୍ଟ ଦେଖାଇଥିଲେ ଓଟିଭି । ତେବେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଗତ ହେବା ଓ ନୋଟିସ ସଂକ୍ରାନ୍ତରେ ଓଟିଭି କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।